ନୂଆଦିଲ୍ଲୀ: କଫସିରପ ମାମଲାର ଯାଞ୍ଚ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗୁରୁବାର ନାଗପୁର ଗସ୍ତ କରିଛନ୍ତି। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ ଭେଟିବା ସହ ତାଙ୍କ ପରିବାର ଲୋକମାନଙ୍କ ସହ କଥା ମଧ୍ୟ ହୋଇଥିଲେ। ଆପଣଙ୍କୁ ଜଣାଇରଖୁ ଯେ, ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ କୋଲ୍ଡରିଫ ନାମକ ଏକ ବିଷାକ୍ତ କଫସିରପ ଖାଇ ୨୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଶିଶୁ ଗୁରୁତର ହୋଇଛନ୍ତି।
ଏହି ଗସ୍ତ ସମୟରେ ସିଏମ ମୋହନ ଯାଦବ ସେଠାରେ ଉପସ୍ଥିତ ଥିବା ସାମ୍ୱାଦିକମାନଙ୍କୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ଯେଉଁଠାରେ ସେ ତାମିଲନାଡୁ ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ନିଜ ମତ ରଖି ସେ କହିଛନ୍ତି ଯେ, ଏହି ମାମଲାରେ ତାମିଲନାଡୁ ସରକାର ଆମକୁ କୌଣସି ପ୍ରକାର ସହଯୋଗ କରୁନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ “ରାଜ୍ୟର ଡ୍ରଗ କଣ୍ଟ୍ରୋଲର ନିର୍ଦ୍ଦେଶ ମୁତାବକ ନନ ଷ୍ଟାଣ୍ଡାର୍ଡ ଔଷଧ ଗୁଡିକର ଯାଞ୍ଚ ଜାରି ରଖିଛନ୍ତି। ଆମେମାନେ ପ୍ରାୟ ସମସ୍ତ ଔଷଦର ସାମ୍ପଲ ସଂଗ୍ରହ କରି ଲ୍ୟାବକୁ ପଠାଉଛୁ। ଯଦି କୌଣସି ଔଷଧ ଜାରି ମାନକ ମଧ୍ୟରେ ଫିଟ ନହୁଏ ତେବେ କମ୍ପାନି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
କଫସିରପ ଖାଇ ଅସୁସ୍ଥ ହୋଇପଡିଥିବା ଶିଶୁମାନଙ୍କୁ ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନା ଓ ଏମ୍ସରେ ଚିକିତ୍ସା କରାଯାଉଛି। ମୋହନ ଯାଦବ ଦୁଇଟିଯାକ ଡାକ୍ତରଖାନା ଗସ୍ତ କରିବା ସହ ସେଠାରେ ଉପସ୍ଥିତ ଥିବା ଡାକ୍ତରମାନଙ୍କ ସହ ମଦ୍ୟ କଥାବାର୍ତ୍ତା ହୋଇଥିଲେ।
ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମଏ ସୁବ୍ରମଣ୍ୟମ, ମୋହନ ଯାଦବଙ୍କ କଥାର ଉତ୍ତର ରଖି କହିଛନ୍ତି ଯେ, କଫସିରପ ବିଷୟରେ ଜଣାପଡିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ନିର୍ମାଣ ଓ ବିକ୍ରୟ ଉପରେ ପ୍ରତିବନ୍ଧକ ଜାରି କରାଯାଇଥିଲା। ଏଥିନେଇ ଉଭୟ କେନ୍ଦ୍ର ଓ ମଧ୍ୟପ୍ରଦେଶ ସରକାରଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା।
ପରିକ୍ଷଣ ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟମ କିହଚନ୍ତି ଯେ, କେନ୍ଦ୍ର ଓ ମଧ୍ୟପ୍ରଦେଶ ସରକାର ଏ କଫସିରପର ସାମ୍ପଲ ପରିକ୍ଷଣ କରିଥିଲେ। ତେବେ ଏହାମଧ୍ୟରୁ କୌଣସି ହାନିକାରକ ଉପାଦାନ ମିଳିଥିବା ପ୍ରମାମିତ ହୋଇପାରିନାହିଁ। ଏହାଛଡା ରାଜ୍ୟର ଦୁଇଜଣ ବରିଷ୍ଠ ଡ୍ରଗ ଇନିସପେକ୍ଟରଙ୍କୁ ମଦ୍ୟ ନିଜ କାମ ଠିକସେ କରିନଥିବାରୁ ବହିଷ୍କାର କରାଯାଇଛି। ତେଣୁ ଏହି ବିଷୟକୁ ନେଇ ଅଯଥା ରାଜନୀତି ନକରିବାକୁ ସେ ପରାମର୍ଶ ଦେଇଛନ୍ତି।