ଭୁବନେଶ୍ୱର,୫/୧୦(ପ୍ରଜ୍ଞା ଚୌଧୁରୀ): ମିଶନ୍ ‘ଗଗନ ଯାନ’ ପାଇଁ ଓଡ଼ିଶାର ବଡ଼ ଅବଦାନ । ମହାକାଶ ଯିବାକୁ ଥିବା ମହିଳା ରୋବଟ୍ ‘ଭ୍ୟୋମିତ୍ର’କୁ ତିଆରି କରିଛନ୍ତି ସେଣ୍ଟ୍ରାଲ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର (ସିଟିଟିସି) ଭୁବନେଶ୍ୱରର ଦକ୍ଷ ଟେକ୍ନୋକ୍ରାଟ୍ଙ୍କ ଟିମ୍ । ଏହି ଅର୍ଦ୍ଧ ମାନବୀୟ (ହାଫ୍ ହ୍ୟୁମାନୋଇଡ୍) ରୋବୋଟ୍ ଶରୀରର ସମସ୍ତ ଉପାଦାନ ଏହି ଟିମ୍ ତିଆରି କରିଛନ୍ତି । ମେକାନିକାଲ୍, ଇଲେକ୍ଟ୍ରୋନିକ୍ସ, ଅଟୋମେସନ୍ ସମେତ ରୋବୋଟ୍ ଶରୀରର ୯୦ ପ୍ରତିଶତ କାର୍ଯ୍ୟ ସିଟିଟିସିରେ ହୋଇଥିବା ବେଳେ ଇସ୍ରୋ ୟୁନିଟ୍ଠାରେ କେବଳ ଏହାକୁ ଯୋଡ଼ାଯାଇଛି । ଚଳିତ ବର୍ଷ ଡିସେମ୍ବରରେ ଗଗନ ଯାନ ଅଧୀନ ପ୍ରଥମ ପରୀକ୍ଷଣ ଜି-୧ କ୍ୟାପସୁଲରେ ଏକାକୀ ଭ୍ୟୋମିତ୍ର ଯାତ୍ରା କରିବ । ଏହାର ଯାତ୍ରା ସଫଳ ରହିଲେ ୨୦୨୭ରେ ମହାକାଶଚାରୀଙ୍କୁ ପଠାଯିବ ।
ସଂସ୍କୃତ ଶବ୍ଦ ଭ୍ୟୋମ ଏବଂ ମିତ୍ର ଅର୍ଥାତ୍ ମହାକାଶ ମିତ୍ରକୁ ସଂଯୋଗ କରି ଭ୍ୟୋମିତ୍ର ନାମକରଣ କରାଯାଇଛି । ଇସ୍ରୋର ଆଇଆଇଏସୟୁ ତ୍ରିଭେନ୍ଦ୍ରମ ପକ୍ଷରୁ ଏହି ଦାୟିତ୍ୱ ଦିଆଯିବା ପରେ ଉତ୍ସାହର ସହ କାମ ଆରମ୍ଭ କରିଦେଇଥିଲେ ସିଟିଟିସି କର୍ମଚାରୀ । ପ୍ରଡକ୍ସନ ମ୍ୟାନେଜର କେ. ବିଜୟ କୁମାରଙ୍କ ତତ୍ତ୍ୱାବଧାନରେ ପ୍ରାୟ ୭୦ ଜଣିଆ ଟିମ୍ ଏହି ପ୍ରକଳ୍ପର ସଫଳତା ପାଇଁ ଲାଗିପଡ଼ିଲେ । ସିନିୟର୍ ଇଞ୍ଜିନିୟର ଏଲ୍. ଶିବରାମ କ୍ରିଷ୍ଣା, ଆଶିକ ରସିଦ୍, ପ୍ରଶାନ୍ତ କୁମାର ପରିଡ଼ା ପ୍ରକଳ୍ପର ନେତୃତ୍ୱ ନେଇଥିଲେ । ଦୁର୍ଗା ପ୍ରସାଦ ରଥ, ଜଗନ୍ନାଥ ମହାଲ୍ଲିକଙ୍କ ସମେତ ୧୨ ଦକ୍ଷ ଟେକ୍ନିସିଆନ୍, ରାମଚନ୍ଦ୍ର ହେମ୍ବ୍ରମ୍, ଶୁଭଶ୍ରୀ ମଲ୍ଲିକଙ୍କ ଭଳି ୬ ଜଣ ଦକ୍ଷ ଇଞ୍ଜିନିୟରଙ୍କ ସମେତ ସନ୍ତୋଷ କୁମାର ବଡ଼ନାୟକଙ୍କ ସହ ୮ ଜଣ ମାଷ୍ଟର କ୍ରାଫ୍ଟସମ୍ୟାନ୍ ତଥା ସୁପରଭାଇଜର୍ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଏହି ପ୍ରକଳ୍ପକୁ ଶେଷ କରିଥିଲେ ।
