ଭୁବନେଶ୍ୱର,୧୮/୯ : ବାଉଁଶ ଶିଳ୍ପୀଙ୍କ ମୁହଁରେ ହସ ଫୁଟାଇବେ ରାଜ୍ୟ ସରକାର । ସାରା ବିଶ୍ୱରେ ପହଞ୍ଚିବ ଓଡ଼ିଶାର ବାଉଁଶ ଶିଳ୍ପୀଙ୍କ ହସ୍ତଶିଳ୍ପ । ଏଣିକି ସରକାର ସିଧାସଳଖ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ କିଣିବେ । ଏଥିପାଇଁ ଖୁବଶୀଘ୍ର ଇ-କମର୍ସ ପୋର୍ଟାଲ ତିଆରି କରାଯାଇ ଲୋକାର୍ପଣ ହେବ । ସରକାରଙ୍କ ଦ୍ୱାରା ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କୁ ମନୋନୀତ କରାଯାଇ ସେମାନଙ୍କ ଉତ୍ପାଦକୁ କିଣାଯାଇ ପୋର୍ଟାଲ ମାଧ୍ୟମରେ ବିକ୍ରି କରାଯିବ । ଏହି ପଦକ୍ଷେପ ଦ୍ୱାରା ଆଉ କୌଣସି ଏନଜିଓ କିମ୍ବା ମଧ୍ୟସ୍ତିମାନେ ବାଉଁଶ ଶିଳ୍ପୀଙ୍କ ଉତ୍ପାଦକୁ ମନଇଚ୍ଛା କିଣିପାରିବେ ନାହିଁ ବୋଲି ଓଡ଼ିଶା ବାଉଁଶ ବିକାଶ ପରିଷଦ(ଓବିଡିଏ) ପକ୍ଷରୁ କୁହାଯାଇଛି ।
ରାଜ୍ୟର ସମସ୍ତ ଜିଲ୍ଲାରେ ବାଉଁଶ କାରିଗର ରହିଛନ୍ତି । ଏଥିରେ ସ୍ୱୟଂ ସହାୟକ ମହିଳାଙ୍କ ସହ ବିଭିନ୍ନ ହସ୍ତଶିଳ୍ପୀମାନେ ମଧ୍ୟ ଜଡ଼ିତ ଅଛନ୍ତି । ବାଉଁଶରୁ ଫଟୋ ଫ୍ରେମ୍, ବାମ୍ବୋ ସିପ୍ କ୍ରାଫ୍ଟ, ଫୁଲ ଦାନି, ପଶୁପକ୍ଷୀଙ୍କ କଳାକୃତି, ବିଭିନ୍ନ ଠାକୁରଙ୍କ ପ୍ରତିମୂର୍ତ୍ତି, ହ୍ୟାଙ୍ଗିଂ ଲାଇଟ୍, ମନି ପ୍ଲାଣ୍ଟ ହ୍ୟାଙ୍ଗର ସହ ଚେୟାର, ବେଞ୍ଚ୍, ଟେବୁଲ ଆଦି ତିଆରି ହେଉଛି । ଏହି ସାମଗ୍ରୀକୁ ବିଭିନ୍ନ ଏନଜିଓମାନେ ଶାଗମାଛ ଦରରେ କିଣିନେଇଯାଆନ୍ତି ଓ ବିଭିନ୍ନ ବେପାରୀଙ୍କୁ ଅଧିକ ଟଙ୍କାରେ ବିକି ଦିଅନ୍ତି । ଫଳରେ ଶିଳ୍ପୀଙ୍କୁ ଠିକ୍ ଦର ମିଳିନଥାଏ । ତେଣୁ ମଧ୍ୟସ୍ତିଙ୍କୁ ହଟାଇ ସରକାର ଶିଳ୍ପୀଙ୍କ ପାଖରେ ପହଞ୍ଚିବେ ।
