ଭୁବନେଶ୍ବର ୨୪।୯: ବିଧାନସଭା ଭିତରେ ହଟ୍ଟଗୋଳ, ବାହାରେ ରଣକ୍ଷେତ୍ର । ସରକାରଙ୍କୁ ଘେରିବାକୁ ସତନ୍ତ୍ର ରଣନୀତି ସହିତ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ପ୍ରଶ୍ନକାଳ ଅରମ୍ଭ ହେବା କ୍ଷଣି ଗୃହରେ ନାରୀ ପ୍ରସଂଗ ଉଠାଇ ନାରାବାଜି କରିଥିଲା କଂଗ୍ରେସ । ଫ୍ଲାକ୍ କାର୍ଡ ଧରି ପୋଡିୟମ ସାମ୍ନାକୁ ଚାଲିଆସିଥିଲେ । ଆଉ ଏପଟେ ବିଧାନସଭା ବାହାରେ ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଛି । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଂଗରେ ମହିଳା କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲା । ମହିଳା କଂଗ୍ରେସ କର୍ମୀ ବ୍ୟାରିକେଡକୁ ଭାଙ୍ଗି ