ମାଲକାନଗିରି, ୨୬/୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା ହଡ଼ପ ଅଭିଯୋଗ ନେଇ ଆଜି ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧରେ ତଦନ୍ତ ପାଇଁ ଦରଖାସ୍ତ ଦେଇଛନ୍ତି ବ୍ଲକ ଅଧ୍ୟକ୍ଷା ଓ ଲୋକ ପ୍ରତିନିଧି। ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଗୌଡ଼ଗୁଡା ଗ୍ରାମ ପଞ୍ଚାୟତର କଲାଗୁଡା ଗ୍ରାମର ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥ ଆତ୍ମସାତ କରିଥିବା ସହ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଦୁର୍ବ୍ୟବହାର ଓ ବ୍ଲକର ଉନ୍ନତୀମୂଳକ କାର୍ଯ୍ୟରେ ହସ୍ତକ୍ଷେପ ଓ ଠିକାଦାରୀରେ ସମ୍ପୃକ୍ତି ଓ ବହୁ ଅସାମାଜିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଦରଖାସ୍ତ ଦେଇଛନ୍ତି।
ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମୀ, ଜିଲ୍ଲା ବିଜେଡି ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ମାଲକାନଗିରି ବ୍ଲକ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ସୁନ୍ଦର ରାୟ ସେଡାଙ୍କ ଉପସ୍ଥିତିରେ ଆଜି ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ସାକ୍ଷାତ କରି ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାରଙ୍କ ବିରୁଦ୍ଧରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହା ବ୍ୟତିତ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉଦେଶ୍ୟରେ ମଧ୍ୟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ରଞ୍ଜନ ସେନାପତିଙ୍କ ଜରିଆରେ ନିରଞ୍ଜନ ହାଲଦାରଙ୍କ ବିରୁଦ୍ଧରେ ଦାବି ପତ୍ର ପ୍ରଦାନ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ଏବଂ ବ୍ଲକ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ସୁନ୍ଦର ରାୟ ସେଡାଙ୍କ ସହ ଏକ ସ୍ୱତନ୍ତ୍ର ପଞ୍ଚାୟତ ସମିତି ଅନୁସନ୍ଧାନକାରୀ ଟିମ୍ ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅନୁମତି ନେଇ ମାଲକାନଗିରି ବ୍ଲକର ଗୌଡ଼ଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲାଗୁଡ଼ା ଗ୍ରାମରେ ପହଞ୍ଚିଥିଲେ। ଏହି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ କୁସୁମା ନାୟକ, ଚନ୍ଦ୍ରାବତୀ ନାୟକ, ଆଦି ନାୟକ, ଲଛନ ଖିଲ ଓ କଳାବତୀ ଖିଲଙ୍କୁ ସାକ୍ଷାତ କରିଥିଲେ। ତେବେ ସେମାନଙ୍କ ଅଭିଯୋଗ ଅନୁଯାଇ ଗତ ୨୦୨୩ ମସିହାରେ ସମସ୍ତ ହିତାଧିକାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପତ୍ର ପାଇଥିଲେ। ସେହି ସମୟରେ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଏହି ହିତାକାରୀମାନଙ୍କ ନିକଟରେ ପହଞ୍ଚି ଗୃହ ନିର୍ମାଣ କରିଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ଲେଖାଏଁ ସମ୍ପୃକ୍ତ ହିତାକାରୀମାନେ ନିରଞ୍ଜନ ହାଲଦାରଙ୍କୁ ପ୍ରଦାନ କରିଥିଲେ। ମାତ୍ର ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କର ଗୃହ ସମାପ୍ତ ହୋଇନଥିବା ସମସ୍ତେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ନିରଞ୍ଜନ ହାଲଦାରଙ୍କ ସହ କଥାବାର୍ତ୍ତା ହେଲେ ସେ ବିରକ୍ତ ହୋଇ ଗାଳି ଗୁଲଜ କରୁଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଆଦର୍ଶ ଥାନାରେ ଉକ୍ତ ହିତାଧିକାରୀମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି I ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ସହ ମନରେଗା ଯୋଜନାରେ ୨୨ ହଜାର ଟଙ୍କା ରହିଛି। ସେହି ଟଙ୍କାଗୁଡିକ ବିଭିନ୍ନ ଲୋକଙ୍କ ନାମରେ ନିରଞ୍ଜନ ହାଲଦାର ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି। ତେବେ ଆବାସ ଘର ସମ୍ପୂର୍ଣ ନ ହେବା ପୂର୍ବରୁ କିଭଳି ମନରେଗା ଟଙ୍କା ଉଠାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସମ୍ପୃକ୍ତ କାର୍ଯ୍ୟ ଦାୟିତ୍ୱରେ ଥିବା ଜିଆରଏସ୍ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ନିରଞ୍ଜନ ହାଲଦାର ବିଭିନ୍ନ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ବ୍ଲକର ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ ଓ ଠିକାଦାରୀରେ ସମ୍ପୃକ୍ତି ରହିଛନ୍ତି। ଏହାସହ କଲାଗୁଡା ଗ୍ରାମର ଗରିବ ଲୋକଙ୍କ ଆବାସ ଗୃହର ଅର୍ଥ ଆତ୍ମସାତ କରିଥିବା ନେଇ ଏକ ଉଚ୍ଚ ସ୍ତରର ତଦନ୍ତ କରିବା ସହ ନିରଞ୍ଜନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦରଖାସ୍ତରେ ଦାବି କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବ୍ଲକ ସରପଞ୍ଚ ସଂଘ ସଭାପତି ସୁଦର୍ଶନ କୋପେ, ସରପଞ୍ଚ ଘାସି ନାୟକ, ସମିତି ସଭ୍ୟ ନରଶିଙ୍ଗ ମାଡି ଓ ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।