ନୂଆଦିଲ୍ଲୀ,୨୪/୧୦: ହୁତୁ ହୁତୁ ହୋଇ ଜଳିଗଲା । ଆଖି ପିଛୁଳାକେ ଜଳି ପୋଡି ପାଉଁଶ ହୋଇଗଲା ବସ୍‌ । ଜୀବନ୍ତ ଜଳିଗଲେ ଯାତ୍ରୀ । କିଏ କେଉଁ କାମରେ ଘରୁ ବାହାରିଥିବେ ହେଲେ ଅଧାବାଟରେ ସବୁକିଛି ଛାରଖାର ହୋଇଗଲା । ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍‌ଏଚ୍‌ରେ କାବେରୀ ଟ୍ରଭେଲସର ଏକ ଯାତ୍ରୀବାହୀ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୦ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ବଡ଼ ଅଘଟଣ ଘଟିଛି । ବାଇକ୍‌ ସହ ପିଟି ହୋଇ ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିଲା । ଜୀବନ ବିକଳରେ କିଛି ଯାତ୍ରୀ ଡେଇଁ ପଡିଥିଲେ । ବସ୍‌ରେ ୪୨ ଜଣ ଯାତ୍ରୀ ଥିଲେ । ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି । ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ବସ୍‌ । ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ମଧ୍ୟରେ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକ ବୋଲି କୁହାଯାଉଛି ।

ପ୍ରାରମ୍ଭିକ ସୂଚନା ଅନୁସାରେ, ହାଇୱେରେ ବସ୍‌ଟି ଏକ ଦୁଇଚକିଆ ଯାନ ସହିତ ଧକ୍କା ହୋଇଥିଲା । ଏହାପରେ ବସ୍‌ରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ଘଟିବା ପରେ କିଛି ଲୋକ ଜୀବନ ବିକଳରେ ଏମରଜେନ୍ସି ଡୋର ଦେଇ ଡେଇଁ ପଡିଥିଲେ । ଆହତଙ୍କୁ କୁର୍ଣ୍ଣୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡ ଏକେ ଭୟଙ୍କର ଥିଲା ଯେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକ ଓ ପୁଲିସ୍‌ ସହାୟତାରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।​​​​​​

ଘଟଣାକୁ ନେଇ କୁର୍ଣ୍ଣୁଲ ଏସ୍‌ପି କହିଛନ୍ତି, ଦୁର୍ଘଟଣା ଶୁକ୍ରବାର ଭୋର ୩ଟା ୩୦ରେ ହୋଇଥିଲା । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ୧୮ ଯାତ୍ରୀ ସୁରକ୍ଷିତ ଅଛନ୍ତି ।'' ଘଟଣାସ୍ଥଳରେ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏହି ଦୁର୍ଘଟଣା ପୁଣି ଥରେ ଦୂରଗାମୀ ଘରୋଇ ବସ୍ ଚଳାଚଳର ସୁରକ୍ଷା ମାନଦଣ୍ଡ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଗତ ୧୪ ତାରିଖରେ ରାଜସ୍ଥାନର ଜୈସଲମେରରେ ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ତାକୁ ଲୋକେ ଭୁଲି ନଥିବା ବେଳେ ଆଉ ଏକ ବସ୍‌ ଅଗ୍ନିକାଣ୍ଡ ଘଟିଛି ।
​​​​​​​ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ଏକ୍ସରେ ରାଷ୍ଟ୍ରପତି ଲେଖିଛନ୍ତି,''ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯିବା  ଦୁର୍ଭାଗ୍ୟଜନକ । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।'' ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି, "କୁର୍ଣ୍ଣୁଲ ଜିଲ୍ଲାର ଚିନ୍ନା ଟେକୁରୁ ଗାଁ ନିକଟରେ ଘଟିଥିବା ଭୟଙ୍କର ବସ୍ ଅଗ୍ନିକାଣ୍ଡ ମୋତେ ମର୍ମାହତ କରିଛି । ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଆହତ ଏବଂ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ।"