ଜୀବନରେ ଯାହା କିଛି ଶ୍ରେଷ୍ଠ, ଯାହା କିଛି ସତ୍ୟ, ଯାହା କିଛି ସୁନ୍ଦର ତାହାକୁ ଗୋଟିଏ ହାତରୁ ଅନ୍ୟ ହାତକୁ ଆଦୌ ଟେକି ଦିଆଯାଇ ପାରିବ ନାହିଁ । ତାହାକୁ ସିଧା ସଳଖ ନିଜ ଭିତରେ ନିଜର ଅନ୍ୱେଷଣ, ହୃଦୟର ଆନ୍ଦୋଳନ, ପ୍ରାଣର ଆକୁଳ ପ୍ରାର୍ଥନା ଓ ପ୍ରୟାସରେ ପାଇବାକୁ ପଡ଼ିଥାଏ । ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ଏବଂ ନିଜସ୍ୱ ତୃଷ୍ଣା । ତେଣୁ ସମସ୍ତ ବନ୍ଧନରୁ ମୁକୁଳି ଆସିଲେ ହିଁ ତୁମେ ତୁମ ନିଜକୁ ନିଜ ପାଖରେ ଏବଂ ପରମାତ୍ମାଙ୍କ ଦୁଆର ମୁହଁରେ ଅବଶ୍ୟ ପାଇବ ।
ମଣିଷ ତ ଆଜି ଦାସତ୍ୱର ଶୃଙ୍ଖଳରେ ଆଜୀବନ ବନ୍ଧା ପଡ଼ିଛି । ବନ୍ଧନରେ ବାନ୍ଧିହେବାକୁ ସେ ନିତି ପ୍ରତିଦିନ ସ୍ୱାଗତ କରୁଛି । କେତେବେଳେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ, ରାଜନେତା ଏବଂ ପୁଣି କେତେବେଳେ ବିଭିନ୍ନ ବାବା ମା’ ଧର୍ମଗୁରୁଙ୍କ ପାଖରେ ସେ ଗୋଲାମର ବନ୍ଧନରେ ବାନ୍ଧି ହେବାକୁ ସୁଖ ମଣୁଛି । କିନ୍ତୁ ଏକଥା ମନେରଖିବାକୁ ପଡ଼ିବ ଯେ ବନ୍ଧନରେ ବନ୍ଧା ପଡ଼ିଥିବା ମଣିଷ କେବେ ବି ନିଜକୁ ତଥା ପରମାତ୍ମାଙ୍କୁ ପାଇପାରିବ ନାହିଁ । ତୁମକୁ ନିଜ ସହ ନିଜର ପରିଚୟ ପାଇବାକୁ ହେଲେ ତୁମକୁ ବନ୍ଧନମୁକ୍ତ ହେବାକୁ ପଡ଼ିବ । କାହାରି ଗୋଲାମିର ଶିକୁଳିରେ ନିଜକୁ ବାନ୍ଧିଦେବା ଦରକାର ନାହିଁ । ମଣିଷକୁ ତ ମେଣ୍ଢା ବନାଇ ନିଜ ନିଜର ତଥାକଥିତ ଗୋଲାମିର ଗୁହାଳରେ ଚିରକାଳ ବାନ୍ଧିରଖି ମାନସିକ ଶୋଷଣ କରିବାକୁ ଆଜିକାଲି ଦୁନିଆରେ ଭଣ୍ଡବାବା, ମା’ମାନଙ୍କର ଅଭାବ ନାହିଁ ଏବଂ ଅଭାବ ନାହିଁ ମଧ୍ୟ ରାଜନୈତିକ ନେତାମାନଙ୍କର । ପ୍ରତି ମାସରେ ଓଡ଼ିଶାରେ ନିଜ ନିଜର ଧର୍ମର ବେପାର