ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିରୋଧି ଦଳ ମୁଖ୍ୟ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ଗଠିତ କରାଯାଇଥିବା ବିଜେପିର ଏକ ପ୍ରତିନିଧିମଣ୍ଡଳ ଶୁକ୍ରବାର କୋଲକାତାରେ ମୁଖ୍ୟ ନିର୍ବାଚନ ଅଧିକରୀ ମନୋଜ ଅଗ୍ରୱାଲଙ୍କୁ ଭେଟିଛନ୍ତି। ଇଲେକ୍ସନ କମିଶନ ଅଧିକାରୀମାନଙ୍କୁ ଧମକ ଦେବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଏହି ପ୍ରତିନିଧିମଣ୍ଡଳରେ ଥିବା ୧୦ ଜଣ ବିଜେପି ସାଂସଦ ଏନେଇ କମିଶନଙ୍କୁ ଅଭିଯୋଗ କରିବା ସହ ଏହି ନିର୍ବାଚନରେ ସାମିଲ ହେବାକୁ ଥିବା କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଭାରତୀୟ ନିର୍ବାଚନ କମିଶନଙ୍କୁ ପଠାଇଥିବା ଚିଠିରେ ବିଜେପି ଉଲ୍ଲେଖ କରିଛି ଯେ, ଯେତେବେଳେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ନିର୍ବାଚନର ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ନିୟୋଜିତ ଅଧିକାରୀମାନଙ୍କୁ ଖୋଲାଖୋଲି ଭାବେ ଧମକ ଦିଅନ୍ତି, ସେତେବେଳେ ଏହା ପ୍ରଶାସନିକ ପଦାନୁକ୍ରମରେ ଏକ ଭୟଙ୍କର ବାର୍ତ୍ତା ପହଞ୍ଚାଇଥାଏ - ଯେ ସମ୍ବିଧାନ ପ୍ରତି ଆନୁଗତ୍ୟ ଅପେକ୍ଷା ଶାସକ ଦଳ ପ୍ରତି ଆନୁଗତ୍ୟକୁ ପ୍ରାଥମିକତା ଦିଆଯିବା ଉଚିତ।

ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟକୁ ବିଜେପି ଭାରତୀୟ ଗଣତନ୍ତ୍ରର ମୂଳଦୁଆକୁ ନଷ୍ଟ କରିବାର ପ୍ରୟାସ ବୋଲି ଦାବି କରିଛି। ଏହି ପରିପ୍ରେକ୍ଷିରେ କମିଶନ ତୁରନ୍ତ ଏହି ମାମଲା ଉପରେ ଧ୍ୟାନ ଦେଇ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରବାକୁ ସେମାନେ ଦାବି କରିଛନ୍ତି। ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ "ବାରମ୍ୱାର ହିଂସା ଓ ଧମକ ସତ୍ତ୍ୱେ ବଙ୍ଗଳାର ଲୋକମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ ରଖିଆସିଛନ୍ତି। ନିର୍ବାଚନ କମିଶନଙ୍କ ପବିତ୍ର କର୍ତ୍ତବ୍ୟ ହେଉଛି ଯେ ସେମାନଙ୍କର ବିଶ୍ୱାସ ଯେପରି ଭାଙ୍ଗି ନଯାଏ",

ଆପଣଙ୍କୁ ଜଣାଇରଖୁ ଯେ, ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଉପରେ ବଢ଼ୁଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ଏହି ଅଭିଯୋଗ ସାମ୍ନାକୁ ଆସିଛି। ଗୁରୁବାର, ମମତା ବାନାର୍ଜୀ ନିର୍ବାଚନ କମିଶନ ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଏକ କଡ଼ା ଆକ୍ରମଣ କରିବା ସହ ନିଆଁ ସହିତ ନ ଖେଳିବାବାକୁ ଚେତାବନୀ ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଏହି ସଂଶୋଧନ ଜାତୀୟ ନାଗରିକ ପଞ୍ଜିକରଣ (NRC) କାର୍ଯ୍ୟକାରୀ କରିବାର ଏକ ପ୍ରଚ୍ଛଦ ପ୍ରୟାସ ଥିଲା, ସେ କହିଥିଲେ, "ଏହା SIR ନୁହେଁ, ଏହା ପଛରେ NRC ରହିଛି।"

ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ହିଁ ନିର୍ବାଚନ କମିଶନର ଅଧିକାରୀମାନେ ସେମାନଙ୍କର କ୍ଷମତା ଅତିକ୍ରମ କରି ସରକାରୀ ଅଧିକାରୀମାନଙ୍କୁ ଭୟଭୀତ କରୁଥିବା ନେଇ ମମତା ବାନାର୍ଜୀ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ "ରାଜ୍ୟ ବର୍ତ୍ତମାନ ବିପର୍ଯ୍ୟୟର ସାମ୍ନା କରୁଛି ଏବଂ କ୍ଷେତ୍ର ସର୍ଭେ ନାମରେ କିଛି ନିର୍ବାଚନ କମିଶନର ଅଧିକାରୀମାନେ ସ୍ଥାନୀୟ ଅଧିକାରୀମାନଙ୍କୁ ଧମକ ଦେଉଛନ୍ତି!" ଏନେଇ ରାଜ୍ୟ ସରକାରଙ୍କୁ ଅନ୍ଧକାରରେ ରଖାଯାଉଛି ବୋଲି ସେ ଅବିଯୋଗ ଆଣିଛନ୍ତି।

ମିଳିଥିବା ସୂଚନା ମୁତାବକ, ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଯାଉଛି। ଯେଉଁଥିପାଇଁ ନିର୍ବାଚନ କମିସନ ସମଗ୍ର ରାଜ୍ୟରେ SIR ଲାଗୁ କରିବାକୁ ଆଦେଶ ଜାରି କରିଛନ୍ତି। ଯାହାକୁ ନେଇ ବିବାଦ ଘନେଇବାରେ ଲାଗିଛି।