ଭୁବନେଶ୍ବର, ୨୪/୦୯: ବିଧାନସଭାରେ ଶୀତଳ ଭଣ୍ଡାର ତାତି । ଗୃହରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମୁହାଁମୁହିଁ । ରାଜା ସ୍ବାଇଁ ଗୃହରେ ଶୀତଳ ଭଣ୍ଡାର ପ୍ରସଂଗ ଉଠାଇ ସରକାରଙ୍କୁ ଘେରିଥିଲେ । ଏହାର ଉତ୍ତର ରଖି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । କେ.ଭି ସିଂହଦେଓ କହିଛନ୍ତି, ରଣେନ୍ଦ୍ର ପ୍ରତାପ କୃଷି ମନ୍ତ୍ରୀ ଥିବାବେଳେ ଶୀତଳ ଭଣ୍ଡାର କଲେ ନାହିଁ । ହେଲେ ଏବେ ମୋହନ ସରକାର ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଚେଷ୍ଟା କଲା ବେଳେ ଓଲଟା ପ୍ରଶ୍ନ କରୁଛନ୍ତି ।
ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ଶୀତଳ ଭଣ୍ଡାର ପ୍ରସଂଗରେ ସରକାରଙ୍କୁ ପ୍ରଶ୍ନ କରିଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେ କହିଥିଲେ, ଯେଉଁ ସରକାର ଚାଷୀଙ୍କୁ ସାର ଯୋଗାଇ ପାରିଲେ ନାହିଁ । ସେମାନେ କିପରି ଶୀତଳ ଭଣ୍ଡାର କରିବେ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ରାଜା ସ୍ୱାଇଁଙ୍କ ଉପରେ ଦୋଷ ଲଦିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ସେ କହିଲେ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜେ କୃଷି ମନ୍ତ୍ରୀ ଥିବାବେଳେ ତାଙ୍କ ସରକାର ଶୀତଳ ଭଣ୍ଡାର କରିପାରିନାହିଁ । ପୂର୍ବ ସରକାରଙ୍କ ଚାଷୀଙ୍କ ଦୁଃଖ ବୁଝିଲେ ନାହିଁ । ଆମ ସରକାର କରିବାକୁ ଚେଷ୍ଟା କଲା ବେଳେ ଅଯଥା ପ୍ରଶ୍ନ କରୁଛନ୍ତି। ରାଜ୍ୟ ସରକାର ୨ ଲକ୍ଷ ମେଟ୍ରିକ ଟନରୁ ଅଧିକ ସାର ଚାଷୀଙ୍କୁ ଯୋଗାଇ ଦେଇଛନ୍ତି । ତଥାପି ସାର ଅଭାବ ନେଇ କୃତ୍ରିମ ଆନ୍ଦୋଳନ ସୃଷ୍ଟି କରାଯାଇଛି। ସାର ଆନ୍ଦୋଳନ ଯେଉଁଠି ହେଉଛି, କେତେ ବିଧାୟକ ଯାଇକି ସମୀକ୍ଷା କରିଛନ୍ତି। ଆପଣଙ୍କ ସମୟରେ ଶୀତଳ ଭଣ୍ଡାର କଲେ ନାହିଁ । ହେଲେ ଆମେ କରିକି ଦେଖାଇବୁ। ସବୁ ସବଡ଼ିଭିଜନରେ ଶୀତଳ ଭଣ୍ଡାର କରିବୁ ବୋଲି ବିଧାନସଭାରେ ରଣେନ୍ଦ୍ର ପ୍ରତାପଙ୍କ ପ୍ରଶ୍ନ ଉତ୍ତର ଦେଇ ବିଜେଡିର ଟାର୍ଗେଟ୍ କରିଛନ୍ତି କେଭି ସିଂହଦେଓ ।