ବଢ଼ାଇବାକୁ ଚାଲିଆସୁଛନ୍ତି କେତେ କେତେ ନୂଆ ରଙ୍ଗ, ନୂଆ ଢଙ୍ଗ ବେଶ ପୋଷାକର ଧର୍ମଗୁରୁମାନେ । ଆଉ ତୁମେମାନେ ତ ଡହଳ ବିକଳ ହେଉଛ ଗୋଲାମିଗିରି କରିବା ପାଇଁ । ତେଣୁ ଆଜି ମଣିଷ ରବିଶଙ୍କରଙ୍କୁ ଛାଡ଼ି ରାମଦେବ, ମୁକୁନ୍ଦାନନ୍ଦଙ୍କୁ ଛାଡ଼ି ପ୍ରଜ୍ଞାନନ୍ଦ, ଆଶାରାମଙ୍କୁ ଛାଡ଼ି ଆମ୍ମା ଭଗବାନ ଏବଂ କଂଗ୍ରେସ ଛାଡ଼ି ବିଜେପି, ସପା ଛାଡ଼ି ବସପା ଏଇମିତି ପ୍ରତିଦିନ ତାର ଗୁହାଳ ବଦଳାଇବାରେ ଲାଗିଛି । କିନ୍ତୁ ଦାସତ୍ୱ ଛାଡୁନାହିଁ । କୃଷ୍ଣଙ୍କୁ ଛାଡ଼ି ଯିଶୁଙ୍କୁ ଧରୁଛି । ବାଇବେଲ ଛାଡ଼ି ଗୀତା । ମୋର କିନ୍ତୁ କହିବାର କଥା ହେଲା- କାହାରି ହାତଧରି ଚାଲିବାରେ ତୁମେ ଏକ ମୁକ୍ତ ବିହଙ୍ଗ ହୋଇପାରନାହିଁ । ଏପରି ସ୍ଥିତିରେ ତୁମ ଆତ୍ମାର ଡେଣା ଖୋଲିବା ସ୍ଥିତିରେ ନଥାଏ । ତେଣିକି ତୁମେ ଯାହାର ଆଶ୍ରୟ ନେଇଥାଅ ସେଥିରେ କୌଣସି ଫରକ ପଡ଼େନାହିଁ । କାହାରି ନା କାହାରି ହାତକୁ ମୁଠେଇ ଧରି ଚାଲିବାରେ ମଣିଷର ଆନନ୍ଦ । ମଣିଷକୁ ଖୁବ୍ ଭୁଲ୍ ମାର୍ଗରେ ନେବାରେ ଲାଗିଛନ୍ତି ଆଜିକାର ଭଣ୍ଡ ବାବା-ମାଆମାନେ । ବିଚରା ମଣିଷ! ଏ ବନ୍ଧନ ଭିତରୁ ମଣିଷ ଯେତେ ଶୀଘ୍ର ମୁକୁଳି ଆସି ଯାଇପାରିବ ସେତେ ଭଲ ।
ମୁକ୍ତ ହେବାର ଅର୍ଥ ନୁହେଁ କୌଣସି ଶାରୀରିକ ଅବା ବାହ୍ୟ ମୁକ୍ତି । ମୁକ୍ତ ହେବାର ଅର୍ଥ ହେଲା ମାନସିକ ସ୍ୱତନ୍ତ୍ରତା । ମୁକ୍ତ ହେବାର ଅର୍ଥ ହେଲା ମାନସିକ ଗୋଲାମିର ଶିକୁଳିକୁ ଛଡ଼ାଇଦେବା । ମୁକ୍ତ ହେବାର ଅର୍ଥ ହେଲା ଧର୍ମର ତଥାକଥିତ ଭିଡ଼ ତୁମ ମନରେ ଯେଉଁ ମିଛ "ବିଶ୍ୱାସ' ଟିକକ ଦେଇଛି ସେ ଭିତରୁ ମୁକୁଳି ଆସିବା । ଭିଡ଼ ତୁମକୁ ଯେଉଁ ବତାଇ ଦେଇଛି ହିନ୍ଦୁ ହେବା ପାଇଁ, ଖ୍ରୀଷ୍ଟିଆନ ହେବା ପାଇଁ, ଏ ମନ୍ଦିର