ଭୁବନେଶ୍ୱର,୨୯/୦୯: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି କାମ ପାଇଁ ୫୦.୫୯ କୋଟି ଟଙ୍କାର ଆକଳନ ହୋଇଥିଲା । ଏଥିରେ ବୈଦ୍ୟୁତିକ ଉପକରଣ ସ୍ଥାପନ, ଶିକ୍ଷାଦାନ ବ୍ଲକ୍, ପ୍ରଶାସନିକ ବ୍ଲକ୍, ଅଡିଟୋରିୟମ୍, ହଷ୍ଟେଲ, ଲାଇବ୍ରେରୀ ଓ କ୍ୟାଣ୍ଟିନ୍ ନିର୍ମାଣର ପ୍ରକଳ୍ପ ରହିଥିଲା । ଏଥିପାଇଁ ୨୦୧୬ ଅକ୍ଟୋବରରେ ସିପିଡବ୍ଲ୍ୟୁଡି ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା । ଚୁକ୍ତି ଅନୁସାରେ ୪୮ କୋଟି ୨୨ ଲକ୍ଷରେ କାର୍ଯ୍ୟ ଶେଷ ହେବାର ଥିଲା । କିନ୍ତୁ କର୍ତ୍ତୃପକ୍ଷ ତାଙ୍କ ଇଚ୍ଛାରେ ଗୋଟିଏ ସଂସ୍ଥାକୁ ଦାୟିତ୍ୱ ମୁକ୍ତ କରି ଅନ୍ୟ ଏକ ସଂସ୍ଥାକୁ ଦେବା ଫଳରେ ପ୍ରକଳ୍ପର ମୂଲ୍ୟ ବଢ଼ିଯାଇ ୫୫.୬୭ କୋଟିରେ ପହଞ୍ଚିଥିଲା ଏବଂ ବିଳମ୍ବ ମଧ୍ୟ ହେଲା । ଏଥିପାଇଁ ସରକାରଙ୍କ ୭ କୋଟି ୪୫ ଲକ୍ଷ ଟଙ୍କା ପାଣିରେ ପଡ଼ିଛି । ଏହାକୁ ସିଏଚ୍ଜି ଧରିଛନ୍ତି ।
ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ପାଇଁ ରମାଦେବୀ ପକ୍ଷରୁ ସିପିଡବ୍ଲ୍ୟୁଡି ପାଖରେ ୨୦୧୬ରୁ ୨୦୨୨ ମଧ୍ୟରେ ୪୦.୫୭ କୋଟି ଟଙ୍କା ଜମା ହୋଇଥିଲା । ସିପିଡବ୍ଲ୍ୟୁଡି ୨୦୧୮ରେ ଜଣାଇଥିଲା ଯେ ୨୦୧୯ ଜୁନ୍ ମଧ୍ୟରେ ୪୨ କୋଟି ଟଙ୍କାରେ ଏସମସ୍ତ କାର୍ଯ୍ୟ ସମାପ୍ତ ହୋଇପାରିବ । ମାତ୍ର ଏଥିପାଇଁ ଚୁକ୍ତିନାମାକୁ ସଂଶୋଧନ କରିନଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଫଳରେ ୨୦୧୯ ନଭେମ୍ବରରେ ଅସଂପୂର୍ଣ୍ଣ ପ୍ରକଳ୍ପକୁ ସମାପ୍ତ କରିବା ପାଇଁ ଆଉ ୭.୬୫ କୋଟି ଟଙ୍କା ମାଗିଥିଲା ସିପିଡବ୍ଲ୍ୟୁଡି । ଏଥିରେ ତାର ବାକି ଥିବା ୩.୮୫ କୋଟି ଟଙ୍କା ରହିଥିଲା । ଆଉ ୩ କୋଟି ୮୦ ଲକ୍ଷ ଟଙ୍କାରେ ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଟଙ୍କା ମାଗିଥିଲା । ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜିଦ୍ ଧରିଲେ ୪୨ କୋଟି ଟଙ୍କାରେ କାମ କର । ଏଥିରେ ସିପିଡବ୍ଲ୍ୟୁଡି ରାଜି ନହୋଇ କାର୍ଯ୍ୟରୁ ଓହରି ଗଲା । ଫଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅସଂପୂର୍ଣ୍ଣ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରୋଜେକ୍ଟ ୟୁନିଟ୍ ପକ୍ଷରୁ ୨୦୨୧ରେ ୧୧.୨୫ କୋଟିରେ ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ଆଣ୍ଡ ୱେଲ୍ଫେୟାର କର୍ପୋରେସନ୍ ଲିମିଟେଡ୍ (ଓଏସ୍ପିଏଚ୍ଡବ୍ଲୁସି)କୁ ଦାୟିତ୍ୱ ଦେଇଥିଲେ । କେବଳ ଏତିକି ନୁହେଁ ସିପିଡବ୍ଲ୍ୟୁଡିର ବକେୟା ଥିବା ୩ କୋଟି ୮୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ କାର୍ଯ୍ୟରେ ବିଳମ୍ବ ହେଲା । ଏହି କାର୍ଯ୍ୟ ୨୦୧୯-୨୦୨୦ରେ ସରିବା କଥା । ବିଳମ୍ବ ହୋଇ ୨୦୨୩ରେ ଶେଷ ହେଲା । ଏହି ପ୍ରକଳ୍ପର ମୂଲ୍ୟ ୫୫.୬୭ କୋଟି (୪୦.୫୭ କୋଟି, ୩.୮୫ କୋଟି, ୧୧.୨୫ କୋଟି)କୁ ବୁଦ୍ଧି ପାଇଥିଲା ।
ସିଏଜି କହିଛନ୍ତି, ରମାଦେବୀ କର୍ତ୍ତୃପକ୍ଷ ସିପିଡବ୍ଲ୍ୟୁଡି ପାଖରେ ୪୨ କୋଟି ଟଙ୍କାରେ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ଜିଦ୍ ଧରିବାର ନଥିଲା । ଆଉ ୩ କୋଟି ୮୦ ଲକ୍ଷ ଟଙ୍କା ଦେଇ କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ ମୋଟ ୪୮.୨୨ କୋଟି ଟଙ୍କାରେ ସମାପ୍ତ ହୋଇଥାନ୍ତା । କିନ୍ତୁ କର୍ତ୍ତୃପକ୍ଷ ମନମାନି କରି ସିପିଡବ୍ଲ୍ୟୁଡିକୁ କାଢ଼ି ଓଏସ୍ପିଏଚ୍ଡବ୍ଲ୍ୟୁସିକୁ କାର୍ଯ୍ୟ ଭାର ଦେବା ଦ୍ୱାରା ପ୍ରକଳ୍ପର ମୂଲ୍ୟ ୫୫.୬୭ କୋଟିରେ ପହଞ୍ଚିଥିଲା । ଏଥିପାଇଁ ସରକାର ୭ କୋଟି ୪୫ ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ୍ଚ କରିଛନ୍ତି ।