ନୂଆଦିଲ୍ଲୀ ୧୯/୧୦: ଉଜୟିନୀ ଏକ ନୂଆ ପ୍ରକାର ବିମାନର ଅନୁଭବ ପାଇବ, ଯାହା କଦାପି ଭୂମିଠୁ ଉପରକୁ ଉଠିବ ନାହିଁ । ସହରରେ ନୂଆ ବିମାନବନ୍ଦର ଖୋଲିବାକୁ ଯାଉଥିବାବେଳେ ସ୍ଥାନୀୟ ଅଞ୍ଚଳର ଦୁଇ ଭାଇ ଏକ ବିଶାଳ ବିଏସ୍ଏଫ୍ ବିମାନ କିଣିଛନ୍ତି । ଉଡ଼ିବାକୁ ନୁହେଁ, ବରଂ ବିଳାସପୂର୍ଣ୍ଣ ୫-ବଖରାବିଶିଷ୍ଟ ହୋଟେଲରେ ରୂପାନ୍ତରିତ କରିବାକୁ । ବିରେନ୍ଦ୍ର ଓ ପୁଷ୍ପେନ୍ଦ୍ର କୁଶୱାହା ଦିଲ୍ଲୀଠାରେ ବିଏସ୍ଏଫ୍ ଟେଣ୍ଡର ଜରିଆରେ ୪୦ ଲକ୍ଷ ଟଙ୍କା ଦେଇ ଏକ ଅବସରପ୍ରାପ୍ତ ବିଏସ୍ଏଫ୍ କାର୍ଗୋ ବିମାନ କିଣିଛନ୍ତି । ୨୦୦୯ରେ ଅବସରପ୍ରାପ୍ତ ଏହି ଆଭ୍ରୋ ମଡେଲ ବିମାନ ଉଜ୍ଜୟିନୀରେ ପହଞ୍ଚି ସାରିଛି ।
ଉଡ୍ଡୟନ କ୍ଷେତ୍ରରେ କୁଶୱାହା ଭାଇଙ୍କର ଏହା ପ୍ରଥମ ପ୍ରୟାସ ନୁହେଁ । ପୂର୍ବରୁ ଦୁହେଁ ଏକ ହେଲିକପ୍ଟର କିଣିଥିଲେ । ଏଥର କିନ୍ତୁ ସେମାନେ ନିଜ ପାସନ୍କୁ ନୂଆ ସ୍ତରକୁ ନେଇଛନ୍ତି । ବିମାନକୁ ଦିଲ୍ଲୀରୁ ମଧ୍ୟପ୍ରଦେଶ ଆଣିବା ପାଇଁ ଅତିରିକ୍ତ ୫.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ସେମାନଙ୍କ ଫାର୍ମହାଉସ୍ରେ ଏହା ରହିବ ଏବଂ ପଞ୍ଚତାରକା ସୁବିଧାଯୁକ୍ତ ହୋଟେଲରେ ରୂପାନ୍ତରିତ ହେବ । ହୋଟେଲରେ ରୂପାନ୍ତରିତ ହେବା ପରେ ବିମାନର ବିଳାସପୂର୍ଣ୍ଣ ବଖରାରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିବ । ଫଟୋସୁଟ୍ ଓ ଉତ୍ସବ ପାଇଁ ବିମାନର ଉପଯୋଗ କରାଯିବ । କକ୍ପିଟ୍ର ପାଇଲଟ୍ ସିଟ୍ ପୂର୍ବ ଭଳି ରହିବ, ଯେଉଁଠି ଆଗନ୍ତୁକମାନେ ପାଇଲଟ୍ ୟୁନିଫର୍ମରେ ଫଟୋ ଉଠାଇପାରିବେ । ଆଗନ୍ତୁକ ଓ ସ୍ଥାନୀୟ ଲୋକଙ୍କ ପାଇଁ ଏହାକୁ ସୁନ୍ଦର ଅନୁଭବରେ ରୂପାନ୍ତର କରିବା ଦୁଇ ଭାଇଙ୍କ ଲକ୍ଷ୍ୟ । ଇନ୍ଦୋରରେ ପୂର୍ବରୁ ଦୁଇଟି ରେସ୍ତୋରାଁ ଥିମ୍ ବିମାନ ରହିଛି । କିନ୍ତୁ ପ୍ରଥମ ଥର ବିମାନ ହୋଟେଲର ମଜା ନେବେ ସ୍ଥାନୀୟ ବାସିନ୍ଦା ।