ରାଜ୍ୟ ସରକାରଙ୍କ ‘ବାଉଁଶ ମିଶନ୍’ ଯୋଜନା ଅନ୍ତର୍ଗତ ଏବେ ଶିଳ୍ପୀଙ୍କ ଉତ୍ପାଦିତ ବାଉଁଶ ତିଆରି ହସ୍ତଶିଳ୍ପ ଅନଲାଇନ୍ ଯୋଗେ ବିକ୍ରି ହେବ । ଏଥିପାଇଁ ଓବିଡିଏ ସ୍ୱତନ୍ତ୍ର ଯୋଜନା ଆଣିଛି । ଓବିଡିଏର ନିଜସ୍ୱ ଅନଲାଇନ୍ ଇ-କର୍ମସ ପୋର୍ଟାଲରେ ହସ୍ତଶିଳ୍ପ ପ୍ରଦର୍ଶିତ ହେବ । ସେଥିରେ ଉକ୍ତ ସାମଗ୍ରୀକୁ ତିଆରି କରିଥିବା କ୍ଲଷ୍ଟର ଓ ଦର ରହିବ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ ଓ କଟକ ଭଳି ୪ଟି ଜିଲ୍ଲାରୁ ବଛା ଯାଇଥିବା ୪ଟି କ୍ଲଷ୍ଟରରୁ ବାଉଁଶ ତିଆରି ହସ୍ତଶିଳ୍ପ କିଣାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରୁ କ୍ଲଷ୍ଟରକୁ ଚୟନ କରାଯିବା ସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଇ-କର୍ମସ ପୋର୍ଟାଲ ସହ ଯୋଡ଼ାଯିବ । ତେଣୁ ସାରା ବିଶ୍ୱରେ ଓଡ଼ିଶାର ବାଉଁଶ ହସ୍ତଶିଳ୍ପ ପହଞ୍ଚିବ । ଏଥିପାଇଁ ଓବିଡିଏ ସର୍ଭେ ଆରମ୍ଭ କରିଛି । ବାରିପଦାର ସଫଳ ବାଉଁଶ ଚାଷୀ ଗୋବିନ୍ଦ ମହାପାତ୍ର, ବାଲେଶ୍ୱରର ସରୋଜିନୀ ଦାଶ, ବାଙ୍କିର ଏକଦଶୀ ବାରିକ ପ୍ରମୁଖ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଏହି ଯୋଜନା ଶିଳ୍ପୀଙ୍କ ପାଇଁ ବୁଷ୍ଟରଡୋଜ୍ ହେବ ବୋଲି ସେମାନେ କହିଛନ୍ତି ।
ଅପରପକ୍ଷେ, ବାଉଁଶ ନର୍ସରୀକୁ ନେଇ ସରକାର ଚିନ୍ତାରେ ଅଛନ୍ତି । ସଂପ୍ରତି ରାଜ୍ୟରେ କୌଣସି ସରକାରୀ ବାଉଁଶ ନର୍ସରୀ ନାହିଁ । ଯାହା ଥିଲା ବନ୍ଦ ହୋଇଯାଇଛି । ତେଣୁ ଅଧିକ ନର୍ସରୀ ସୃଷ୍ଟି ପାଇଁ ଓବିଡିଏ ‘ନର୍ସରୀ ଆକ୍ରିଡେସନ୍ କମିଟି’ ତିଆରି କରିଛି । ଏହାମାଧ୍ୟମରେ ଘରୋଇ ନର୍ସରୀ ସହ ସରକାର ଯୋଡ଼ିହେବେ । ନର୍ସରୀକୁ ପ୍ରୋତ୍ସାହନ ମିଳିବ । ନିକଟରେ ବ୍ରହ୍ମପୁରରେ ଥିବା ଏକ ନର୍ସରୀକୁ ମାନ୍ୟତା ମିଳିଛି । ଚଳିତବର୍ଷ ସାରା ରାଜ୍ୟରେ ଥିବା ୧୦୦ ହେକ୍ଟର ଜମିରେ ବାଉଁଶ ଚାରା ରୋପଣ ଯୋଜନା ହୋଇଥିଲା । ହେଲେ ଚାରା ଅଭାବରୁ ମାତ୍ର ୫୦ ହେକ୍ଟରରେ ଚାରା ଲାଗିପାରିଛି ।