ଭୁବନେଶ୍ଵର, ୨୮/୧୦ : ଭୁବନେଶ୍ୱର ଛଟ୍‌ ପୂଜା କମିଟି ପକ୍ଷରୁ ମଞ୍ଚେଶ୍ୱର ସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଛଟ୍‌ ପୂଜା ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଧର୍ମପତ୍ନୀ ଡଃ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଯୋଗ ଦେଇଛନ୍ତି ଏବଂ ସମସ୍ତ ପୂଜାର ବିଧି ପାଳନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି ରାଜ୍ୟବାସୀଙ୍କ ମଙ୍ଗଳା କାମନା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର “ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତା”ର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ଏବଂ ଓଡ଼ିଶାରେ ଛଟ୍ ପୂଜା ଏହି ସାଂସ୍କୃତିକ ଏକତାର ଉଦାହରଣ। ଛଟ୍ ପର୍ବ ଆମକୁ ଶିଖାଏ ଯେ, ଜୀବନର ସତ୍ୟ ଆଧାର ହେଉଛି ପ୍ରକୃତି, ଜଳ, ବାୟୁ ଓ ସୂର୍ଯ୍ୟର ଶକ୍ତି । ଏହି ପର୍ବ ମାଧ୍ୟମରେ ଆମେ ପ୍ରକୃତି ଓ ପରିବେଶ ପ୍ରତି ଆପଣଙ୍କ ଋଣସ୍ୱୀକାର ବ୍ୟକ୍ତ କରୁଛୁ। ଏଣୁ ଆମେ ପ୍ରକୃତି ସହିତ ପ୍ରେରଣା ପାଉ।

ଛଟ୍ ପର୍ବର ସବୁଠୁ ବଡ଼ ବିଶେଷତା ହେଉଛି ଯେ, ଏହି ପର୍ବରେ କୌଣସି ଦେଖାଣିଆ କିମ୍ବା ଆଡମ୍ବର ନଥାଏ କେବଳ ନିଷ୍ଠା ଓ ଆତ୍ମିକ ଶ୍ରଦ୍ଧା ରହେ । ଏହି ପର୍ବ ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଏବଂ ଏହି ପର୍ବର ଆତ୍ମା । କହିବାକୁ ଗଲେ, ଛଟ୍ ପୂଜାର ପରମ୍ପରା ଉତ୍ତର ଭାରତୀୟ ରାଜ୍ୟ-ବିହାର, ଝାରଖଣ୍ଡ, ଉତ୍ତର ପ୍ରଦେଶ ରାଜ୍ୟ ମାନଙ୍କରେ ପାଳନ କରାଯାଏ । ମୁଁ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ଯେ ଏବେ ଓଡ଼ିଶାରେ ମଧ୍ୟ ଛଟ୍ ପୂଜାର ଉତ୍ସବ ବିଶେଷ ଉଲ୍ଲାସ ଓ ଭକ୍ତିଭାବର ସହିତ ପାଳନ ହେଉଛି।ଓଡ଼ିଶା ବିକାଶର ନୂତନ ମାର୍ଗରେ ଆଗକୁ ବଢ଼ୁ, ଆମ ଚାଷୀ, ଶ୍ରମିକ, ଯୁବ ଓ ମାତୃଶକ୍ତି ସଶକ୍ତ ହୁଅନ୍ତୁ, ଏବଂ ପ୍ରତ୍ୟେକ ଘରେ ଖୁସିର ଆଲୋକ ବିକିରଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱାସ ଫାଉଣ୍ଡେସନର ସଭାପତି ରାଜକୁମାର, ଉପ ସଭାପତି ଅଜୟ ବାହାଦୂର ସିଂହ, ସାଧାରଣ ସଚିବ ଅଶୋକ ଭଗତ୍, ବିହାର ଉନ୍ନୟନ ପରିଷଦର ସଂଯୋଜକ ଆନନ୍ଦ ମୋହନ ପ୍ରମୁଖ ଉପସ୍ଥିତ ଥିଲେ।

ଲୋକ ବିଶ୍ଵାସ ଓ ସୂର୍ଯ୍ୟଙ୍କ ଉପାସନାର ପର୍ବ ହେଉଛି ଛଟ୍‌ ପୂଜା। ସାରା ଦେଶରେ ଏହି ପର୍ବକୁ ଖୁବ୍ ଉଲ୍ଲାସର ସହ ପାଳନ କରାଯାଉଛି। ଭୁବନେଶ୍ଵରରେ ରହୁଥିବା ଉତ୍ତରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡ  ରାଜ୍ୟର ଲୋକମାନେ ୪ଦିନ ଧରି ନିଷ୍ଠାର ସହ ଏହି ପୂଜା ପାଳନ କରନ୍ତି। ପୂଜା ସମୟରେ ବ୍ରତଧାରୀ ପୁରୁଷ ଓ ମହିଳା ଉଭୟ କଠୋର ଉପବାସ ପାଳନ କରି ଶାରୀରିକ ଓ ଆଧ୍ୟାତ୍ମିକ ପବିତ୍ରତା ବଜାୟ ରଖନ୍ତି । ପରିବାର ଓ ସମାଜର ମଙ୍ଗଳ, ସମୃଦ୍ଧି ଓ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି। 

ପୂଜାର ପ୍ରଥମ ଦିନରେ ଗୃହିଣୀମାନେ ସକାଳୁ ସ୍ନାନ ପରେ ବିନା ପିଆଜ, ରସୁଣରେ ଶାକାହାରୀ ଭୋଜନ ପ୍ରସ୍ତୁତ କରି ପରିବାର ସହିତ ପ୍ରସାଦ ଗ୍ରହଣ କରନ୍ତି । ଦ୍ୱିତୀୟ ଦିନ ନିର୍ଜଳା ଉପବାସ କରନ୍ତି ଏବଂ ଛଟି ମାତାଙ୍କୁ ପ୍ରାର୍ଥନା କରି ସନ୍ଧ୍ୟା ପୂଜାରେ ଗୁଡ଼ ଓ  ନୂତନ ଚାଉଳ ସହିତ ପ୍ରସ୍ତୁତ ଖିରି ଅର୍ପଣ କରନ୍ତି। ତୃତୀୟ ଦିନ ଅପରାହ୍ଣରେ ବ୍ରତଧାରୀମାନେ ନଦୀ କୂଳରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ପୂଜା କରନ୍ତି। ଚତୁର୍ଥ ଦିନ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ବ୍ରତ ସମାପନ କରନ୍ତି। ପୃଥିବୀ, ଆକାଶ ଓ ଜଳ ଦେବତାଙ୍କୁ  ସୁମରଣା କରି ପରିବାରର ମଙ୍ଗଳ କାମନା କରନ୍ତି।

​​​​​​​