ଭୁବନେଶ୍ବର: ଭୁବନେଶ୍ୱର ଜନତା ମଇଦାନ ରେ “୧୨ତମ ଭୁବନେଶ୍ବର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫” ଉଦ୍ଘାଟିତ ହୋଇଛି। ଏଥର ପୂଜା ବଜାରକୁ ଆଖି ଆଗରେ ରଖି ମେଳା ଆରମ୍ଭ ହୋଇଛି। ଆଜିଠୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ମେଳା ଚାଲିବ। ପ୍ରତିଦିନ ଅପରାହ୍ଣ ୨ଟା ୩୦ରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ ଏହି ମେଳା ।
ଅନ୍ତର୍ଜାତୀୟ ସ୍ତରରୁ ପାଖାପାଖି ୮ ଗୋଟି ଦେଶ ଓ ଦେଶର ୨୨ ଟି ରାଜ୍ୟର ପାରମ୍ପରିକ ସାମଗ୍ରୀ, ହସ୍ତତନ୍ତ ସହିତ ବିଭିନ୍ନ ଆସବାବ ପତ୍ର ବିକ୍ରି ହେବ । ଆଫଗାନିସ୍ତାନର ୧୦୦ ପ୍ରକାରର ଡ୍ରାଏ ଫ୍ରୁଟସ୍ , ଜର୍ମାନୀର ଜିଜାଇନର୍ ଲ୍ୟାମ୍ପ, ଇରାନ ଖଜୁରି, ଗହଣା ଓ ହର୍ବାଲ୍ ତେଲ, ଦୁବାଇର ସୁଗନ୍ଧ ଆଦି ସାମଗ୍ରୀ ମିଳିବ। ଏହାଛଡା ଥାଇଲ୍ୟାଣ୍ଡରୁ ଗହଣା, ପାଦୁକା ଓ ପୋଷାକ , କୋରିଆର ମହିଳାଙ୍କ ପାଇଁ ଆକସେସରିଜ୍ ବି ମିଳିବ ।
ସେହିଭଳି ଆମ ଦେଶର ଭାଗଲପୁର, ପଞ୍ଜାବ, ବନାରସ, ଜୟପୁର, ଓଡ଼ିଶା ଓ ପଶ୍ଚିମବଙ୍ଗରୁ ବସ୍ତ୍ର ଓ ଶାଢି, ସୌନ୍ଦର୍ଯ୍ୟ ସାମଗ୍ରୀ, ଇଲେକ୍ଟ୍ରିକାଲ ସାମଗ୍ରୀ ବି ମିଳିବ। କାଶ୍ମିରୀର କାର୍ଭିଙ୍ଗ, ପ୍ରାଚୀନ ସାମଗ୍ରୀ, ସୋଫା, ଡାଇନିଂ ସେଟ୍ ଓ ଝୁଲା ମିଳିବ । ତେବେ ଏହି ମେଳାର ବିଶେଷ ଆକର୍ଷଣ ରହିବ ଫୁଡ ଜୋନ୍, ଯେଉଁଠାରେ ବିଭିନ୍ନ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି । ଖାଦ୍ୟ ଭିତରେ ମୁଖ୍ୟ ଆକର୍ଷଣ ରହିଛି ଚମ୍ପାରଣ ଆହୁନା ମଟନ୍ ଆଗୁଆଣ । ଏହା crowd-puller ଭାବେ ପ୍ରସିଦ୍ଧି ହାସଲ କରିଛି। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଏହି ମେଳାକୁ ଆୟୋଜନ କରୁଛି। ଜଣଙ୍କ ପିଛା ଏଣ୍ଟ୍ରି ଫି ୫୦ ଟଙ୍କା ରହିଛି।