ନୂଆଦିଲ୍ଲୀ,୨୫/୦୮: ହରିୟାଣା ବିଧାନସଭା ନିର୍ବାଚନରେ ସଫଳତା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ଗୁରୁଦାୟିତ୍ବ । ବିହାର ନିର୍ବାଚନ ପ୍ରଭାରୀ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ଶୁକ୍ରବାର ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ବିଜ୍ଞପ୍ତି ଜାରି କରିଛନ୍ତି । ସେହିପରି ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ପାଇଁ ମଧ୍ୟ ପ୍ରଭାରୀ ଏବଂ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି ।
ବିହାର ବିଧାନସଭା ନିର୍ବାଚନ କମାଣ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଯାଇଛି । ଏହା ସହିତ ଉତ୍ତର ପ୍ରଦେଶର ପ୍ରଭାରୀ ଦାୟିତ୍ବ ମଧ୍ୟ ଦିଆଯାଇଛି । ସେହିପରି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ ଏବଂ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ-ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ବିଜେପିର ରାଷ୍ଟ୍ରୀୟ ମହାସଚିବ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଏନେଇ ଅଫିସିଆଲ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ନିଯୁକ୍ତି ତତ୍କାଳ ପ୍ରଭାବରେ ଲାଗୁ ହେବ ବୋଲି କୁହାଯାଇଛି ।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ବିହାର, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜବୁତ କରିବା ଏବଂ ନିର୍ବାଚନ ଭଲ ପ୍ରଦର୍ଶନ ପାଇଁ ଏହି ପାର୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହି ପରି ପଶ୍ଚିମବଙ୍ଗରେ ମଧ୍ୟ ନୂଆ ନିଯୁକ୍ତି ହୋଇଛି । କେନ୍ଦ୍ର ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ପଶ୍ଚିମବଙ୍ଗ ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ଲୋକସଭା ସାଂସଦ ବିପ୍ଳବ କୁମାର ଦେବଙ୍କୁ ପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।
ବିହାରରେ ବର୍ତ୍ତମାନ ସମୟରେ ଏନଡିଏ ସରକାର ରହିଛି । ବିଜେପି ୨୦୨୦ ବିଧାନସଭା ନିର୍ବାଚନରେ ୭୪ ଆସନ ମିଳିଥିଲା । ହେଲେ ଆଗାମୀ ନିର୍ବାଚନରେ ପାର୍ଟି ରେକର୍ଡ ସଂଖ୍ୟକ ଆସନ ଅକ୍ତିଆର କରିବା ପ୍ରୟାସରେ ରହିଛି । ବିହାରରେ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ଅଛନ୍ତି । ସେହିପରି ବିଜେପିରୁ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି ।...