ନୂଆଦିଲ୍ଲୀ,୨୩/୧୦: ଆଗାମୀ ୩ରୁ୪ ମାସରେ ବ୍ୟାଙ୍କିଙ୍ଗ୍ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ୨୦୨୬ରୁ ନୂଆ ନିୟମ କାର୍ଯ୍ୟକାରୀ ହେବ । ପ୍ରସ୍ତାବିତ ସଂସ୍କାର ମୁତାବକ, ସାଇବର ଅପରାଧ ମାମଲାରେ ଯଦି ଜଣେ ଗ୍ରାହକ ୩ ଦିନ ମଧ୍ୟରେ ସୂଚନା ଦିଅନ୍ତି ତେବେ ତାଙ୍କୁ ଉତ୍ତରଦାୟୀ କରାଯାଇପାରିବ ନାହିଁ । ଏଭଳି ମାମଲାରେ ବ୍ୟାଙ୍କ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନ ନେଲେ ୨୫ ହଜାର ଟଙ୍କା ଯାଏ ଜରିମାନା ଗଣିବେ । ଚୋରି କିମ୍ବା ଦାୟିତ୍ୱହୀନତା କ୍ଷେତ୍ରରେ ଲକରର ୧୦୦ ଗୁଣା ଜରିମାନା ଭରିବେ ବ୍ୟାଙ୍କ ।
ଆର୍ବିଆଇ ୨୩୮ ନିୟମର ଏକ ଡ୍ରାଫ୍ଟକୁ ଲୋକଙ୍କ ପାଇଁ ଜାରି କରିଛି । ୧୦ ନଭେମ୍ବର ସୁଦ୍ଧା ଏହା ଉପରେ ଲୋକେ ମତାମତ ରଖିବେ । ଆର୍ବିଆଇର ପୂର୍ବତନ ଗଭର୍ଣ୍ଣର ଆର୍ ଗାନ୍ଧୀ କହିଛନ୍ତି, ନିୟାମକ ଆଇନକୁ ନେଇ ପ୍ରଥମ ଥର ଡ୍ରାଫ୍ଟ ଲୋକଙ୍କ ପାଇଁ ଜାରି କରାଯାଇଛି । ଲୋକଙ୍କ ମତାମତ ଜାଣିବାକୁ ଚାହୁଁଛି କେନ୍ଦ୍ରୀୟ ବ୍ୟାଙ୍କ ।
ସାଧାରଣ ବ୍ୟାଙ୍କ ଖାତାଗୁଡ଼ିକର କେୱାଇସି ୧୦ ବର୍ଷରେ ଥରେ, ମଧ୍ୟମ ବର୍ଗ ବିପଦରେ ଥିବା ବ୍ୟାଙ୍କ ଆକାଉଣ୍ଟ କେୱାଇସି ୮ ବର୍ଷ ଏବଂ ଉଚ୍ଚ ରିସ୍କ ଆକାଉଣ୍ଟଗୁଡ଼ିକ କ୍ଷେତ୍ରରେ କେୱାଇସି ୨ ବର୍ଷ ଲାଗି ପ୍ରସ୍ତାବ ରହିଛି । ସେହିଭଳି ଋଣ ଉପରେ ସୁଧହାର ନିଷ୍ପତ୍ତି ଲାଗି ଏକକ ଫର୍ମୁଲା ଲାଗୁ ନେଇ ମଧ୍ୟ କହିଛି ଆର୍ବିଆଇ । ସମସ୍ତ ଋଣ ଉପରେ କିସ୍ତି ଖିଲାପି କ୍ଷେତ୍ରରେ ଲାଗୁ ଥିବା ଜରିମାନା ମଧ୍ୟ ବାଦ ପଡ଼ିବ । ୭୦ ବର୍ଷରୁ ଊଦ୍ଧ୍ୱର୍ ଗ୍ରାହକ ଘରେ ବସି ବ୍ୟାଙ୍କ ସେବା ଲାଭ କରିବେ । ଏଭଳି ପ୍ରମୁଖ ପ୍ରସ୍ତାବ ଉପରେ ବିଚାର କରିବା ପରେ ଆର୍ବିଆଇ ୨୦୨୬ ଜାନୁଆରୀ ପହିଲାରୁ ଏପ୍ରିଲ ପହିଲା ମଧ୍ୟରେ ଚୂଡ଼ାନ୍ତ ନିୟମ ଲାଗୁ କରିବାକୁ ଯୋଜନା ରଖିଛି । ଆର୍ବିଆଇ ୱେବ୍ସାଇଟ୍ ଆର୍ବିଆଇ ଡଟ୍ ଓଆର୍ଜି ଡଟ୍ ଇନ୍କୁ ଯାଇ ଲୋକମାନେ ନିଜ ମତାମତ ରଖିପାରିବେ ।