ପବିତ୍ର- ସେ ମନ୍ଦିର ଅପବିତ୍ର ଏ ସବୁଥିରୁ ନିଜକୁ ମୁକ୍ତ କରିଦେବା । ଶବ୍ଦ, ସିଦ୍ଧାନ୍ତ, ମତର ବନ୍ଧନ ଭିତରୁ ନିଜକୁ ବାହାର କରି ଆଣି ମନର ସେହି ସ୍ୱତନ୍ତ୍ରତାରେ ଏକାକୀ ସତ୍ୟର ଅନ୍ୱେଷଣ କରିବା । କିନ୍ତୁ ମଣିଷ ତ ବିନା ଖୋଜିବାରେ, ବିନା ପ୍ରୟାସରେ ଧାର୍ମିକ ହୋଇଯିବାର ଆନନ୍ଦ ନେବାରେ ଲାଗିଛି । ବିନା ଅନୁଭବରେ ବିନା ଉପଲବ୍ଧିରେ ଅନ୍ୟର କେବଳ ମାତ୍ର ଦାସତ୍ୱ ଗ୍ରହଣ କରିନେଇ ଧାର୍ମିକ ହେବାର ମିଛ ଆତ୍ମରତିରେ ମଣିଷ ଆଜି ମାତିଉଠିଛି । ଅସଲରେ ଧାର୍ମିକ ନହୋଇ ଧାର୍ମିକ ହୋଇଯାଇ ଥିବାର ମିଛ ପ୍ରତ୍ୟୟରେ ମଣିଷ ଅହଙ୍କାରରେ ଉବୁଟୁବୁ ହେଉଛି । ଏହା କେବଳ ସାଧାରଣ ମଣିଷର କଥା ନୁହେଁ । ଏହା ମଧ୍ୟ ଏବେକାର ମଞ୍ଚସର୍ବସ୍ୱ ଧର୍ମଗୁରୁମାନଙ୍କର କଥା । ସକାଳୁ ଉଠି ପ୍ରତିଦିନ କୌଣସି ମନ୍ଦିର ଯାଇ ବୁଲି ଆସିଲେ ମଣିଷ ନିଜକୁ ଧାର୍ମିକ ଭାବୁଛି । ପ୍ରତିଦିନ ଗୀତା ଭାଗବତ ପାଠ କରିଦେଲେ ଅବା ପାଞ୍ଚଥର ନମାଜ ପାଠ କଲେ ସେ ନିଜକୁ ଧାର୍ମିକ ଭାବୁଛି । ବଡ଼ ବଡ଼ ମଞ୍ଚ ଉପରେ ନିଜ ଗୁଲାମଙ୍କ ଦ୍ୱାରା ଆୟୋଜିତ ସଭାମାନଙ୍କରେ ଲମ୍ବା ଫୁଲମାଳ ପକେଇ ଶୁଆ ପରି କଣ୍ଠସ୍ଥ ଶ୍ଳୋକ ଉଚ୍ଚାରଣ କରି, ଯନ୍ତ୍ରଚାଳିତ ଆଗରୁ ପ୍ରସ୍ତୁତ କିଛି ପ୍ରବଚନ ଦେଇ ତଥାକଥିତ ଧୂର୍ତ୍ତ ମଣିଷମାନେ ନିଜକୁ ଧାର୍ମିକ ବୋଲାଇ ଧର୍ମଗୁରୁ ସାଜୁଛନ୍ତି । ପ୍ରତିଦିନ ମନ୍ଦିର ଯିବା, ଗୀତା, ବାଇବେଲ, କୋରାନ ପଢ଼ିଦେଲେ ଯଦି ମଣିଷ ଧାର୍ମିକ ହୋଇଯାଇ ପାରୁଛି, ବହୁ ବାବା ମା’ଙ୍କର ଆଶ୍ରିତ ହୋଇଗଲେ ଯଦି ମଣିଷ ରାତାରାତି ଧାର୍ମିକ ହୋଇଯାଇ ପାରୁଛି, ତେବେ ଆଜି ଦୁନିଆରେ ଏତେ ଅଧର୍ମ କାହିଁକି? ଏ ଅଧର୍ମ ତାହେଲେ ଆସୁଛି କେଉଁଆଡ଼ୁ?
କାହାଣୀଟିଏ। ଦିନେ ସକାଳୁ ସକାଳୁ ଜଣେ ଫକୀର ଏକ ମସ୍ଜିଦ୍ ସାମ୍ନା ଦେଇ ଯାଉଥିଲା । ସେ ଅନ୍ଧ ଥିଲା । ଦୁଇଟିଯାକ ଆଖି ନଥିଲା । ମସ୍ଜିଦ୍ ସାମ୍ନାରେ ସେ ଅଟକିଯାଇ ବଡ଼ ପାଟିରେ ଭିକ୍ଷା ମାଗି କହିଲା– ବାବୁ, ମୋତେ କିଛି ମିଳିଯାଉ । ସେହି ସମୟରେ ସେହି ବାଟଦେଇ ଯାଉଥିବା ଅନ୍ୟ ଏକ ପଥଚାରୀ ତାକୁ କହିଲା– ତୁ, ପାଗଳ ନା କ'ଣ? ଏଇଟା ତ ଗୋଟେ ମସ୍ଜିଦ୍ । ଏଠି ତୋତେ କ'ଣ ମିଳିବ? ଏଇଟା ତ ପରମାତ୍ମାଙ୍କ ଘର । ଯାଆ । ଆଗକୁ ଯାଇ ଆଉ କେଉଁଠାରେ ମାଗେ । ସେ ଫକୀର ମଧ୍ୟ ଅଜବ ମଣିଷ ହୋଇଥିବ । ସେ ମଧ୍ୟ ଚଟାପଟ ଉତ୍ତର ଦେଲା– ଯଦି ପରମାତ୍ମାଙ୍କ ଘରେ ମୋତେ କିଛି ମିଳିବ ନାହିଁ ତେବେ ପୁଣି କେଉଁଠାରେ କ'ଣ ମିଳିବ? ଏହା କହି ସେହି ଅନ୍ଧ ଫକୀର ସେହି ମସ୍ଜିଦ୍ର ଦୁଆର ମୁହଁରେ ବସିଗଲା ଆଉ ମନକୁ ମନ କହିଲା ଏଥରକ ମୁଁ ଏଠାରୁ ସେତିକିବେଳେ ଯାଇଁ ଉଠିବି ଯେବେ ମୋତେ କିଛି ମିଳିଯିବ । କାରଣ ଏଇଟା ତ ହେଉଛି ଅନ୍ତିମ ଘର । ଏହାପରେ ଆଉ ଘର ରହିଲା କେଉଁଠାରେ? ଏବେ ଆଉ ଆଗକୁ ମୁଁ ଯିବି ବା କେଉଁଆଡ଼େ? ଏଇଟା ତ ଶେଷ ଘର । ସେ ସେଇଠାରେ ରହିଗଲା । ତାର ଆଖି ନିଶ୍ଚିତ ଅନ୍ଧ ହୋଇଥିବ । କିନ୍ତୁ ଆମମାନଙ୍କ ଠାରୁ ଖୁବ୍ ବେଶି ଦେଖି ପାରିବାର ତାକତ ତା’ ଭିତରେ ଥିଲା । ପରମାତ୍ମାଙ୍କ ଉଦ୍ଦେଶ୍ୟରେ ସେ ତାହାର ହାତ ଉପରକୁ ଉଠାଇ ସେହିଠାରେ ବସି ପଡ଼ିଲା । ଦିନ ଆସିଲା ଗଲା । ରାତି ଆସିଲା ଗଲା । ବର୍ଷା ଆସିଲା ଗଲା । ଗ୍ରୀଷ୍ମର ପ୍ରଖର ଖରା ପଡ଼ିଲା ବିତିଗଲା । ପୂର୍ଣ୍ଣିମା ଆକାଶରେ ଚାନ୍ଦ ହସିଲା ଆଉ ଅମାବାସ୍ୟାରେ ଚାନ୍ଦ ମୁହଁ ଲୁଚାଇଲା । ଋତୁ ଆସିଲେ ଗଲେ । ଲୋକମାନେ ଆଶ୍ଚର୍ଯ୍ୟ ହେଲେ । ଫକୀର ଅବିଚଳିତ ଭାବରେ ସେହିଠାରେ ସେମିତି ବସି ରହିଲା । କେହି ଯଦି ଆସି ଯାଚିକରି କିଛି ଖାଇବାକୁ ଦେଲେ ତେବେ ଖାଇଲା । କେହି ମନକୁ ମନ ପାଣି ଦେଲେ ସେ ପିଇଲା । ନ’ ହେଲେ ନାହିଁ । କିନ୍ତୁ କେବେବି ସେ ସେହି ଦୁଆର ମୁହଁରୁ ଉଠିଲା ନାହିଁ । ଏଇମିତି ଚାହୁଁ ଚାହୁଁ ଏହା ମଧ୍ୟରେ ପ୍ରାୟ ଗୋଟାଏ ବର୍ଷ ବିତି ଯିବାକୁ ଲାଗିଲା । ଆଉ ଗୋଟିଏ ଦିନ ସକାଳୁ ହଠାତ୍ ସେଠାକାର ଲୋକମାନେ ଦେଖିଲେ ଯେ, ସେହି ଫକୀରଟି ଆନନ୍ଦରେ ଛିଡ଼ା ହୋଇ ନାଚିବାରେ ଲାଗୁଛି । ଆଉ ତା’ ଅନ୍ଧ ଆଖି ଦୁଇଟିରେ କିଭଳି ଏକ ଅଦ୍ଭୁତ ସୌନ୍ଦର୍ଯ୍ୟର ଝଲକ ଫୁଟି ଉଠିଛି । ତା’ର ମଳିନ ଶୁଖିଲା ଚେହେରାରେ ସତେ ଯେପରି କିଏ ଏକ ନୂଆ ସତେଜ ଜୀବନ ବୋଳି ଦେଇଛି । ସେ ତା’ ହାତର ଭିକ୍ଷା ଥାଳି, ସାହାରା ବାଡ଼ି ଖଣ୍ଡିକ ଫୋପାଡ଼ି ଦେଇ ପରମାତ୍ମାଙ୍କୁ ବାରମ୍ବାର କୃତଜ୍ଞତା ଜଣାଉଛି ।
ଲୋକମାନେ ପଚାରିଲେ– ଆରେ କ'ଣ ହେଲା? ସେ କହିଲା ତୁମେ ଏକଥା ଆଉ ମୋତେ ପଚାର ନାହିଁ । ମୋତେ ଦେଖ ଆଉ ବୁଝ । ମୋତେ ଆଉ କିଛି ପଚାରିବା ଦରକାର ନାହିଁ । ମୋ ଅନ୍ଧ ଆଖିରେ ମୁଁ ଏବେ ସବୁକିଛି ଦେଖି ପାରୁଛି । ହଁ, ତୁମମାନଙ୍କୁ ନିଶ୍ଚୟ ମୁଁ ଦେଖିପାରୁନାହିଁ । କିନ୍ତୁ ମୁଁ ତାକୁ ଦେଖିପାରୁଛି, ଯିଏ ତୁମମାନଙ୍କ ଭିତରେ ଅଛି । ଏବେ ମୁଁ ଦେଖିପାରୁଛି ତାହାକୁ ଯାହାକୁ ତୁମେ ଖୋଜିଥାଅ । ଏବେ ମୁଁ ସ୍ପଷ୍ଟ ଦେଖିପାରୁଛି ଯେ କେଉଁଠାରେ ମୃତ୍ୟୁ ନାହିଁ । କେଉଁଠାରେ ଦୁଃଖ ନାହିଁ । ମୁଁ ମୋ ନିଜକୁ ଦେଖିପାରୁଛି ଯେ ମୁଁ ତ ତା’ ଭିତରେ ହଜି ଯାଇଛି । ମୁଁ ମୋ ନିଜକୁ ହଜାଇ ଦେଇଛି । କିନ୍ତୁ ହଜେଇ ଦେଇ ମଧ୍ୟ ମୁଁ ବହୁତ କିଛି ପାଇଯାଇଛି । ମୋତେ ଆଉ ଦୟାକରି କିଛି ପଚାର ନାହିଁ । ମୁଁ ଯାହା ପାଇଛି ତୁମକୁ ଶବ୍ଦରେ ବତାଇ ପାରିବି ନାହିଁ । ତା’ ଚାରି ପାଖରେ ରୁଣ୍ଡ ହୋଇଥିବା ମଣିଷମାନେ କେବଳ ମନ୍ତ୍ରମୁଗ୍ଧ ହୋଇ ତା’ କଥା ଶୁଣୁଥିଲେ । ସେ ଫକୀରକୁ ପଚାରିବାର ଆଉ କିଛି ବାକି ନଥିଲା । ତା’ର ଚେହେରା, ତା’ ମନର ଆନନ୍ଦ ସବୁକିଛି କହୁଥିଲା । ତା’ର ସଙ୍ଗୀତ କହୁଥିଲା । ତା’ର ନୃତ୍ୟ ସବୁକିଛି କହୁଥିଲା । ଯଦି ଦୁନିଆରେ ଧର୍ମ ଥିବ ତେବେ ତାହା ଲୋକମାନଙ୍କର ଆନନ୍ଦ କହିବ । ପ୍ରେମ କହିବ । ଜୀବନ କହିବ । କିନ୍ତୁ ଆମେମାନେ ସବୁବେଳେ ଅନ୍ୟର ଆଶ୍ରୟ ଖୋଜିଥାଉ । ଆଶ୍ରାବାଡ଼ି ଖୋଜିଥାଉ । ତାହା ଧର୍ମ, ଶାସ୍ତ୍ର, ସିଦ୍ଧାନ୍ତ ହୋଇପାରେ । ଯୀଶୁ, କୃଷ୍ଣ, ବୁଦ୍ଧ ହୋଇପାରନ୍ତି ।
ମହାତ୍ମା ମହାପୁରୁଷ ହୋଇପାରନ୍ତି । ତା’ ନହେଲେ ସର୍ବଶେଷରେ ଆଜିକାର ମଣିଷକୁ ଶୋଷଣ କରୁଥିବା ଧର୍ମ ନାମରେ ଅଧାର୍ମିକ ଭଣ୍ଡ ବାବା, ମା’, ଧର୍ମଗୁରୁମାନେ ହୋଇପାରନ୍ତି । କିନ୍ତୁ ମନେ ରଖିବାକୁ ହେବ, ଯେଉଁ ବ୍ୟକ୍ତି ଅନ୍ୟର ଉଧାରକରା ସତ୍ୟକୁ ସ୍ୱୀକାର କରି ଚୁପ୍ ହୋଇଯାଏ ତାର ଅନ୍ୱେଷଣ କଦାପି ସତ୍ୟ ପାଇଁ ହୋଇନପାରେ । କାରଣ ପରମାତ୍ମାଙ୍କର ଅନ୍ୱେଷଣ କେବେ ଉଧାରକରା ହୋଇନପାରେ । ଯାହା ଉଧାରରେ ସଂଗ୍ରହ କରାଯାଇପାରେ ତାହା ନିଶ୍ଚିତ ସଂସାରର । ଆଉ ଯାହା ଉଧାରରେ ମିଳିପାରେ ନାହିଁ ତାହା ହିଁ କେବଳ ପରମାତ୍ମାଙ୍କର । ପରମାତ୍ମା କିଛି ଏପରି ବସ୍ତୁ ନୁହନ୍ତି, ଯାହାଙ୍କୁ ଅଦଳବଦଳ କରିହେବ । ମୁଁ ତୁମ ହାତରେ ଦେଇଦେଲି ଆଉ ତୁମେ ଆଉ କାହାରିକୁ ଟ୍ରାନ୍ସଫର୍ କରିଦେଲ । ଜୀବନରେ ଯାହା କିଛି ଶ୍ରେଷ୍ଠ, ଯାହା କିଛି ସତ୍ୟ, ଯାହା କିଛି ସୁନ୍ଦର ତାହାକୁ ଗୋଟିଏ ହାତରୁ ଅନ୍ୟ ହାତକୁ ଆଦୌ ଟେକି ଦିଆଯାଇ ପାରିବ ନାହିଁ । ତାହାକୁ ସିଧା ସଳଖ ନିଜ ଭିତରେ ନିଜର ଅନ୍ୱେଷଣ, ହୃଦୟର ଆନ୍ଦୋଳନ, ପ୍ରାଣର ଆକୁଳ ପ୍ରାର୍ଥନା ଓ ପ୍ରୟାସରେ ପାଇବାକୁ ପଡ଼ିଥାଏ । ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ଏବଂ ନିଜସ୍ୱ ତୃଷ୍ଣା । ତେଣୁ ସମସ୍ତ ବନ୍ଧନରୁ ମୁକୁଳି ଆସିଲେ ହିଁ ତୁମେ ତୁମ ନିଜକୁ ନିଜ ପାଖରେ ଏବଂ ପରମାତ୍ମାଙ୍କ ଦୁଆର ମୁହଁରେ ଅବଶ୍ୟ ପାଇବ ।