ଭୁବନେଶ୍ୱର, ୨୯/୧୦: ଯାଜପୁର ଜିଲ୍ଲା ସୁକିନ୍ଦାରେ ଅନାହାର ମୃତ୍ୟୁକୁ କଂଗ୍ରେସର ଟାର୍ଗେଟ୍ । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କଂଗ୍ରେସ । ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ପାଇଁ E-kyc ହୋଇନଥିବା ଲୋକଙ୍କୁ ଚାଉଳ ମିଳିପାରିଲା ନାହିଁ । ତେଣୁ ଅନାହାରରେ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ କୁମାର ଦାସ ଅଭିଯୋଗ କରିଛନ୍ତି ।

ବୁଧବାର କଂଗ୍ରେସ ଭବନରେ ସାମ୍ବାଦିକ ସମିଳନୀରେ ଶ୍ରୀ ଦାସ କହିଛନ୍ତି, ସରକାର ଆଦିବାସୀଙ୍କ ସୁରକ୍ଷା ଏବଂ ଉନ୍ନତି ପାଇଁ ଦେଇ ଡିଣ୍ଡିମ ପିଟୁଛନ୍ତି। ତାହାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି । ଯାଜପୁରରେ ପାଖାପାଖି ୧୪ ମାଇନ୍ସ ଏବଂ ୩୪ କଳକାରଖାନା ଥାଇ ମଧ୍ୟ ଅନାହାରରେ ଲୋକଙ୍କ ମୃତ୍ୟୁ ହୋଇଛି । E-kyc ନଥିବା ଲୋକଙ୍କୁ ଚାଉଳ ମିଳିପାରିଲା ନାହିଁ । ଗରିବଙ୍କୁ ଚାଉଳ ଏବଂ ସରକାରୀ ଘର ଯୋଗାଇ ଦେବା ସରକାରଙ୍କ କାର୍ଯ୍ୟ ନୁହେଁ କି ବୋଲି ଅଶୋକ ଦାସ ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ୨୦୧୩ ମସିହାରେ ୟୁପିଏ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ । ଏ ସରକାର ଏବେ ଏହାକୁ ରଙ୍ଗ ଏବଂ ଫଟୋ ପରିବର୍ତନ କରୁଛନ୍ତି । କେବଳ ରଙ୍ଗ ବଦଳାଇଲେ ହେବନାହିଁ, ଯୋଜନାକୁ ଠିକ୍ କାର୍ଯ୍ୟକାରୀ କରିବା ଆବଶ୍ୟକ। ପୂର୍ବରୁ ଆମ୍ବ ଟାକୁଆ ଖାଇ ମଧ୍ୟ ଆଦିବାସୀଙ୍କ ମୁତ୍ୟୁ ହୋଇଥିଲା। ସେଥିରୁ ସରକାର କିଛି ଶିକ୍ଷା ପାଇଲେ ନାହିଁ । ବିଭିନ୍ନ ଆଳ ଦେଖାଇ ସରକାର ଏବେ ଲୋକଙ୍କୁ ଚାଉଳ ଦେଉନାହାନ୍ତି । ତେଣୁ ଆଗାମୀ ଦିନରେ ଜନତା ଏହାର ଜବାବ ନିଶ୍ଚିନ୍ତ ଦେବେ ବୋଲି ଅଶୋକ ଦାସ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲା ସଭାପତି ମାଗୁଣି ଜେନା ମଧ୍ୟ ଉପସ୍ଥିତ ଥିଲେ।