କୁନ୍ଦୁରା,୩/୧୦ : କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି l ସେ ଆଜି ଜୟପୁର ଉପ ଜିଲ୍ଲାପାଳ ଏ ସଶ୍ୟା ରେଡ୍ଡୀ ଏବଂ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି.ମନସ୍ମିତାଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି l ସେ ତାଙ୍କ ଇସ୍ତଫାପତ୍ରରେ ବିଗତ ୪ ବର୍ଷ ହେବ ବ୍ଲକ ଅଧ୍ୟକ୍ଷା ପଦବୀରେ ରହି ତାଙ୍କ ଦାୟିତ୍ଵ ଠିକ୍ ଭାବେ ତୁଲାଇ ଆସୁଥିଲେ କିନ୍ତୁ ତାଙ୍କ ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ହେତୁ ତାଙ୍କ ଦାୟିତ୍ଵ ଠିକରେ ତୁଲାଇ ପାରୁନାହାନ୍ତି l ସେ କୌଣସି ଚାପରେ ନ ପଡ଼ି ନିଜ ସ୍ଵଇଚ୍ଛାରେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି

ସୂଚନାଯୋଗ୍ୟ ଯେ, ଶ୍ରୀମତି ପରଜା କଂଗ୍ରେସ ଦଳର ସମର୍ଥୀତ ସମିତି ସଭ୍ଯା ଥିଲେ l ତାଙ୍କ ମନମୁଖୀ କାର୍ଯ୍ଯକୁ ବିରୋଧ କରି ଗତ ଜୁଲାଇ ମାସ ୭ତାରିଖରେ କଂଗ୍ରେସ ସମର୍ଥିତ ୫ସରପଞ୍ଚ ଓ ୩ସମିତି ସଭ୍ୟସଭ୍ୟାଙ୍କ ସମେତ ୪୦ରୁ ଊର୍ଦ୍ଧ୍ବ ନେତା ଓ କର୍ମୀ ଦଳ ଛାଡ଼ିଥିଲେ l ସେବେଠାରୁ ଅଧ୍ୟକ୍ଷାଙ୍କ ପଦବୀ ଟଳମଳ ଥିଲା l ପରବର୍ତ୍ତି ସମୟରେ ବ୍ଲକ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ଏକ ଛୋଟ କଥାରେ ମନ ମାଳିନ୍ୟ ହୋଇଛି ଖୁବଶୀଘ୍ର ସମସ୍ତ ପ୍ରତିନିଧି ଓ କର୍ମକର୍ତ୍ତା ଘର ବାହୁଡ଼ିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ କିନ୍ତୁ ତାହା ସଫଳ ହେଲା ନାହିଁ l ଗତ ଅଗଷ୍ଟ ମାସ ୭ ତାରିଖରେ ବ୍ଲକର ୩୨ଜଣ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଏକତ୍ରିତ ଭାବେ ବ୍ଲକ ଉପାଧ୍ୟକ୍ଷ ତରୁଣୀ ସେନ ବିଶୋୟୀଙ୍କ ନେତୃତ୍ବରେ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ଯ ଯଥା ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମିତି ବୈଠକ ନ କରି ନିଜ ଇଚ୍ଛା ଅନୁସାରେ ୭,୮ମାସକୁ ଥରେ ବୈଠକ କରିବା, ନିୟମ ଥିଲେ ବି ଷ୍ଟାଣ୍ଡିଂ କମିଟି ଗଠନ ନ କରିବା, କମିଟି ନ ଥିବା ଦ୍ଵାରା ପଞ୍ଚାୟତମାନଙ୍କରେ ଚାଲିଥିବା କୌଣସି କାର୍ଯ୍ୟର ତଦାରଖ ପାଇଁ ପ୍ରତିନିଧିଙ୍କୁ ସୁଯୋଗ ନ ମିଳିବା, ବାର୍ଷିକ କାର୍ଯ୍ୟ ଖସଡ଼ାରେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାଙ୍କ ସହ ଆଲୋଚନା ନକରି ନିଜ ଇଚ୍ଛା ମୁତାବକ ପ୍ରସ୍ତୁତ କରିବା l

