ଭୁବନେଶ୍ୱର, ୨୨/୦୯: କ୍ୟାପିଟାଲ ହସ୍ପିଟାଲରେ ୧୩ ମାସର ଶିଶୁର ମୃତ୍ୟୁ ହୋଇଛି । ଭୁଲ୍ ଔଷଧ ଦେବାକୁ ଶିଶୁର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହା ପରେ କ୍ୟାପିଟାଲ ହସ୍ପିଟାଲ୍ରେ ଉତ୍ତେଜନା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ହସ୍ପିଟାଲ ଭିତରକୁ ଧସେଇ ପଶିଛନ୍ତି । ମୃତ ଶିଶୁର ବାପା ଜଣେ ଅଟୋ ଡ୍ରାଇଭର। ଶିଶୁର ମୃତ୍ୟୁ ପରେ ପରିବାର ବର୍ଗଙ୍କ ଦୁଖରେ ସାମିଲ ହୋଇଛନ୍ତି ସ୍ମାର୍ଟ ଅନଲାଇନ ଅଟୋ ସଂଘ। କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରେ ଅଟୋ ରଖି ଆନ୍ଦୋଳନ କରୁଛନ୍ତି । ବିମାନବନ୍ଦର ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ଯାଏ ରାସ୍ତା ଅବରୋଧ କରିଛନ୍ତି । ଏହି ସମୟରେ ପୁଲିସ ଅଟୋ ଚାଳକଙ୍କୁ ବାଡେଇବାରୁ ଉତ୍ତେଜନା ପ୍ରକାଶ ପାଇଛି।
ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଶିଶୁ ମୃତ୍ୟୁ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ଏକ ସ୍ବତନ୍ତ୍ର କମିଟି ଏହା ତଦନ୍ତ କରିବ । ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି କହିଛନ୍ତି।