ଭୁବନେଶ୍ଵର, ୮/୧୦ : ଗୁରୁବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ କୋର୍ କମିଟି ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ କୋର୍ କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। କୋର୍ କମିଟି ବୈଠକରେ ନୂଆପଡା ଉପନିର୍ବାଚନ ନେଇ ଆଲୋଚନା ହେବ। କିଏ ପ୍ରାର୍ଥୀ ହେବ ସାମ୍ଭାବ୍ୟ ତାଲିକାକୁ ନେଇ ମାନସ ମନ୍ଥନ ହେବ। ଏହାସହ ରାଜ୍ୟ କମିଟି ନେଇ ମଧ୍ୟ ଚୂଡ଼ାନ୍ତ ହୋଇପାରେ।
ଅନ୍ୟପଟେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟଳୟରେ ଜନଜାତି ବିଧାୟକ ଏବଂ ସାଂସଦଙ୍କୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଜନଜାତି ବିଧାୟକ ଏବଂ ସାଂସଦ ଉପସ୍ଥିତ ରହିବେ। ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ଯୋଗ ଦେଇ ପ୍ରଶିକ୍ଷଣ ଦେବେ। ଜନଜାତି ବିଧାୟକ, ସାଂସଦ ନିଜ ନିଜ ନିର୍ବାଚନ ମଣ୍ଡଳୀର କିଛି କିଛି ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ। ଜନଜାତି ବିଧାୟକ ଏବଂ ସାଂସଦ ୨୦ରୁ ୨୫ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବେ। ଏନେଇ ପ୍ରଶିକ୍ଷଣ ଶିବିରରେ ବିଧାୟକ ଏବଂ ସାଂସଦମାନଙ୍କୁ ତାଲିମ ଦିଆଯିବ । ଏହା ପରେ ବିଜେପି ରାଜ୍ୟ କାର୍ଯ୍ୟଳୟରେ କୋର କମିଟି ବୈଠକ ବସିବ। ଏନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି।