ଝାରସୁଗୁଡ଼ା, ୨୭/୯ : ଝାରସୁଗୁଡା ଅମଲିପାଲି ଠାରେ ଆୟୋଜିତ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ କଲେ ସ୍ଵାଗତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତ ଯେ, ୮ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଉଦ୍ଘାଟନ ହୋଇଥିଲା। ଆଜି, ଏହି ଏୟାରପୋର୍ଟ, ଓଡ଼ିଶାକୁ ବିଶେଷକରି ପଶ୍ଚିମ ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିଛି। କିଛିଦିନ ପୂର୍ବେ ସମଗ୍ର ଦେଶ, ହର୍ଷ-ଉଲ୍ଲାସର ସହିତ, ଆପଣଙ୍କର ଜନ୍ମଦିବସ ପାଳନ କରିଥିଲା। ଏହା କେବଳ ଏକ ଉତ୍ସବ ନଥିଲା, ବରଂ ଏହା ଦେଶ ପ୍ରତି ଆପଣଙ୍କର ପଚାଶ ବର୍ଷରୁ ଅଧିକ ସମୟଧରି, ଅତୁଟ ସମର୍ପଣ ଭାବରେ କରିଥିବା ସେବାର ପ୍ରତିଫଳନ ଥିଲା। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ‘ସେବା ପକ୍ଷ’ ଭାବରେ ପାଳନ କରିବା ଏହାର ସବୁଠାରୁ ବଡ଼ ପ୍ରମାଣ। ଏହା ଆମ ପାଇଁ ‘ସେବା ପର୍ବ’।
ଆଜିର ଏହି ସମାବେଶ, ଯୁବବର୍ଗଙ୍କ ପାଇଁ ସମର୍ପିତ। ବିଶେଷ କରି ୨୦୧୪ ପରେ, ଦେଶର ଯୁବବର୍ଗଙ୍କ ପାଇଁ ପିଏମ୍ ସବୁଠାରୁ ବଡ଼ ‘ଆଇକନ୍’, ପ୍ରେରଣାର ସ୍ରୋତ। ଦେଶର ବିକାଶ ପାଇଁ ପିଏମ୍ ଯେଉଁ ଚାରି ବର୍ଗଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ଯୁବବର୍ଗଙ୍କ ପାଇଁ ଏକ ବିଶେଷ ସ୍ଥାନ ରହିଛି। ଯୁବବର୍ଗଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହାର ସକାରାତ୍ମକ ପରିଣାମ ଆଜି ସ୍ପଷ୍ଟ ଭାବେ ଦେଖାଯାଉଛି। ‘ଅପରେସନ ସିନ୍ଦୁର’ ସହିତ ଦେଶର ସୁରକ୍ଷାକୁ ନେଇ ଯେଉଁ ‘ଲକ୍ଷ୍ମଣ ରେଖା’ ଆଙ୍କିଛନ୍ତି, ସେଥିରେ ଦେଶର ଯୁବବର୍ଗଙ୍କର ମନପ୍ରାଣରେ ଏକ ନୂତନ ଉତ୍ସାହ ଭରି ଦେଇଛି। ଭାରତରେ ଗୋଟିଏ ପ୍ରସିଦ୍ଧ ହିନ୍ଦି ଲୋକକଥା ଅଛି — ‘ଛେଡେଙ୍ଗେ ନେହିଁ, ଅଗର କୋଇ ଛେଡେଗା, ତୋ ଛୋଡେଙ୍ଗେ ନେହିଁ’। ପେହଲଗାମର ନରସଂହାର ପରେ, ଶତ୍ରୁ ଦେଶରେ ପ୍ରବେଶ କରି, ଆତଙ୍କବାଦୀ ଏବଂ ସେମାନଙ୍କର ପୃଷ୍ଠପୋଷକଙ୍କୁ ଯେପରି ଦଣ୍ଡ ଦିଆଗଲା, ସେଥିରେ ଦେଶର ସୁରକ୍ଷା ନୀତିର ସବୁ ଦିଗ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି। ଦେଶକୁ ସୁରକ୍ଷିତ ରଖିଥିବାରୁ, ସମଗ୍ର ଦେଶ ପକ୍ଷରୁ, ଆପଣଙ୍କୁ ଅଶେଷ ଧନ୍ୟବାଦ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଭକ୍ତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ଆପଣଙ୍କର ଶ୍ରଦ୍ଧା ବିଷୟରେ ଆମେ ସମସ୍ତେ ଜାଣୁ। ଆମ ସରକାର ଆସିବା ପରେ, ଆପଣ ସାତ ଥର ଓଡ଼ିଶା