ନୂଆଦିଲ୍ଲୀ: ୟୁରୋପରେ ପୁଣି ଥରେ ବାର୍ଡ ଫ୍ଲୁର ବିପଦ ଦେଖାଦେଇଛି। ପ୍ରବାସୀ ପକ୍ଷୀ ଏବଂ କୁକୁଡ଼ା ଫାର୍ମରେ ସଂକ୍ରମଣର ନୂତନ ମାମଲା ନିଶ୍ଚିତ ହେବା ପରେ ଫ୍ରାନ୍ସ ସରକାର ଦେଶବ୍ୟାପୀ ଜାତୀୟ ସତର୍କତା ସ୍ତର ବୃଦ୍ଧି କରିଛନ୍ତି। ଉତ୍ତର ଫ୍ରାନ୍ସର ଦୁଇଟି ବାଣିଜ୍ୟିକ କୁକୁଡ଼ା ଫାର୍ମ ଏବଂ ତିନୋଟି ଛୋଟ ଘରୋଇ ଫାର୍ମରେ ଆଭିଆନ୍ ଇନଫ୍ଲୁଏଞ୍ଜା H5N1 ମାମଲା ରିପୋର୍ଟ କରାଯାଇଛି।
ଏନେଇ ଫ୍ରାନ୍ସ କୃଷି ମନ୍ତ୍ରଣାଳୟ କହିଛି ଯେ ଏହି ସଂକ୍ରମଣ କେବଳ ପକ୍ଷୀମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଏହା କୁକୁଡ଼ା ଶିଳ୍ପ, ଖାଦ୍ୟ ଯୋଗାଣ ଶୃଙ୍ଖଳା ଏବଂ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ଫ୍ରାନ୍ସ ସହିତ, ଗତ କିଛି ସପ୍ତାହ ମଧ୍ୟରେ ନେଦରଲ୍ୟାଣ୍ଡ ଏବଂ ସ୍ପେନରେ ମଧ୍ୟ ବାର୍ଡ ଫ୍ଲୁର ମାମଲା ରିପୋର୍ଟ ହୋଇଛି।
ନେଦରଲ୍ୟାଣ୍ଡର ଏକ ଫାର୍ମରେ ଏହି ସଂକ୍ରମଣ ଚିହ୍ନଟ ହେବା ପରେ ପ୍ରାୟ ୭୧ ହଜାର ପକ୍ଷୀଙ୍କୁ ହତ୍ୟା କରିବାକୁ ପଡିଥିଲା। ଅନ୍ୟପଟେ ସ୍ପେନ୍ ନିଜର ନିରୀକ୍ଷଣ ପ୍ରୋଟୋକଲକୁ କଡ଼ାକଡ଼ି କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରବାସୀ ପକ୍ଷୀମାନେ ପ୍ରାକୃତିକ ଭାବରେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ ଫେରିବା ପରେ ସମଗ୍ର ୟୁରୋପରେ ଏହି ରୋଗ ବ୍ୟପିବାରେ ଲାଗିଛି।
ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ (IISc) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, H5N1 ଭାଇରସ ନିକଟରେ ବର୍ଦ୍ଧିତ ଜେନେଟିକ୍ ବିବିଧତା ଦେଖାଯାଇଛି। ଯାହା ଏହାକୁ ଅଧିକ ଅନୁକୂଳନଶୀଳ ଏବଂ ମଣିଷ ପାଇଁ ସମ୍ଭାବ୍ୟ ଭାବରେ ଅଧିକ ବିପଜ୍ଜନକ କରିଦେଇଛି। ୟୁରୋପୀୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ (EFSA) ମଧ୍ୟ ଚେତାବନୀ ଦେଇଛି ଯେ ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ପଡିବ ନଚେତ ଆସନ୍ତା ମାସଗୁଡ଼ିକରେ ୟୁରୋପରେ ନୂତନ ପ୍ରକୋପ ସୃଷ୍ଟି କରିପାରେ।
ବିଶେଷଜ୍ଞମାନେ ଏନେଇ ମତ୍ତ ଦେଇ କହିଛନ୍ତି ଯେ ସାଧାରଣ ଲୋକଙ୍କ ପ୍ରତି ବିପଦ ବର୍ତ୍ତମାନ ବହୁତ କମ୍ ରହିଛି। ରନ୍ଧା କୁକୁଡ଼ା କିମ୍ବା ଅଣ୍ଡା ଖାଇବା ନିରାପଦ, କାରଣ ୭୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ ଭାଇରସ ନଷ୍ଟ ହୋଇଯାଏ। ତଥାପି, କୁକୁଡ଼ା ଶିଳ୍ପ ସହିତ ଜଡିତ ଲୋକଙ୍କୁ ନିୟମିତ ଭାବରେ ଫାର୍ମଗୁଡ଼ିକୁ ସଫା କରିବାକୁ ଏବଂ ଖୋଲାରେ ପକ୍ଷୀମାନଙ୍କ ସହିତ ସମ୍ପର୍କ ଏଡାଇବାକୁ କଡ଼ା ପରାମର୍ଶ ଦିଆଯାଇଛି। ଫ୍ରାନ୍ସରେ ବର୍ଡ ଫ୍ଲୁ ମାମଲା ବୃଦ୍ଧି ପାଉଥିବା ସଂଖ୍ୟା କେବଳ ୟୁରୋପ ନୁହେଁ ବରଂ ସମଗ୍ର ବିଶ୍ୱକୁ ସତର୍କ କରାଇ ଦେଇଛି।