ଭୁବନେଶ୍ବର, ୧୦।୯ : ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ବିଭାଗର ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଗୋଟିଏ ଲେଖାଏଁ ପ୍ରସ୍ତାବକୁ ବୈଠକରେ ମଞ୍ଜୁରି ମିଳିଛି।
ଭୁବନେଶ୍ବର ମଧ୍ୟରେ ଏକ ନିୟୁ ସିଟି ମାଷ୍ଟର ପ୍ଲାନକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିକୁ ନେଇ ହେବ। ଏହା ରାଜ୍ୟର ଦୀର୍ଘକାଳୀନ ବିକାଶ ଯୋଜନା ‘ବିକଶିତ ଓଡ଼ିଶା ୨୦୩୬′ ସହ ଜଡ଼ିତ ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ଭାବେ ତିଆରି ହେବ। BDA-SJI ମିଳିତ ଭାବେ ବିକଶିତ କରିବେ ନ୍ୟୁ ସିଟି। ୧୫ ବର୍ଷରେ ଛିଡ଼ା ହେବ ସଂପୂର୍ଣ୍ଣ ନ୍ୟୁ ସିଟି। ସେହିଭଳି କ୍ୟାବିନେଟ୍ ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯେଉଁଥିରେ ୧୧୮କୋଟି ୯୮ଲକ୍ଷ ଟଙ୍କାରେ ୪୨୮ଟି ନୂଆ ଆମ୍ବୁଲାନ୍ସ କିଣିବାକୁ ମଞ୍ଜୁରୀ ମିଳିଛି।
ସଡ଼କ ଓ ପରିବହନ ବିଭାଗର ପ୍ରସ୍ତାବିତ ମୋଟର ଭେଇକଲ ଆକ୍ଟ ସଂଶୋଧନ ଉପରେ ମୋହର ମରାଯାଇଛି । ଏହାଦ୍ବାରା ଏକକାଳୀନ ଫାଇନ୍ ସେଟଲମେଣ୍ଟ କରାଯାଇପାରିବ । ସେହିପରି ବିଡିଓ, ଯନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତାକୁ ବଢାଯାଇଛି। ବିଡିଓମାନଙ୍କର ବିଲ୍ ପାସ୍ କରିବାର ଆର୍ଥିକ କ୍ଷମତା ୨ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । କନିଷ୍ଠ ଓ ସହକାରୀ ଯନ୍ତ୍ରୀମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ପ୍ରଦାନ କରିପାରିବେ । ସହକାରୀ ନିର୍ବାହୀ ଯନ୍ତ୍ରୀମାନେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ମଞ୍ଜୁରୀ ପ୍ରଦାନ କରିପାରିବେ । ନିର୍ବାହୀ ଯନ୍ତ୍ରୀ ଓ ଅତିରିକ୍ତ ନିର୍ବାହୀ ଅଧିକାରୀମାନେ ୨୦ଲକ୍ଷରୁ ୧କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରୀ କରିପାରିବେ । ୪ କୋଟି ଟଙ୍କା ଯାଏ ପ୍ରକଳ୍ପ ଅନୁମୋଦନ ଦେଇପାରିବେ ଏସଇ। ୪ କୋଟିରୁ ଅଧିକ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ଅନୁମୋଦନ ଦେଇପାରିବେ।