ନୂଆ ନିୟମ ଲାଗୁ ହେଲେ ଲକରରୁ ହେଉଥିବା ଚୋରିକୁ ନେଇ ବ୍ୟାଙ୍କଗୁଡ଼ିକର ଉତ୍ତରଦାୟିତ୍ୱ ବଢ଼ିବ । ବର୍ତ୍ତମାନ କ୍ଲେମ୍ ସେଟେଲ୍ମେଣ୍ଟ୍ର କୌଣସି ସମୟସୀମା ନାହିଁ । ଆଗକୁ ଏହା ୧୫ ଦିନ ରହିପାରେ । ଫଳରେ ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ହେବ । ସାଇବର ଠକେଇ ମାମଲାଗୁଡ଼ିକରେ ବ୍ୟାଙ୍କ ଗୁଡ଼ିକର ଉତ୍ତରଦାୟିତ୍ୱ ବଢ଼ିବ। ଆଗକୁ ବାରମ୍ବାର କେୱାଇସି କରାଇବାରୁ ମୁକ୍ତି ମିଳିବ । କେୱାଇସି ଲାଗି ବ୍ୟାଙ୍କ ଏଜେନ୍ସି ନିଯୁକ୍ତ କରିପାରିବେ ନାହିଁ । ଫଳରେ ଗ୍ରାହକଙ୍କ ଡାଟା ସୁରକ୍ଷିତ ରହିବ ।
ବରିଷ୍ଠ ନାଗରିକଙ୍କ ଲାଗି ଘର ଦ୍ୱାରା ଦେଶରେ ବ୍ୟାଙ୍କ ସେବା ପାଇବା ସହଜ ହେବ । ଏକୀକୃତ ପ୍ରଣାଳୀରେ ଋଣ ଉପରେ ସୁଧ ହାର ନିଷ୍ପତ୍ତି ହେବାକୁ ଥିବାରୁ ବ୍ୟାଙ୍କ ଆହୁରି ପାରଦର୍ଶୀ ହେବେ । ସୁଧହାର କ୍ଷେତ୍ରରେ ତାରତମ୍ୟ ହଟିବ । ଋଣ ଉପରେ ଅତିରିକ୍ତ ଚାର୍ଜ ଲାଗୁ ହେବନି । ବ୍ୟାଙ୍କଗୁଡ଼ିକ ସୁଧ, ଫି, ଜରିମାନା ସମ୍ପର୍କରେ ସ୍ପଷ୍ଟ କରିବେ ।
ଅଣ-ଦାବିଦାର ଜମା ଦାବି ଆସିଲେ ଅର୍ଥ ତ୍ୱରିତ ଫେରାଇବେ ବ୍ୟାଙ୍କ । ଲଟେରୀ ଏବଂ ଚିଟ୍ଫଣ୍ଡ ଭଳି ଆକାଉଣ୍ଟଗୁଡ଼ିକ ଉପରେ ବ୍ୟାନ ଲାଗିବ । ପେମେଣ୍ଟ ଏବଂ ଖିଲାପୀ ସମ୍ପର୍କିତ ତଥ୍ୟ ପ୍ରତି ମାସ ୧୫ରେ ଅପଡେଟ ହେବ । ଜବତ ସମ୍ପତ୍ତି ସମ୍ପର୍କରେ ପ୍ରତିମାସ ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ । ୨୦ ଲକ୍ଷରୁ ଊଦ୍ଧ୍ୱର୍ ବାସଗୃହ ଋଣ ଉପରେ ୮୦% ଅର୍ଥ ମିଳିବ । ଡିଜିଟାଲ ଋଣ କ୍ଷେତ୍ରରେ ଅତିକମ୍ରେ ଗୋଟିଏ ଦିନର ଫୁଲିଙ୍ଗ୍ ମିଳିବ । ଫଳରେ ଋଣ ରଦ୍ଦ କରିବାର ସମୟ ମିଳିବ । ଋଣ ପଇଠର ୩୦ ଦିନ ମଧ୍ୟରେ ବ୍ୟାଙ୍କ ଏବଂ ଆର୍ôଥକ ପ୍ରତିଷ୍ଠାନ ନେଇଥିବା ଦସ୍ତାବିଜ ଫେରାଇବେ । ନିୟମ ଉଲ୍ଲଂଘନରେ ଦୈନିକ ୫ ହଜାର ଜରିମାନା ଲାଗିବ । ସୁନା ଋଣ ନିଲାମୀ କ୍ଷେତ୍ରରେ ଗ୍ରାହକଙ୍କ ଉପସ୍ଥିତିରେ ଶପଥ ପତ୍ର ଅନିବାର୍ଯ୍ୟ ହେବ । ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡ଼ିକର କର୍ମଚାରୀମାନେ ସମ୍ପତ୍ତି ସୂଚନା ଦେବେ । ଫଳରେ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱ ବଢ଼ିବ । ସମ୍ବେଦନଶୀଳ ପଦବୀଗୁଡ଼ିକରେ ଥିବା ବ୍ୟାଙ୍କ କର୍ମଚାରୀଙ୍କୁ ୧୦ ଦିନର ଅନିବାର୍ଯ୍ୟ ଛୁଟି ନେଇ ପ୍ରସ୍ତାବ ଦେଇଛି ଆର୍ବିଆଇ ।