ଚୌଦ୍ୱାର-ଗୁରୁଡିଝାଟିଆ,୦୪/୧୧: ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଥିଲା ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ। କଳା ବଳଦକୁ ଧଳା କରିଥିବା ବାବା ଧବଳେଶ୍ଵରଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ ପାଇ ଶ୍ରଦ୍ଧାଳୁମାନେ ବେଶ୍ ଆନନ୍ଦିତ ହୋଇଥିଲେ। ଗଜଭୋଗ ପାଇ ବ୍ରତ ଉଦ୍‌ଯାପନ କରିବେ ବ୍ରତଧାରୀ । 

ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ମହାସମାରୋହରେ ପାଳିତ ହୋଇଯାଇଛି । ସୋମବାର ଦିନ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିଥିଲା ବେଳେ ଅପରାହ୍ଣରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା  ବୃଦ୍ଧି ପାଇଥିଲା । କଟକ, ଚୌଦ୍ୱାର ଓ ଆଠଗଡ଼ ରାସ୍ତା  ଦେଇ ପୀଠକୁ ଶ୍ରଦ୍ଧାଳୁଙ୍କୁ ଆଗମନ ହୋଇଥିଲା । ରାତି  ସୁଦ୍ଧା ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା  ଚୌଦ୍ୱାର ଏସ୍‌ଡିପିଓ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।  ​​​​​​​​​​​​​​

ସୋମବାରପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନଦୁର୍ଲଭ ବଡ଼ସିଂହାର ବେଶ ଦର୍ଶନ ସହିତ ଗଜଭୋଗ  ନେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି  ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପୀଠ । ପୀଠ ମଧ୍ୟରେ  ଥିବା ହୋଟେଲ, ମନ୍ଦିର ଦକ୍ଷିଣ ପାଶ୍ୱର୍, ବୁଢାଲିଙ୍ଗ ପାଶ୍ୱର୍ ଓ  ଅଭ୍ୟର୍ଥନା କେନ୍ଦ୍ର ପଡ଼ିଆରେ ଶ୍ରଦ୍ଧାଳୁମାନେ ବ୍ରତ ପାଳନ ପାଇଁ  ଠୁଳ ହୋଇଥିଲେ । ଏପରିକି ସକାଳୁ ଆସିଥିବା ଭକ୍ତମାନେ  ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ବ୍ରତ ପାଳନ କରିଥିବାରୁ  ବାହାରେ ନଖାଇ ଅତି ଶୁଦ୍ଧପୁତ ଭାବେ ଦୂରଦୂରାନ୍ତ ଗ୍ରାମରୁ  ସାଥୀରେ ଆଣିଥିବା ଚାଉଳ, ଆଳୁ, କଖାରୁ ଓ ବିଭିନ୍ନ ପ୍ରକାର  ପନିପରିବାରେ ଖାଦ୍ୟ ପ୍ରସ୍ତୁତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ  ଅର୍ପଣ କରି ଖାଇଥିଲେ । ରାତି ତମାମ ପୀଠରେ ଉଜାଗର  ରହି ବଡ଼ସିଂହାର ବେଶ ଦର୍ଶନ କରିବା ସହ ଗଜଭୋଗ ନେଇ  ମଙ୍ଗଳବାର ପ୍ରତ୍ୟୁଷରୁ ଘରକୁ ଫେରିଛନ୍ତି ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟ କରି ପୁଲିସ ଅଧିକାରୀମାନଙ୍କ ସହ  ୧୦ଜଣ ମାଜିଷ୍ଟ୍ରେଟ୍‌ଙ୍କ ସହ ୧୫ପ୍ଲାଟୁନ୍‌ ଫୋର୍ସ ନଦୀ ଘାଟ, କଂକ୍ରିଟ୍‌  ସେତୁ ଓ ମନ୍ଦିରର ବିଭିନ୍ନ ସ୍ଥାନରେ ତୀକ୍ଷଣ୍‌ ନଜର ରଖିଛନ୍ତି ।  ବାବାଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ସୋମବାର ସକାଳୁ  ଭିଡ଼ ବଢ଼ିଥିଲା । ଏହାକୁ ନଜରରେ ରଖି ଦେବୋତ୍ତର ପ୍ରଶାସନ  ଓ ପୂଜକ ସମାଜ ପକ୍ଷରୁ ରବିବାର ରାତି ୨ଟାରେ ପହଡ଼  ଖୋଲାଯାଇ ମଙ୍ଗଳ ଆଳତୀ କରିବାସହ ମହାନଦୀରୁ ୧୦୮ଗରା  ଜଳସହିତ ଚନ୍ଦନ ଓ ଅଗୁର ମିଶ୍ରିତ ଜଳରେ ଧବଳେଶ୍ୱରଙ୍କୁ  ଜଳାଭିଷେକ କରାଯାଇ ସ୍ନାନନୀତି ସମ୍ପନ୍ନ ହୋଇଥିଲା । ଭୋର  ୪ଟା ସମୟରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଥିଲା ।  ବାବା ଧବଳେଶ୍ୱରଙ୍କ ଦୁର୍ଲଭ ବଡ଼ସିଂହାର ବେଶ ଦର୍ଶନ କରିଥିଲେ  ଶ୍ରଦ୍ଧାଳୁ । ବଡ଼ଓଷା ନୀତି ପାଇଁ ଧବଳେଶ୍ୱରଙ୍କ ନିକଟରେ ତିନି  ଧୂପସହ ୫ଟି ଅବକାଶ କରାଯାଇଥିଲା । ବିଳମ୍ବିତ ରାତିରେ ଗଜ  ଭୋଗ ଲାଗି କରାଯାଇ ବାବା ଧବଳେଶ୍ୱର ହରିହର ବେଶରେ  ଦର୍ଶନ ଦେଇଥିବା ପୂଜକ ସମାଜ ସଂପାଦକ ନରେନ୍ଦ୍ର ପଣ୍ଡା  ସୂଚନା ଦେଇଛନ୍ତି । ଏଥିପାଇଁ ପୁଲିସ ମଧ୍ୟ ସଜାଗ ରହିବା ସହ  ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳା ଦର୍ଶନ କରିପାରିବେ ସେ  ଦିଗରେ ସମସ୍ତ ବନ୍ଦୋବସ୍ତ କରିଥିଲା । ପୀଠରେ ଗ୍ରାମାଞ୍ଚଳ ଏସ୍‌ପି  ବିନିତ ଅଗ୍ରୱାଲ୍‌, ଆଠଗଡ଼ ଉପଜିଲ୍ଲାପାଳ ପ୍ରହ୍ଲାଦ ନାରାୟଣ  ଶର୍ମାଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

​​​​​​​

​​​​​​​​​​​​​​