ଭୁବନେଶ୍ୱର, ୦୫/୧୦: ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ରବିବାର ଭୁବନେଶ୍ବରର କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଶ୍ରୀମଦ୍ ଭାଗବତ ମହୋତ୍ସବ ଆୟୋଜିତ । ଏଥିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତି ଗାଁରେ ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଯୁବବର୍ଗ ସମାଜର ସମସ୍ତ ବିକାଶରେ ମୁଖ୍ୟ ଭୂମିକା ନିଭାଇଥାନ୍ତି ଏଣୁ ସେମାନଙ୍କୁ ଏହି ମାର୍ଗରେ ନେବା ପାଇଁ ଭାଗବତ ପାଠ ଏକ ବଳିଷ୍ଠ ମାଧ୍ୟମ।
ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରୀମଦ୍ ଭାଗବତ ଗ୍ରନ୍ଥ, ପରମ୍ପରା, ଭକ୍ତି ଓ ଧର୍ମର ଅମୂଲ୍ୟ ଶିକ୍ଷା ଜନସାଧାରଣଙ୍କୁ ଭଗବତ କାର୍ଯ୍ୟରେ ସଂପୃକ୍ତ କରେ । ସେହି ଦୃଷ୍ଟିରୁ ଏହି ମହୋତ୍ସବ ଆମ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମଦ୍ ଭାଗବତ ଗ୍ରନ୍ଥର ମହତ୍ଵ ପାଞ୍ଚଗୋଟି ମୂଳତତ୍ତ୍ୱ ଯଥା, ଇଶ୍ବର, ଜୀବ, ପ୍ରକୃତି, କାଳ ଏବଂ କର୍ମକୁ ନେଇ ଏ ବିଶ୍ବ ସଞ୍ଚାଳିତ। ସେଥିପାଇଁ ସନାତନ ପରମ୍ପରାରେ ଜୀବନ ଦୀପ ଲିଭିବା ପୂର୍ବରୁ ଶ୍ରୀମଦ୍ ଭାଗବତ ଶୁଣି ଶେଷ ନିଶ୍ବାସ ତ୍ୟାଗ କରିବା ପ୍ରତ୍ୟେକ ସନାତନୀର ଶେଷ ଇଚ୍ଛା। ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ, ସମସ୍ତେ ପ୍ରତ୍ୟେହ ଭାଗବତ ପାଠ କରନ୍ତୁ, କାରଣ ଏହା ଆମ ଜୀବନକୁ ଏକ ସୁସ୍ଥ ଧାର୍ମିକ ଓ ନୈତିକ ଦିଗରେ ନେଇଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ପ୍ରକାରର ମହୋତ୍ସବ ସମାଜରେ ଏକତାର ସୂଚକ । ଏହା ଭକ୍ତି, ସମ୍ମାନ, ଓ ମୌଳିକ ମୂଲ୍ୟକୁ ଦୃଢ଼ କରେ। ଏହି ମହୋତ୍ସବର ଅନୁଭୂତି ଓ ଶିକ୍ଷା ଉପସ୍ଥିତ ସୁଧିବୃନ୍ଦଙ୍କ ଜୀବନରେ ନିତିମୂଳକ, ଧର୍ମୀୟ, ଓ ସାମାଜିକ ଉନ୍ନତି ଆଣିବାରେ ସାହାଯ୍ୟ କରିବ।
୨୦୧୪ ପରେ ଭାରତରେ ଭାରତୀୟ ସଂସ୍କୃତି, ପରମ୍ପରାର ଏକ ପ୍ରକାର ଅଭ୍ୟୁଦୟ ହୋଇଛି, କାରଣ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ନାରା ଦେଇଛନ୍ତି, ‘ବିକାଶ ଭି, ବିରାଶତ ଭି'। ପ୍ରଧାନମନ୍ତ୍ରୀ ଏହି ଭାବକୁ କେବଳ ସ୍ଲୋଗାନ କି ଭାବନାରେ ସୀମାବଦ୍ଧ କରି ରଖି ନାହାନ୍ତି। ଏହାର ପ୍ରମାଣ ହେଉଛି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ମହାକୁମ୍ଭରେ ରେକର୍ଡ ୬୮ କୋଟି ଶ୍ରଦ୍ଧାଳୁଙ୍କ ଆଗମନ, କାଶୀ ବିଶ୍ବନାଥ କରିଡର, ମହାକାଳ କରିଡର ନିର୍ମାଣ । ଆଜି ଦେଶରେ ଏକ ଧର୍ମୀୟ ଭାବନାର ପୁନର୍ଜାଗ୍ରତ ହୋଇଛି ଏବଂ ଏହାର ନେତୃତ୍ବ ନେଇଛନ୍ତି ଏ ଦେଶର ଯୁବ ସମାଜ । ଆଜି ପ୍ରତ୍ୟେକ ହିନ୍ଦୁ ସଗର୍ବେ ନିଜକୁ ସନାତନୀ ଭାବେ ପରିଚୟ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ପୁଣି କହିଥିଲେ ଯେ, ରାଜ୍ୟ ସରକାର ପ୍ରଥମ ଦିନରୁ ହିଁ ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହିତ ଏହାର ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ପଦକ୍ଷେପ ଐତିହ୍ୟ ନେଉଛନ୍ତି । ଗତକାଲି ରାଜ୍ୟର ସବୁ ପୁରାତନ ଓ ଐହିତ୍ୟ ସମ୍ପନ୍ନ ଦୁର୍ଗାମେଢଙ୍କୁ ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେଇଛନ୍ତି । ଯାହା ଓଡିଶାରେ ପ୍ରଥମ ଥର ପାଇଁ ହୋଇଛି। ଶୀତଳ ଷଷ୍ଠୀ ଯାତ୍ରା ହେଉ କି ଧନୁଯାତ୍ରା ହେଉ କି ଓଡିଶାର ମନ୍ଦିର ମଠର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି । ଏହି ମହତ କାର୍ଯ୍ୟ ଆଗାମୀ ଦିନରେ ଜାରି ରହିବ।
କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ପଦ୍ମଶ୍ରୀ ବାବା ବଳିଆ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଅସ୍ମିତାର କାର୍ଯ୍ୟକାରିତା ନିଖୁଣ ଭାବେ ସମ୍ପାଦନ କରୁଥିବାରୁ ଧନ୍ୟବାଦ ଦେବା ସହିତ ଆଗାମୀ ସମୟରେ ଶ୍ରୀମଦ୍ ଭାଗବତର ତତ୍ୱକୁ ପ୍ରତ୍ୟେକ ଓଡ଼ିଆ ଘରେ ଘରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଓଡ଼ିଆ, ଭାଷା ସଂସ୍କୃତି ଓ ସାହିତ୍ୟ ସମେତ ଭଗବତ ଚିନ୍ତା ଚେତନା ପୁନଃ ନବୀକରଣ ହେବ। କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମିତିର ପୂର୍ବ ପ୍ରାନ୍ତ ପ୍ରମୁଖ ଚନ୍ଦ୍ରକାନ୍ତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଧର୍ମ ଜାଗରଣ ସମିତିର ସଂଯୋଜକ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଧନ୍ୟବାଦ ଦେଇଥିଲେ।