ଗସ୍ତ କରିଛନ୍ତି। ଗତବର୍ଷ, ଜନ୍ମଦିନରେ ଆପଣ ଓଡ଼ିଶା ଆସିଥିଲେ ଏବଂ ଆମ ମା’ ଓ ଭଉଣୀମାନଙ୍କ ପାଇଁ ‘ସୁଭଦ୍ରା ଯୋଜନା’ର ଶୁଭାରମ୍ଭ କରିଥିଲେ। ଆଜି ଏହି ଯୋଜନା ଅଧୀନରେ, ଏକ କୋଟିରୁ ଅଧିକ ମା’ମାନଙ୍କୁ ପ୍ରତିବର୍ଷ ଦଶ ହଜାର ଟଙ୍କାର ସହାୟତା ମିଳୁଛି। ଗତବର୍ଷ, ଜଣେ ଆଦିବାସୀ ମା’ଙ୍କ ହାତରୁ କ୍ଷିରି ଖାଇ, ଆପଣ ଆପଣଙ୍କର ଜନ୍ମଦିନ ପାଳନ କରିଥିଲେ। ଓଡ଼ିଶାବାସୀଙ୍କ ପ୍ରତି ଆପଣଙ୍କର ଏହି ଭଲପାଇବା, ଆମ ସମସ୍ତଙ୍କୁ ଅଭିଭୂତ କରିଛି। ପରିବେଶ ସୁରକ୍ଷା ପ୍ରତି ଆପଣଙ୍କ ଚିନ୍ତା ବିଷୟରେ ସମଗ୍ର ଦେଶ ଜାଣିଛି। ଗତବର୍ଷ ଆପଣ ଯେଉଁ “ଏକ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହା ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି।
ଚଳିତ ବର୍ଷ ଆପଣଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ରେ, “ଏକ ପେଡ୍ ମା’ କେ ନାମ୍ 2.0” ଅଭିଯାନରେ, ଆମେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ସଙ୍କଳ୍ପ ନେଇଥିଲୁ। କିନ୍ତୁ ଓଡ଼ିଶାବାସୀ ସେହି ଦିନ, ଦୁଇଗୁଣା ଅର୍ଥାତ ଦେଢ଼ କୋଟି ଗଛ ଲଗାଇଦେଲେ। ଓଡ଼ିଶାବାସୀ ଆପଣଙ୍କୁ ବହୁତ ଶ୍ରଦ୍ଧା ଓ ସମ୍ମାନ କରନ୍ତି ବୋଲି ଆମେ ଜାଣିଥିଲୁ, କିନ୍ତୁ ଏତେ ଅଧିକ ସମ୍ମାନ କରନ୍ତି ବୋଲି ସେହି ଦିନ ହିଁ ସ୍ପଷ୍ଟ ହେଲା। ଏହି ଅବସରରେ, ସମଗ୍ର ରାଜ୍ୟବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଓଡ଼ିଶାର ବିକାଶ ପାଇଁ ଆପଣଙ୍କର ଫୋକସ୍ ସର୍ବଦା ରହିଛି। ଆପଣଙ୍କର ‘ପୂର୍ବୋଦୟ’ର ପରିକଳ୍ପନାର କେନ୍ଦ୍ରରେ ଓଡ଼ିଶା ରହିଛି। ଆପଣଙ୍କର ମାର୍ଗଦର୍ଶନରେ ଓଡ଼ିଶା ଆଜି ଦ୍ରୁତ ଗତିରେ ବିକାଶ ପଥରେ ଅଗ୍ରସର ହେଉଛି। ଆପଣ ଯେତେବେଳେ ଓଡ଼ିଶା ଆସନ୍ତି, ରାଜ୍ୟବାସୀଙ୍କ ପାଇଁ ଅନେକ ଉପହାର ନେଇଆସନ୍ତି। ଦୁର୍ଗା ପୂଜା ଓଡ଼ିଶାର ସବୁଠାରୁ ବଡ଼ ପର୍ବ। ଏହି ଶୁଭ ଅବସରରେ, ଆପଣ ରାଜ୍ୟର ଉନ୍ନତି ପାଇଁ ଏବଂ ବିଶେଷ ଭାବେ ଲୋକମାନଙ୍କ ପାଇଁ, ଡବଲ ବୋନୋସ୍ ଆଣିଛନ୍ତି।
ବ୍ରହ୍ମପୁରରୁ ସୁରାଟ ପର୍ଯ୍ୟନ୍ତ ନୂଆ ଅମୃତ ଭାରତ ଟ୍ରେନ୍, ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପ, ନୂଆ ସେମିକଣ୍ଡକ୍ଟର ପାର୍କ, ବ୍ରହ୍ମପୁର MKCG ଏବଂ ବୁର୍ଲା VIMSAR ହସ୍ପିଟାଲ୍କୁ ବିଶ୍ୱସ୍ତରୀୟ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଭାବେ ବିକଶିତ କରିବା, ଗଞ୍ଜାମ ଜିଲ୍ଲାରେ ନୂଆ Port-based S.E.Z. ପ୍ରତିଷ୍ଠା କରିବା, ଏବଂ ସବୁଠାରୁ ବଡ଼ କଥା, ଆମର ଗରିବ ଭାଇମାନଙ୍କ ପାଇଁ ୫୦ ହଜାର ଅନ୍ତ୍ୟୋଦୟ ଗୃହ ନିର୍ମାଣ ପାଇଁ ୱାର୍କ ଅର୍ଡର ମଧ୍ୟ ପ୍ରଦାନ କରାଯିବ। ଏହି ସମସ୍ତ ପଦକ୍ଷେପ ଦ୍ୱାରା ଓଡିଶାର ପ୍ରଗତିର ଭିତ୍ତି, ଆହୁରି ମଜବୁତ ହେବ। ଭାରତର ଅନ୍ୟାନ୍ୟ ରାଜ୍ୟରେ, ଲୋକମାନେ ସାଧାରଣତଃ ଦୀପାବଳୀ ସମୟରେ କିଣାକିଣି କରଥାନ୍ତି। କିନ୍ତୁ, ଓଡ଼ିଶାରେ ଏହି କିଣାକିଣି ଦୁର୍ଗାପୂଜାର ଅବସରରେ ହୁଏ। ବର୍ତ୍ତମାନ ଓଡ଼ିଶାର ଲୋକମାନେ ‘ଜିଏସଟି ବଚତ୍ ଉତ୍ସବ’ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ଏହି ଐତିହାସିକ ପଦକ୍ଷେପ ପାଇଁ, ୩ ଦିନ ପୂର୍ବରୁ ସମାପ୍ତ ହୋଇଥିବା ଓଡ଼ିଶା ବିଧାନସଭାର ମୌସୁମୀକାଳୀନ ଅଧିବେଶନରେ, ଧନ୍ୟବାଦ ପ୍ରସ୍ତାବ ପାରିତ କରାଯାଇଛି। ଆଜି ଗରିବରୁ ଆରମ୍ଭ କରି, ଧନୀ ପର୍ଯ୍ୟନ୍ତ, ପ୍ରତ୍ୟେକ ଲୋକ କିଛି ନ କିଛି ସଞ୍ଚୟ କରୁଛନ୍ତି। ଓଡ଼ିଶାବାସୀଙ୍କ ପକ୍ଷରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ର – ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଔର୍ ସବ୍କା ପ୍ରୟାସ’ ନୀତିକୁ ଆଧାର କରି, ଆମେ କୃଷକ, ଗରିବ, ମହିଳା ଏବଂ ଯୁବବର୍ଗଙ୍କର କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ କାମ କରୁଛୁ।
ଚଳିତ ବର୍ଷ ଜାନୁଆରୀ ମାସରେ, ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମରେ, ଉଦ୍ୟୋଗପତିମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ଆହ୍ୱାନ ଦେଇ କହିଥିଲେ – “ୟହି ସମୟ ହୈ, ସହି ସମୟ ହୈ” । ଏହି ସାଢେ ସାତ ମାସ ମଧ୍ୟରେ, ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସହିତ, ଓଡ଼ିଶାରେ ୮୪ଟି ଶିଳ୍ପ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଗତ ୧୧ ବର୍ଷରେ, ଆପଣଙ୍କ ନେତୃତ୍ୱରେ, ଦେଶ ପ୍ରତ୍ୟେକ କ୍ଷେତ୍ରରେ, ନୂଆ ଶିଖରରେ ପହଞ୍ଚିଛି। ସାମାଜିକ, ରାଜନୈତିକ ଏବଂ ଆର୍ଥିକ ପ୍ରଗତି ସହିତ, ‘ଦେଶର ସୁରକ୍ଷାର ଗ୍ୟାରେଣ୍ଟି’ ଦିଗରେ, ଆମ ଦେଶ ପ୍ରତ୍ୟେକ ଦିନ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି। ଦେଶ ପ୍ରତି ଆପଣଙ୍କ ସମର୍ପଣ ଏବଂ ସେବାଭାବ ସମ୍ବନ୍ଧରେ, ଏଠାରେ ଉପସ୍ଥିତ ଯୁବବର୍ଗଙ୍କୁ ମୁଁ କିଛି କହିବାକୁ ଚାହୁଁଛି। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ, ଆପଣଙ୍କ ସଂକଳ୍ପକୁ ସାକାର କରିବା ପାଇଁ, ଆମେ ସମସ୍ତେ ନିଜ ନିଜର ଯୋଗଦାନ ଦେବୁ। ସମଗ୍ର ଯୁବ ସମାଜ, ଏକତ୍ରିତ ଭାବେ ଏକମନରେ, ଆପଣଙ୍କ ସହିତ ଦୃଢ଼ଭାବରେ ଛିଡା ହୋଇରହିଛନ୍ତି।