ନୂଆଦିଲ୍ଲୀ ୩୦/୦୯ : ଚୀନ୍‌ର ଶିନଜିୟାଙ୍ଗ ପ୍ରାନ୍ତରେ ରହିଛି ସବୁଠୁ ବଡ଼ ନିର୍ଜନ ମରୁଭୂମି ଟକଲାମକାନ । ମରୁଭୂମି ବାଲିରେ କିଛି ଯୁଦ୍ଧ ଜାହାଜ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ସାଟେଲାଇଟ୍‌ ଛବିରେ ରେଳ ଲାଇନ୍‌, ରନ୍‌ୱେ ଓ ନୌସେନା ବେସ୍‌ ମଧ୍ୟ ଦେଖିବାକୁ ମିଳିଛି । ସମୁଦ୍ରଠୁ ଶତାଧିକ କିମି ଦୂର ଏହି ମରୁଭୂମିରେ ଯୁଦ୍ଧଜାହାଜର କାମ କଣ ? ଏହା ଚୀନ୍‌ର କୌଣସି ନୂଆ ରଣନୀତି ନୁହେଁ ତ !

ଗ୍ରୀଷ୍ମଋତୁରେ ଟକଲାମକାନ ମରୁଭୂମିର ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ । ଶୀତରେ ଏହାର ରାତି ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିଯାଏ । ବର୍ଷରେ ଏଠାରେ ୧୦୦ ମିଲିମିଟରରୁ ମଧ୍ୟ କମ୍‌ ବର୍ଷା ହୁଏ । ଏଠାରେ ମାନବ ବସତି ନାହିଁ, କେବଳ ବାଲି । କିନ୍ତୁ ଏହାର ସାଟେଲାଇଟ୍‌ ଫଟୋଗୁଡ଼ିକୁ ଜୁମ୍‌ କଲେ, କିଛି ଆକୃତି ଦେଖିବାକୁ ମିଳୁଛି । ସାଟେଲାଇଟ୍‌ ଫଟୋରୁ ଏଠାରେ ଜାହାଜ ଭଳି ଆକୃତି ଦିଶୁଛି, ଯାହା ଉପରେ ରନ୍‌ୱେ ନିର୍ମିତ ହୋଇଛି । ଏହା ସମୁଦ୍ର ଯୁଦ୍ଧରେ ବ୍ୟବହୃତ ବିମାନ-ବାହକ ଭଳି, ଯେଉଁଠୁ ଜେଟ୍‌ ଉଡ଼ାଣ ଭରିପାରିବେ ।

ଆଉ ଏକ ବିମାନ-ବାହକ ତଥା ଆକ୍ରମଣରେ ପ୍ରୟୋଗ ହେଉଥିବା ବିଧ୍ୱଂସକ ଜାହାଜ ବି ଦେଖିବାକୁ ମିଳିଛି । ଅନ୍ୟ ଫଟୋରେ ରନ୍‌ୱେ ମଧ୍ୟ ଦିଶୁଛି, ଯାହା ପ୍ରାୟ ୨ କିମି ଲମ୍ବା । ଏହାର ଦକ୍ଷିଣ ପାଶ୍ୱର୍ରେ ୨୦ରୁ ଅଧିକ ବିମାନ ପାର୍କ କରାଯାଇଛି । ଆମେରିକାର ଏକ ଘରୋଇ ମହାକାଶ ଟେକ୍ନୋଲୋଜି କମ୍ପାନି ସାଟେଲାଇଟ୍‌ରେ ଏହି ଦୃଶ୍ୟକୁ କଏଦ କରିଛି । ସମୁଦ୍ରଠୁ ଶହ ଶହ କିମି ଦୂରରେ ଲଢୁଆ ଜାହାଜ, ରନ୍‌ୱେ ଓ ଜେଟ୍‌ଗୁଡ଼ିକର କାମ କଣ ହୋଇପାରେ ବୋଲି ଏହାକୁ ନେଇ ପ୍ରଶ୍ନ ଉଠିଛି ।

ଆଶଙ୍କା ଯେ ଆମେରିକାକୁ କୌଣସି ପ୍ରକାର ଚକ୍‌ମା ଦେବା ପାଇଁ ତାରି ଭଳି ଯୁଦ୍ଧଜାହାଜ ନିର୍ମାଣ କରୁଛି ଚୀନ୍‌ । ଏହାକୁ ଡିସେପ୍ସନ୍‌ ୱାର୍‌ ଟେକ୍ନୋଲୋଜି କୁହାଯାଏ, ଯେଉଁଥିରେ ଶତ୍ରୁକୁ ନିଜ ଶକ୍ତିର ଭୁଲ ତଥ୍ୟ ଦିଆଯାଏ । ଶତ୍ରୁ ଫସିବା ପରେ ଅସଲି ଶକ୍ତି ପ୍ରଦର୍ଶନ କରି ତାକୁ ହରାଇ ଦିଆଯାଏ । ଆମେରିକା ନାଭାଲ ଇନ୍‌ଷ୍ଟିଚ୍ୟୁଟ୍‌ ଏହି ଫଟୋ ଜାରି କରିଛି । ଏହା ଅନୁସାରେ, ଚୀନ୍‌ର ମରୁଭୂମିରେ ଥିବା ଜେଟ୍‌ ଓ ରନ୍‌ୱେ ଅସଲି ନୁହେଁ, ବରଂ ଡମି ବା ନକଲ । ଆମେରିକୀୟ ଆର୍ମି ମଧ୍ୟ ଏହା ସ୍ୱୀକାର କରେ ଯେ ଶତ୍ରୁର ଧ୍ୟାନ ହଟାଇବା ପାଇଁ ଏ ପ୍ରକାର ଡମି ଅସ୍ତ୍ର ଚୀନ୍‌ ପ୍ରସ୍ତୁତ କରୁଛି, ଯାହା ଦୂରରୁ ଅସଲି ଭଳି ଦିଶୁଛି । ଚୀନ୍‌ ୨ୟ ବିଶ୍ୱଯୁଦ୍ଧ, ୧୯୫୦ର କୋରିଆ ଯୁଦ୍ଧ, ସୈନ୍ୟ ଅଭ୍ୟାସରେ ମଧ୍ୟ ଏହି ଟେକ୍ନୋଲୋଜି ପ୍ରୟୋଗ କରି ଶତ୍ରୁକୁ ଚକ୍‌ମା ଦେଇଛି । ଏଥିରେ ନକଲି ଅସ୍ତ୍ର ଦେଖାଇବା, ନକଲି ଢାଞ୍ଚା ଓ ନକଲି ସେନାର ଗତିବିଧି ପ୍ରଦର୍ଶନ ଆଦି ସାମିଲ ।