ଚନ୍ଦ୍ରଶେଖରପୁର,୨୪/୭ : ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଇନ୍ଦ୍ର, ବରୁଣ, କୁବେର ମା’ଙ୍କୁ ଅସ୍ତ୍ର ପ୍ରଦାନ କରି ନମସ୍କାର ମୁଦ୍ରାରେ ମହାମାୟାଙ୍କୁ ଦର୍ଶନ କରୁଛନ୍ତି । ମା’ଙ୍କ ପାର୍ଶ୍ୱରେ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଓ କାର୍ତ୍ତିକ ବିରାଜମାନ ଅଛନ୍ତି । ଜଗତଜନନୀ ମା’ଦୁର୍ଗା ଶୁମ୍ଭ, ନିଶୁମ୍ଭ, ମହିଷାସୁରଙ୍କୁ ବଧ କରୁଛନ୍ତି । ଏଭଳି ୧୭ ଦେବଦେବୀଙ୍କୁ ନେଇ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳିବ ଚନ୍ଦ୍ରଶେଖରପୁରର ଡିଷ୍ଟ୍ରିକ୍ଟ ସେଣ୍ଟର ପୂଜା ମଣ୍ଡପରେ । ଯାହା କି ଏହି ମଣ୍ଡପର ମୁଖ୍ୟ ଆକର୍ଷଣ । ବଡ଼ କଥା ହେଲା ଭସାଣିରେ ମା’ଙ୍କ ସହିତ ମାଟି ହାଣ୍ଡିରେ ଲଡୁ ଭାର ଦିଆଯାଏ ।
ପରମ୍ପରା ଅନୁସାରେ ମା’ ବାପଘରୁ ଭସାଣିରେ ଶାଶୁଘର ଯାଉଥିବାରୁ ଏହି ଲଡୁ ଭାର ସାଙ୍ଗରେ ପଠାଯାଏ । ୨୦୦୮ରୁ ଆରମ୍ଭ ହୋଇଥିବା ପୂଜା ଚଳିତଥର ୧୮ ବର୍ଷରେ ପହଞ୍ଚିଛି । ଶ୍ରୀଜଗନ୍ନାଥ, ମା’ଦକ୍ଷିଣକାଳୀ ଓ ମା’ଉଗ୍ରତାରା ପୀଠରୁ ଆଜ୍ଞାମାଳ ଆସିବା ପରେ ପବିତ୍ର ସୁନିଆରେ ମାଟି ଅନୁକୂଳ ହୋଇଥାଏ । ଚଳିତବର୍ଷ ନୀଳଗିରି ରାଜ ପ୍ରାସାଦ ଆକୃତିର ତୋରଣ ଅଧିକ ଶୋଭା ବଢ଼ାଇବ । ତୋରଣର ଉଚ୍ଚତା ୪୫ ଫୁଟ ଏବଂ ଓସାର ୫୫ ଫୁଟ ରହିଛି । ଏଥର ବଜେଟ୍ ୮ଲକ୍ଷ ଟଙ୍କା ରଖାଯାଇଛି । ମା’ଙ୍କ ୧୫ଫୁଟର ମୃଣ୍ମୟ ମୂର୍ତ୍ତି ସହ ୨ ଫୁଟର ମୁକୁଟ ରହିବ । ଏଥିପାଇଁ କେନ୍ଦ୍ରାପଡ଼ାର ୮ ଜଣ ଦକ୍ଷ କାରିଗର ଲାଗିଛନ୍ତି । ନବମୀରେ ୭୦୦ ଭକ୍ତଙ୍କ ପାଇଁ ଦହି ପଖାଳ, ଶାଗ ଭଜା ହେବ । ଦଶମୀରେ ପାଖାପାଖି ୧୨୦୦ ଭକ୍ତଙ୍କୁ ପ୍ରସାଦ ବଣ୍ଟା ଯିବ ।
ସେହିପରି ଷଷ୍ଠୀଠୁ ଦଶମୀ ପର୍ଯ୍ୟନ୍ତ ଦର୍ଶନ କରିବାକୁ ଆସିଥିବା ଭକ୍ତମାନଙ୍କୁ ୫ କୁଇଣ୍ଟାଲ ଲଡୁ ଭୋଗ ବଣ୍ଟାଯିବ। ସପ୍ତମୀରୁ ଦଶମୀ ମଧ୍ୟରେ ଭାଗବତ ଚର୍ଚ୍ଚା, ଭଜନ ସମାରୋହ ସହ ଅନ୍ୟାନ୍ୟ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ସୁରକ୍ଷା ଦୃଷ୍ଟିରୁ ପୂଜା ମଣ୍ଡପରେ ୬ଟି ସିସିଟିଭି କ୍ୟାମେରା, ୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ସହ ୩୦ ଜଣ ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ। ପାରମ୍ପରିକ ବାଜା, ଘଣ୍ଟ ଓ ସଂକିର୍ତ୍ତନରେ ଭସାଣି ଶୋଭାଯାତ୍ରା ହେବ।