ମାଲକାନଗିରି,୨୨/୯ (ଆପ୍ର ) : ଦୁର୍ଗମ ଇଲାକା ସିମିଳିବାଞ୍ଛା ଗ୍ରାମ ପଞ୍ଚାୟତ ଠାରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର  ଅନୁଷ୍ଠିତ ହୋଇଯାଇଛି ଏହି ଶିବିରରେ ୭୨ଟି ଅଭିଯୋଗ ଶୁଣାଣି ହୋଇଛି। ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଶିମିଳିବାଞ୍ଛା ପଞ୍ଚାୟତର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲ ପରିଦର୍ଶନ କରି ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦେଇଥିଲେ।

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ ସିମିଳିବାଞ୍ଛା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ  ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ମୋଟ ୭୨ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ ୨୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୫୦ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଶିବିରରେ ରାସନ୍ କାର୍ଡବିଜୁଳି ସଂଯୋଗୀକରଣ, ଜମିଜମା,   ଚାକିରୀପାନୀୟ ଜଳସାମାଜିକ ସୁରକ୍ଷା ପେନସନ ଏବଂ ରାସ୍ତା ଓ କୋଠାବାଡ଼ି ଓ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣୀ ହୋଇଥିଲା।

ଏହି ଶୁଣାଣୀରେ ରାସନ୍ କାର୍ଡ, ଶ୍ରମ କାର୍ଡ, ଆଧାର କାର୍ଡ ଅପଡେଟ, ସ୍ଵାସ୍ଥ୍ୟ କାର୍ଡ, ସାମାଜିକ ସୁରକ୍ଷା ପେନସନ ଓ ଜଙ୍ଗଲ ଜମି  ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ୍ ସେବା ଯୋଗାଇ ଦିଆଯାଇଥିଲା।  ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ  ସିମିଳିବାଞ୍ଛା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନେତାଜୀ ମେମୋରିଆଲ ବିଦ୍ୟା ଭବନ, ଏମ.ଭି-୬୧ ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ପରଖିବା ସହ ଛାତ୍ର ଛାତ୍ରୀଙ୍କ ସହ କଥା ହୋଇ ପିଲାଙ୍କ ପାଠପଢା, ସୁବିଧା ଅସୁବିଧା ବୁଝିଥିଲେ I ତତ୍ ସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଅନ୍ୟାନ୍ୟ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି ।

ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ୍ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପଡିଆ ବିଡିଓ, ସହାୟକ ଜିଲ୍ଲାପାଳ ଅଶୋକ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।