ଭୁବନେଶ୍ୱର, ୭/୧୧ : ରାସ୍ତା କଡ଼ରେ ଠିଆ ହୋଇ ଆଉ ଗୁପ୍ଚୁପ୍ ଖାଇବାକୁ ପଡିବନି । ଏଣିକି ଗୋଟିଏ ଜାଗାରେ ମିଳିବ ଭଳି କି ଭଳି ଗୁପ୍ଚୁପ୍ । ଦାବି ହୋଇ ନଥିଲେ ବି ରମାଦେବୀ ଛାତ୍ରୀଙ୍କ ଆଶା ପୂରଣ ହେବ । ବିଏମ୍ସି ଖୋଲିବାକୁ ଯାଉଛି ଗୁପ୍ଚୁପ୍ ବଜାର । ବିଏମ୍ସି ପକ୍ଷରୁ ରିଜିଓନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ (ଆରଆଇଟି) ସମ୍ମୁଖରେ (ୱାର୍ଡ ନଂ-୨୯)ରେ ଜାଗା ଚିହ୍ନଟ କରାଯାଇଛି । ଏହି ଜାଗାକୁ ପେଭର ବ୍ଲକ ପକାଇ ଏହାର ପରିପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ଓପନ ଭେଣ୍ଡିଂ ଜୋନ୍ ଢାଞ୍ଚାରେ ନିର୍ମାଣ ହୋଇଥିବା ଏହି ଗୁପଚୁପ ବଜାରରେ ୩୦ରୁ ୪୦ ଦୋକାନ ଖୋଲିପାରିବ । ଏହି ଭେଣ୍ଡିଂ ଜୋନ୍କୁ ଲାଗି ପାର୍କିଂ ଏବଂ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାକୁ ଖୁବ୍ଶୀଘ୍ର ଉଦ୍ଘାଟନ କରାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।
ଗୁପ୍ଚୁପ୍ ବଜାରରେ ଭଳିକି ଭଳି ଗୁପ୍ଚୁପ୍ ମିଳିବ । ଦହି ଗୁପ୍ଚୁପ୍ରୁ ଆରମ୍ଭ କରି ପୁଦିନା ସ୍ପେଶାଲ ଗୁପ୍ଚୁପ୍, ସ୍ପେଶାଲ ଗୁପ୍ଚୁପ୍ ମିଳିବ । ଲୋକଙ୍କ ମନ ପସନ୍ଦର ଗୁପ୍ଚୁପ୍ ଗୋଟିଏ ମାର୍କେଟରେ ଉପଲବ୍ଧ କରାଇବାକୁ ବିଏମ୍ସି ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ବିଏମ୍ସିର ବିଭିନ୍ନ ସ୍ଥାନରେ ମନଇଚ୍ଛା ଗୁପ୍ଚୁପ୍ ଦୋକାନ ଖୋଲୁଛି । ରାସ୍ତା କଡ଼ରେ ଏପରି ଅଘୋଷିତ ଗୁପ୍ଚୁପ୍ ଦୋକାନ ଖୋଲୁଥିବା ବେଳେ ରାସ୍ତାରେ ଭିଡ଼ ଜମୁଛି । ଗାଡ଼ି ପାର୍କିଂ ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଏହାକୁ ସୁବ୍ୟବସ୍ଥିତ କରିବାକୁ ବିଏମ୍ସି ଏପରି ଅଭିନବ ଉପାୟ ଆପଣାଇଛି । ଏହି ଗୁପ୍ଚୁପ୍ ଦୋକାନ ଖୋଲିବା ନେଇ ସମସ୍ତ ମହଲରୁ ସ୍ୱାଗତ କରାଯାଇଛି । ଓପନ ଭେଣ୍ଡିଂଜୋନ୍କୁ ସଫାସୁତୁରା କରିବାକୁ ବିଏମ୍ସି ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯିବ । ରାମମନ୍ଦିର ଖାଓ ଗଳି ଭଳି ପରିବେଶକୁ ପରିଷ୍କାର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନେ ହୁଇଲ ଅନ୍ ସପ୍ ଖୋଲିବେ । ଏନେଇ ଦୋକାନୀଙ୍କ ସର୍ଭେ କରାଯାଇ ଏକ ଚିଠା ପ୍ରସ୍ତୁତ କରିବାକୁ ଭେଣ୍ଡିଂ ଜୋନ୍ ଉପ-ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।