ନୂଆଦିଲ୍ଲୀ: ବେଙ୍ଗାଲୁରୁ ଗିଗ୍ ୱାର୍କରଙ୍କ ହତ୍ୟା ମାମଲାରେ ପୋଲିସ ଏକ ଦମ୍ପତ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ଏହି ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚାହୁଁଥିଲେ ବୋଲି ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି। ଖବର ମୁତାବକ, ଗତ ଅକ୍ଟୋବର ୨୫ ତାରଖ ରାତିରେ ଗିଗ୍ ୱାର୍କର ଦର୍ଶନ ଓ ତାଙ୍କ ସାଙ୍ଗ ବରୁଣଙ୍କ ସହ କାମରୁ ଫେରୁଥିବା ବେଳେ ଏକ କାର ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଏକ କାର ତାଙ୍କ ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଘଟଣା ଶ୍ରୀ ରାମ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଘଟିଥିଲା।
ସୂଚନା ମୁତାବକ, ରାତି ପ୍ରାୟ ୧୧ଟା ୩୦ ମନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦର୍ଶନ ଓ ବରୁଣ ସାଙ୍ଗ ହୋଇ ଏକ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଯାହାଫଳରେ ଦର୍ଶନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ତାଙ୍କ ସାଙ୍ଗ ବରୁଣ ଗୁରୁତର ଆହତ ହୋଇପଡିଥିଲେ।
VARUN'S GRIEF CAUGHT ON CAMERA IS THE CRY OF INJUSTICE. HEARTBREAKING.
— Rahul Shivshankar (@RShivshankar) October 30, 2025
In a chilling case of road rage, a couple has been arrested in Bengaluru for allegedly chasing down and deliberately ramming their car into a bike, killing one of the riders on the spot. Manoj Kumar and… pic.twitter.com/Bd2GYBn9jY
ପ୍ରାଥମିକ ପର୍ଯ୍ୟାୟରେ ଜେପି ନଗର ଟ୍ରାଫିକ ଥାନା ପକ୍ଷରୁ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ଭାବେ ମାମଲା ଦାଏର କରାଯାଇଥିଲା। ତେବେ ପରେ ସିସିଟିଭି ଫୁଟେଜର ଜାଞ୍ଚରୁ ଜଣାପଡିଥିଲା ଯେ, ଉକ୍ତ କାରଟି ଯୋଜନାପୂର୍ଣ୍ଣ ଭାବେ ବାଇକକୁ ପିଛା କରିବା ସହ ଧକ୍କା ଦେଇଥିଲା। ଯାହା ଦୁର୍ଘଟଣା ନୁହେଁ ବରଂ ଏକ ପୂର୍ବ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଥିଲେ।
ଏ ସମ୍ପର୍କରେ ସୂଚନା ଦେଇ ଡିସିପି(ଦକ୍ଷିଣ) ଲୋକେଶ ଜଗଲାସୁର କହିଛନ୍ତି ଯେ, “ଏହି ଘଟଣା ଘଟିବା ପୂର୍ବରୁ, ଦର୍ଶନଙ୍କ ବାଇକ କାର ସହ ଘଷିହୋଇଯାଇଥିଲା। ଫଳରେ ଉକ୍ତ କାରର ଏକ ସାଇଡ ମିରର ଭାଙ୍ଗିଯାଇଥିଲା। ଯାହାଫଳରେ ଉକ୍ତ କାର ଡ୍ରାଇଭର ଜଣକ ଉତ୍ତ୍ୟକ୍ତ ହୋଇପଡି ଦର୍ଶନଙ୍କ ବାଇକକୁ ପଛଆଡୁ ଧକ୍କା ମାରିଥିଲେ।”
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ନାମ ମନୋଜ ଶର୍ମା ହୋଇଥିବା ବେଳେ ସେ ଜଣେ ଶାରୀରିକ ଶିକ୍ଷା ଶିକ୍ଷକ ଭାବେ କାମ କରୁଥିବା ଜଣାପଡିଛି। ଅନ୍ୟ ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ପତ୍ନୀ ଆରତୀ। ସେ ଦୁର୍ଘଟଣା ଘଟିବାର କିଛି ସମୟ ପରେ ଦୁର୍ଘଟଣା ସ୍ଥଳକୁ ଫେରି ଭାଙ୍ଗିଯାଇଥିବା ଭଙ୍ଗା କାରର ଅଂଶ ଗୁଡିକୁ ଏକାଠି କରି ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ଦୁର୍ଘଟଣା ମାମଲାକୁ ଧାରା ୩୦୨ ଅଧିନରେ ଏକ ହତ୍ୟା ମାମଲା ଦାଏର କରାଯାଇଛି। ଏହାସହ ପ୍ରମାଣ ନଷ୍ଟ ଅଭିଯୋଗ ମଧ୍ୟ ରୁଜୁ କରାଯାଇଛି। ପୋଲିସ ଉଭୟ ଦମ୍ପତ୍ତିଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି। ଏ ମାମଲାରେ ଅଧିକ ଯାଞ୍ଚ ପାଇଁ ପୋଲିସ ତଦନ୍ତ ଜାରି ରହିଛି।