ବ୍ରହ୍ମପୁର,୦୯/୧୦: ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ୧୧୯ଜଣ ଅଭିଯୁକ୍ତଙ୍କ  ଜାମିନ ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)  କୋର୍ଟରେ ପର୍ଯ୍ୟାୟ କ୍ରମେ ଖାରଜ ହୋଇଛି । ଏହା ଏକ ସାଂଘାତିକ ଅପରାଧ ଏବଂ ମାଷ୍ଟରମାଇଣ୍ଡ ସହ ଅନ୍ୟ ଅଭିଯୁକ୍ତମାନେ ଧରାପଡିନାହାନ୍ତି । ଅଭିଯୁକ୍ତମାନେ ଜାମିନ୍‌ରେ ଜେଲ୍‌ରୁ ମୁକୁଳିବା ପରେ ତଦନ୍ତରେ  ବାଧା ସୃଷ୍ଟି ହେବା ଆଶଙ୍କା କରି କୋର୍ଟ ଜାମିନ୍‌ ଖାରଜ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ପବ୍ଲିକ୍‌ ପ୍ରସିକ୍ୟୁଟର ବିଶ୍ୱଜିତ୍‌ ବରାଳ । ପରବର୍ତ୍ତୀ ସମୟରେ  ଏହି ମାମଲାର ଜାମିନ ଆବେଦନ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟରେ ହେବ । ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି ।  

ଗତ ୩୦ ତାରିଖରେ ବ୍ରହ୍ମପୁର ଗୋଳନ୍ଥରା ଥାନା  ପୁଲିସ ୧୧୪ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ କୋର୍ଟଚାଲାଣ କରିଥିଲା । କ୍ରାଇମ୍‌ବ୍ରାଞ୍ଚ ଏହି ମାମଲା  ତଦନ୍ତ ଦାୟିତ୍ୱ ନେବା ପରେ ଆଉ ଦୁଇଜଣ ଦଲାଲଙ୍କୁ  କୋର୍ଟ ଚାଲାଣ କରିଛି । କିନ୍ତୁ ଏହି କେସ୍‌ରେ ସଂପୃକ୍ତ  ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ କ୍ରାଇମ୍‌ବ୍ରାଞ୍ଚ ବିଫଳ  ହୋଇଛି । ବିଶେଷ ଭାବେ ଏତେ ବଡ଼ ର‌୍ୟାକେଟ୍‌କୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟ ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ଚଳାଉଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପଷ୍ଟ କରିଥିବା ବେଳେ ଅଦ୍ୟାବଧି ଉକ୍ତ ମୁଖ୍ୟ କାର୍ପଟଦାର ଶଙ୍କରକୁ  ଧରିବାରେ ସଫଳତା ମିଳିନି । ଶଙ୍କର ଏବେ ରାଜ୍ୟ  ବାହାରେ ଆତ୍ମଗୋପନ କରିଥିବା କୁହାଯାଉଛି । ଏହି ର‌୍ୟାକେଟ୍‌ ପଛରେ ଅନେକ ବଡ଼ ମୁଣ୍ଡ ସଂପୃକ୍ତ ଥିବା  ତଦନ୍ତରେ ଜଣାପଡିଛି । କିନ୍ତୁ ସେମାନଙ୍କ ପାଖରେ ବି ପହଞ୍ଚିପାରିନି କ୍ରାଇମ୍‌ବ୍ରାଞ୍ଚ । ଚାକିରି ଆଶାୟୀମାନଙ୍କୁ  ଏବଂ ଟଙ୍କା ଲୋଭରେ କାମ କରୁଥିବା କିଛି ଦଲାଲଙ୍କୁ  ଗିରଫ କରାଯାଇଛି । ହେଲେ ଶଙ୍କରକୁ କିଏ ପ୍ରଶ୍ନପତ୍ର ଦେଉଥିଲେ ତାହା ଆଜି ପର୍ଯ୍ୟନ୍ତ ଖୁଲାସା ହୋଇନାହିଁ ।  

ଶଙ୍କରର ନିଯୁକ୍ତି ଜାଲିଆତି ର‌୍ୟାକେଟ୍‌ ନୂଆ ନୁହେଁ । ୨୦୧୩ରୁ ତା’ର ଗୋଟିଏ ପରେ ଗୋଟିଏ  ଅପରାଧ ପଦାକୁ ଆସିଛି । ହତ୍ୟା ମାମଲାଠାରୁ ଆରମ୍ଭ  କରି ନିଯୁକ୍ତି ଜାଲିଆତି ସବୁ ଅପରାଧକୁ ନିୟନ୍ତ୍ରଣ  ଶଙ୍କର କରୁଥିବା ବେଳେ ପୂର୍ବରୁ କେବେ ସେ ଗିରଫ  ହୋଇନଥିବା ଜଣାପଡିଛି । ଏଥିରୁ ଜଣାପଡୁଛି ଶଙ୍କରକୁ  ମଧ୍ୟ କେହି ଜଣେ ବଡ଼ମୁଣ୍ଡ ସହଯୋଗ କରୁଥିଲେ ।  ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତିରେ ପ୍ରାୟ ୨୯ କୋଟି ଟଙ୍କାର ଡିଲ୍‌ ହୋଇଥିବା ବେଳେ କାହା ଭାଗରେ  କେତେ ଥିଲା ସ୍ପଷ୍ଟ ହୋଇପାରି ନାହିଁ । ଶଙ୍କର ପୃଷ୍ଟି ଓ ତାଙ୍କ ମୁଖ୍ୟ ସହଯୋଗୀମାନଙ୍କ ପାଖରେ କ୍ରାଇମ୍‌ବ୍ରାଞ୍ଚ  ଅଦ୍ୟାବଧି ପହଞ୍ଚିପାରିନାହିଁ ।

ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତି ଜାଲିଆତିରେ  ଜଣେ ପରୀକ୍ଷାର୍ଥୀ ୨୫ଲକ୍ଷ ଟଙ୍କା ଦେବାକୁ ଡିଲ୍‌  ହୋଇଥିଲା । ଗତ ୨୯ ତାରିଖରେ ୧୧୪ଜଣ  ପରୀକ୍ଷାର୍ଥୀଙ୍କୁ ୩ଟି ବସ୍‌ରେ ବିଜୟନଗରମ୍‌ ନିଆଯାଉଥିଲା । ସେଠାକୁ ପ୍ରଶ୍ନପତ୍ର ଆସିଥାନ୍ତା । ପରୀକ୍ଷାର୍ଥୀ ୩ଦିନ ପ୍ରାକ୍ଟିସ୍‌ କରିବା ପରେ  ପରୀକ୍ଷାକେନ୍ଦ୍ରକୁ ଆସି ପରୀକ୍ଷା ଦେଇଥାନ୍ତେ ।  ଏହାପୂର୍ବରୁ ବ୍ରହ୍ମପୁର ଏସ୍‌ପି ଡା.ସର୍‌ବଣା ବିବେକ  ଏମ୍‌ଙ୍କ ନେତୃତ୍ୱରେ ୩ଟି ପୁଲିସ ଟିମ୍‌ ଶ୍ରୀକାକୁଲମ୍‌ରେ  ଏହି ବସ୍‌ ଅଟକାଇଥିଲେ । ସେମାନଙ୍କୁ କଡ଼ା ସୁରକ୍ଷା  ଭିତରେ ବ୍ରହ୍ମପୁର ଅଣାଯାଇଥିଲା । ଏହି ୩ଟି  ବସ୍‌କୁ ଭୁବନେଶ୍ୱରର ଏକ ଟ୍ରାଭେଲ୍ସ ଜରିଆରେ  ନିଆଯାଇଥିଲା । ୩ଟି ବସ୍‌ରେ ୬ଜଣ ଡ୍ରାଇଭର ଥିଲେ ।  ୬ଜଣ ଡ୍ରାଇଭରଙ୍କ ବୟାନ ରେକର୍ଡ କରାଯାଇଛି ।  ଗୋଳନ୍ଥରା ଥାନା ପୁଲିସ କୋର୍ଟକୁ ବୟାନ ରେକର୍ଡ  କରିବାକୁ ଆବେଦନ କରିଥିଲା । ବୁ ଏମାନଙ୍କ ବୟାନ  ରେକର୍ଡ କରାଯାଇଛି । ବସ୍‌ର ଡ୍ରାଇଭର ଆନ୍ଧ୍ରପ୍ରଦେଶର ଏ.ଭାନୁପ୍ରକାଶ, ଏସ୍‌ କେ ଚନ୍ଦ୍ରଶେଖର, ଜେ.ଡାନିଏଲ୍‌,  ଏମ୍‌.ଗାନା ଶେଖର, ପି.ସତୀଶ, ଏମ୍‌.ହରିକ୍ରିଷ୍ଣାଙ୍କୁ  ପୁଲିସ କୋର୍ଟରେ ହାଜର ହୋଇ ବୟାନ ଦେଇଛନ୍ତି ।