ଭୁବନେଶ୍ୱର,୫/୧୦(ପ୍ରଜ୍ଞା ଚୌଧୁରୀ): ମିଶନ୍‌  ‘ଗଗନ ଯାନ’ ପାଇଁ ଓଡ଼ିଶାର ବଡ଼ ଅବଦାନ ।  ମହାକାଶ ଯିବାକୁ ଥିବା ମହିଳା ରୋବଟ୍‌  ‘ଭ୍ୟୋମିତ୍ର’କୁ ତିଆରି କରିଛନ୍ତି ସେଣ୍ଟ୍ରାଲ ଟୁଲ୍‌  ରୁମ୍‌ ଟ୍ରେନିଂ ସେଣ୍ଟର (ସିଟିଟିସି) ଭୁବନେଶ୍ୱରର ଦକ୍ଷ ଟେକ୍ନୋକ୍ରାଟ୍‌ଙ୍କ ଟିମ୍‌ । ଏହି ଅର୍ଦ୍ଧ ମାନବୀୟ  (ହାଫ୍‌ ହ୍ୟୁମାନୋଇଡ୍‌) ରୋବୋଟ୍‌ ଶରୀରର  ସମସ୍ତ ଉପାଦାନ ଏହି ଟିମ୍‌ ତିଆରି କରିଛନ୍ତି ।  ମେକାନିକାଲ୍‌, ଇଲେକ୍ଟ୍ରୋନିକ୍ସ, ଅଟୋମେସନ୍‌  ସମେତ ରୋବୋଟ୍‌ ଶରୀରର ୯୦ ପ୍ରତିଶତ  କାର୍ଯ୍ୟ ସିଟିଟିସିରେ ହୋଇଥିବା ବେଳେ ଇସ୍ରୋ  ୟୁନିଟ୍‌ଠାରେ କେବଳ ଏହାକୁ ଯୋଡ଼ାଯାଇଛି । ଚଳିତ ବର୍ଷ ଡିସେମ୍ବରରେ ଗଗନ ଯାନ ଅଧୀନ  ପ୍ରଥମ ପରୀକ୍ଷଣ ଜି-୧ କ୍ୟାପସୁଲରେ ଏକାକୀ  ଭ୍ୟୋମିତ୍ର ଯାତ୍ରା କରିବ । ଏହାର ଯାତ୍ରା ସଫଳ  ରହିଲେ ୨୦୨୭ରେ ମହାକାଶଚାରୀଙ୍କୁ ପଠାଯିବ ।  

ସଂସ୍କୃତ ଶବ୍ଦ ଭ୍ୟୋମ ଏବଂ ମିତ୍ର  ଅର୍ଥାତ୍‌ ମହାକାଶ ମିତ୍ରକୁ ସଂଯୋଗ କରି  ଭ୍ୟୋମିତ୍ର ନାମକରଣ କରାଯାଇଛି । ଇସ୍ରୋର  ଆଇଆଇଏସୟୁ ତ୍ରିଭେନ୍ଦ୍ରମ ପକ୍ଷରୁ ଏହି  ଦାୟିତ୍ୱ ଦିଆଯିବା ପରେ ଉତ୍ସାହର ସହ କାମ  ଆରମ୍ଭ କରିଦେଇଥିଲେ ସିଟିଟିସି କର୍ମଚାରୀ ।  ପ୍ରଡକ୍ସନ ମ୍ୟାନେଜର କେ. ବିଜୟ କୁମାରଙ୍କ  ତତ୍ତ୍ୱାବଧାନରେ ପ୍ରାୟ ୭୦ ଜଣିଆ ଟିମ୍‌ ଏହି  ପ୍ରକଳ୍ପର ସଫଳତା ପାଇଁ ଲାଗିପଡ଼ିଲେ ।  