ଏହାଦ୍ଵାରା ପ୍ରତିନିଧି ନିଜ ପଞ୍ଚାୟତମାନଙ୍କରେ ଜନ ସାଧାରଣଙ୍କ ଦ୍ଵାରା ଆକ୍ରୋଶର ଶିକାର ହେବା, ଅଧ୍ୟକ୍ଷା ଦାୟିତ୍ଵ ନେବାର ତିନି ବର୍ଷ ପରେ ବି ଥରେ ହେଲେ କୌଣସି ପଞ୍ଚାୟତକୁ ପରିଦର୍ଶନ ନ କରିବା ଆଦି ଅଭିଯୋଗ ନେଇ ଉପ ଜିଲ୍ଲାପାଳ ସୁଶ୍ରୀ ରେଡ୍ଡୀଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ସହ ଶପଥ ପାଠ କରିଥିଲେ l ଅନାସ୍ଥାକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ଅଗଷ୍ଟ ମାସ ୨୦ତାରିଖରେ ଓ କାର୍ଯ୍ୟାନୁଷ୍ଠାନରେ ଅହେତୁକ ବିଳମ୍ବ ହେତୁ ସେହି ମାସ ୩୦ତାରିଖରେ ଉପ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଥିଲେ । ପ୍ରତିନିଧି ଫଳ ସ୍ବରୂପ ଗତ ସେପ୍ଟେମ୍ବର ୩ତାରିଖରେ ବିଡିଓଙ୍କ ତତ୍ତ୍ଵାବଧାନରେ ପ୍ରତିନିଧିଙ୍କ ଦସ୍ତଖତ ପ୍ରାମାଣିକ ଯାଞ୍ଚ କରାଯାଇଥିଲା ଓ ଆସନ୍ତାକାଲି ଅନାସ୍ଥା ଭୋଟ ପାଇଁ ସମସ୍ତ ପ୍ରସ୍ତୁତି ସରିଛି I

ଏ ନେଇ ବିଡିଓ ମନସ୍ମିତାଙ୍କୁ ପଚାରିବାରୁ ଅନାସ୍ଥାକୁ ନେଇ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ହୋଇଛି ଆସନ୍ତାକାଲି (୨୪) ଅନାସ୍ଥା ଭୋଟ ପାଇଁ ସମସ୍ତ ପ୍ରସ୍ତୁତି ସରିଛି I ଆଜି ଅଧ୍ୟକ୍ଷା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରି ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କ ନିକଟକୁ ପଠାଇଛନ୍ତି l ତାଙ୍କଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ, ଅନାସ୍ଥା ଭୋଟ ପରିଚାଳନା ଦାୟିତ୍ଵରେ ତହସିଲଦାର ରହିଛନ୍ତି ବୋଲି କହିଛନ୍ତି l ମାଜିଷ୍ଟ୍ରେଟ ତଥା ତହସିଲଦାର ବିନୋଦ କୁମାର ନାଏକଙ୍କୁ ପଚାରିବାରୁ ଆସନ୍ତା କାଲି ଅନାସ୍ଥା ଭୋଟ ନିମନ୍ତେ ତାଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି, ସେ ସେଥିପାଇଁ ପ୍ରସ୍ତୁତ ରହିଛନ୍ତି I ଅଧ୍ୟକ୍ଷାଙ୍କ ଇସ୍ତଫା ପରେ ତାଙ୍କ ନିକଟକୁ କୌଣସି ନିର୍ଦ୍ଦେଶ ଆସିନାହିଁ, ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ଠାରୁ ଯାହା ନିର୍ଦ୍ଦେଶ ଆସିବ ତାହା ପାଳନ କରାଯିବ ବୋଲି ଥିବା ସେ କହିଛନ୍ତି l