ପ୍ରକଳ୍ପକୁ ଶେଷ କରିବା ଲାଗି ଇସ୍ରୋ ଆଇଆଇଏସୟୁ ପକ୍ଷରୁ ୬ ମାସର ସମୟ ଦିଆଯାଇଥିବା ବେଳେ କେବଳ ୪ ମାସରେ ରୋବୋଟ୍ ଯନ୍ତାଂଶ ତିଆରି କରି ହସ୍ତାନ୍ତର କରିଛି ସିଟିଟିସି ଭୁବନେଶ୍ୱର ଟିମ୍ । ମୁଣ୍ଡ, ଦୁଇଟି ହାତ ଓ ଶରୀର ଥାଇ ପାଦ ନଥିବା କାରଣରୁ ଏହାକୁ ଅର୍ଦ୍ଧ ହ୍ୟୁମାନୋଇଡ୍ ରୋବଟ୍ କୁହାଯାଉଛି । ଥ୍ରିଡିମେଟାଲ୍ ପ୍ରିଣ୍ଟିଂ ଦ୍ୱାରା ନିର୍ମିତ ଏହି ରୋବୋଟ୍ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପରିଚାଳିତ । ଟାଇଟାନିୟମ୍ ଧାତୁରେ ନିର୍ମିତ ଏହାର ମୁଣ୍ଡଟି ଏଏଲଏସଆଇ ୧୦-ମିଲିଗ୍ରାମରେ ତିଆରି କରାଯାଇଛି, ଯାହାର ଓଜନ ୮୦୦ ଗ୍ରାମ । ଗଗନ ଯାନ ମିଶନରେ ମହାକାଶଚାରୀମାନେ ଯିବା ପୂର୍ବରୁ ଏହି ରୋବୋଟ୍ ମହାକାଶକୁ ଯାତ୍ରା କରିବ । ରୋବୋଟିକ୍ସ ଟେକ୍ନୋଲୋଜୀ ମାଧ୍ୟମରେ ସୃଷ୍ଟି କରାଯାଇଥିବା ଏହି ମହିଳା ରୋବୋଟ୍ ମହାକାଶରେ ତଥ୍ୟ ସଂଗ୍ରହ କରି ଇସ୍ରୋକୁ ପଠାଇବ । ଏହା ଅନ୍ତରୀକ୍ଷ ଯାନ ଭିତରେ ରହି କାମ କରିବ, ବାହାରକୁ ଯିବ ନାହିଁ । ମହାକାଶ ପରିବେଶ ମଣିଷ ଉପରେ କିଭଳି ପ୍ରଭାବ ପକାଇବ, ତାହା ଭ୍ୟୋମିତ୍ର ମାଧ୍ୟମରେ ପୃଥିବୀ ପୃଷ୍ଠରୁ ଅନୁଧ୍ୟାନ କରାଯିବ । ସେଠାକାର ପରିସ୍ଥିତିରେ ଜଣେ ମଣିଷ ଜୀବିତ ରହିପାରିବ କି ନାହିଁ ତାହା ଜାଣିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ତରୀକ୍ଷ ଯାନ ଭିତର ତାପମାତ୍ରା, ବାୟୁର ଚାପ, ଆର୍ଦ୍ରତା ଆଦିର ତଥ୍ୟ ପୃଥିବୀ ପୃଷ୍ଠକୁ ପଠାଇବା ଏହି ରୋବୋଟ୍ର ମୁଖ୍ୟ କର୍ତ୍ତବ୍ୟ ।
ଏହି ରୋବୋଟ୍ ଅନ୍ତରୀକ୍ଷ ଯାନରେ ଏକାକୀ ସ୍ୱିଚ୍ ଅପରେଟ୍ କରିପାରିବ । ପୃଥିବୀ ପୃଷ୍ଠରୁ ଆଦେଶ ମିଳିଲେ ଏହା ଅପରେଟ୍ କରିବ । କୌଣସି ଅପ୍ରତ୍ୟାଶିତ ଅସୁବିଧା ହେଲେ ତତ୍କ୍ଷଣାତ୍ ପରବର୍ତ୍ତୀ ପଦକ୍ଷେପ ଲାଗି ଆଦେଶ ମାଗିବ । ହିନ୍ଦୀ ଓ ଇଂରାଜୀରେ କଥା ହୋଇପାରିବ ଓ ମେସେଜ୍ ପଠାଇପାରିବ । ଭ୍ୟୋମିତ୍ର ପଠାଇଥିବା ତଥ୍ୟ ଅନୁସାରେ ଗଗନ ଯାନ ଅଭିଯାନରେ ଯିବାକୁ ଥିବା ମହାକାଶଚାରୀମାନଙ୍କୁ ପ୍ରଶିକ୍ଷିତ କରାଯିବ । ସେହି ପରିବେଶରେ ବଞ୍ଚିବା ପାଇଁ ସେମାନଙ୍କ ଶରୀରକୁ ସେହି ଢାଞ୍ଚାରେ ଅଭ୍ୟସ୍ତ କରାଯିବ । ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ନିଜେ କିପରି ବଞ୍ଚିପାରିବ ଏବଂ ମଣିଷକୁ ବଞ୍ଚିବାକୁ ଶିଖାଇବ ଭ୍ୟୋମିତ୍ର । ପୂର୍ବରୁ ମଧ୍ୟ ଚନ୍ଦ୍ରଯାନ-୩ ପାଇଁ ୧୨ କୋଟିରୁ ଊଦ୍ଧ୍ୱର୍ ମୂଲ୍ୟ ବିଶିଷ୍ଟ ଉନ୍ନତ ଗୁଣବତ୍ତା ଥିବା ୭୫ ହଜାରଟି ଜଟିଳ ଯନ୍ତ୍ରାଂଶ ପଠାଇଥିଲା ସିଟିଟିସି ଭୁବନେଶ୍ୱର । ସେହିପରି ଚନ୍ଦ୍ରଯାନ-୨ ପାଇଁ ମଧ୍ୟ ଆବଶ୍ୟକ ଯନ୍ତାଂଶ ଏଠାରେ ତିଆରି କରାଯାଇଥିଲା ବୋଲି ସିଟିଟିସି ପକ୍ଷରୁ ଜଣାପଡ଼ିଛି ।