ସିନିୟର୍‌ ଇଞ୍ଜିନିୟର ଏଲ୍‌. ଶିବରାମ କ୍ରିଷ୍ଣା,  ଆଶିକ ରସିଦ୍‌, ପ୍ରଶାନ୍ତ କୁମାର ପରିଡ଼ା ପ୍ରକଳ୍ପର  ନେତୃତ୍ୱ ନେଇଥିଲେ । ଦୁର୍ଗା ପ୍ରସାଦ ରଥ, ଜଗନ୍ନାଥ  ମହାଲ୍ଲିକଙ୍କ ସମେତ ୧୨ ଦକ୍ଷ ଟେକ୍ନିସିଆନ୍‌,  ରାମଚନ୍ଦ୍ର ହେମ୍ବ୍ରମ୍‌, ଶୁଭଶ୍ରୀ ମଲ୍ଲିକଙ୍କ ଭଳି ୬  ଜଣ ଦକ୍ଷ ଇଞ୍ଜିନିୟରଙ୍କ ସମେତ ସନ୍ତୋଷ  କୁମାର ବଡ଼ନାୟକଙ୍କ ସହ ୮ ଜଣ ମାଷ୍ଟର  କ୍ରାଫ୍ଟସମ୍ୟାନ୍‌ ତଥା ସୁପରଭାଇଜର୍‌ ଏବଂ ଅନ୍ୟାନ୍ୟ  କର୍ମଚାରୀମାନେ ଏହି ପ୍ରକଳ୍ପକୁ ଶେଷ କରିଥିଲେ ।  

ପ୍ରକଳ୍ପକୁ ଶେଷ କରିବା ଲାଗି ଇସ୍ରୋ  ଆଇଆଇଏସୟୁ ପକ୍ଷରୁ ୬ ମାସର ସମୟ  ଦିଆଯାଇଥିବା ବେଳେ କେବଳ ୪ ମାସରେ  ରୋବୋଟ୍‌ ଯନ୍ତାଂଶ ତିଆରି କରି ହସ୍ତାନ୍ତର କରିଛି  ସିଟିଟିସି ଭୁବନେଶ୍ୱର ଟିମ୍‌ । ମୁଣ୍ଡ, ଦୁଇଟି ହାତ  ଓ ଶରୀର ଥାଇ ପାଦ ନଥିବା କାରଣରୁ ଏହାକୁ  ଅର୍ଦ୍ଧ ହ୍ୟୁମାନୋଇଡ୍‌ ରୋବଟ୍‌ କୁହାଯାଉଛି । ଥ୍ରିଡିମେଟାଲ୍‌ ପ୍ରିଣ୍ଟିଂ ଦ୍ୱାରା ନିର୍ମିତ ଏହି ରୋବୋଟ୍‌  କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପରିଚାଳିତ ।  ଟାଇଟାନିୟମ୍‌ ଧାତୁରେ ନିର୍ମିତ ଏହାର ମୁଣ୍ଡଟି  ଏଏଲଏସଆଇ ୧୦-ମିଲିଗ୍ରାମରେ ତିଆରି  କରାଯାଇଛି, ଯାହାର ଓଜନ ୮୦୦ ଗ୍ରାମ ।  ଗଗନ ଯାନ ମିଶନରେ ମହାକାଶଚାରୀମାନେ  ଯିବା ପୂର୍ବରୁ ଏହି ରୋବୋଟ୍‌ ମହାକାଶକୁ ଯାତ୍ରା କରିବ । ରୋବୋଟିକ୍ସ ଟେକ୍ନୋଲୋଜୀ ମାଧ୍ୟମରେ  ସୃଷ୍ଟି କରାଯାଇଥିବା ଏହି ମହିଳା ରୋବୋଟ୍‌ ମହାକାଶରେ ତଥ୍ୟ  ସଂଗ୍ରହ କରି ଇସ୍ରୋକୁ ପଠାଇବ । ଏହା ଅନ୍ତରୀକ୍ଷ ଯାନ ଭିତରେ ରହି କାମ କରିବ, ବାହାରକୁ  ଯିବ ନାହିଁ । ମହାକାଶ ପରିବେଶ ମଣିଷ ଉପରେ କିଭଳି ପ୍ରଭାବ  ପକାଇବ, ତାହା ଭ୍ୟୋମିତ୍ର ମାଧ୍ୟମରେ ପୃଥିବୀ ପୃଷ୍ଠରୁ ଅନୁଧ୍ୟାନ  କରାଯିବ । ସେଠାକାର ପରିସ୍ଥିତିରେ ଜଣେ ମଣିଷ ଜୀବିତ ରହିପାରିବ  କି ନାହିଁ ତାହା ଜାଣିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ତରୀକ୍ଷ  ଯାନ ଭିତର ତାପମାତ୍ରା, ବାୟୁର ଚାପ, ଆର୍ଦ୍ରତା ଆଦିର ତଥ୍ୟ  ପୃଥିବୀ ପୃଷ୍ଠକୁ ପଠାଇବା ଏହି ରୋବୋଟ୍‌ର ମୁଖ୍ୟ କର୍ତ୍ତବ୍ୟ ।

ଏହି  ରୋବୋଟ୍‌ ଅନ୍ତରୀକ୍ଷ ଯାନରେ ଏକାକୀ ସ୍ୱିଚ୍‌ ଅପରେଟ୍‌ କରିପାରିବ ।  ପୃଥିବୀ ପୃଷ୍ଠରୁ ଆଦେଶ ମିଳିଲେ ଏହା ଅପରେଟ୍‌ କରିବ । କୌଣସି  ଅପ୍ରତ୍ୟାଶିତ ଅସୁବିଧା ହେଲେ ତତ୍‌କ୍ଷଣାତ୍‌ ପରବର୍ତ୍ତୀ ପଦକ୍ଷେପ  ଲାଗି ଆଦେଶ ମାଗିବ । ହିନ୍ଦୀ ଓ ଇଂରାଜୀରେ କଥା ହୋଇପାରିବ ଓ  ମେସେଜ୍‌ ପଠାଇପାରିବ । ଭ୍ୟୋମିତ୍ର ପଠାଇଥିବା ତଥ୍ୟ ଅନୁସାରେ  ଗଗନ ଯାନ ଅଭିଯାନରେ ଯିବାକୁ ଥିବା ମହାକାଶଚାରୀମାନଙ୍କୁ  ପ୍ରଶିକ୍ଷିତ କରାଯିବ । ସେହି ପରିବେଶରେ ବଞ୍ଚିବା ପାଇଁ ସେମାନଙ୍କ  ଶରୀରକୁ ସେହି ଢାଞ୍ଚାରେ ଅଭ୍ୟସ୍ତ କରାଯିବ । ଅତ୍ୟନ୍ତ ପ୍ରତିକୂଳ  ପରିବେଶରେ ନିଜେ କିପରି ବଞ୍ଚିପାରିବ ଏବଂ ମଣିଷକୁ ବଞ୍ଚିବାକୁ  ଶିଖାଇବ ଭ୍ୟୋମିତ୍ର । ପୂର୍ବରୁ ମଧ୍ୟ ଚନ୍ଦ୍ରଯାନ-୩ ପାଇଁ ୧୨ କୋଟିରୁ  ଊଦ୍ଧ୍ୱର୍ ମୂଲ୍ୟ ବିଶିଷ୍ଟ ଉନ୍ନତ ଗୁଣବତ୍ତା ଥିବା ୭୫ ହଜାରଟି ଜଟିଳ  ଯନ୍ତ୍ରାଂଶ ପଠାଇଥିଲା ସିଟିଟିସି ଭୁବନେଶ୍ୱର । ସେହିପରି ଚନ୍ଦ୍ରଯାନ-୨  ପାଇଁ ମଧ୍ୟ ଆବଶ୍ୟକ ଯନ୍ତାଂଶ ଏଠାରେ ତିଆରି କରାଯାଇଥିଲା ବୋଲି  ସିଟିଟିସି ପକ୍ଷରୁ ଜଣାପଡ଼ିଛି ।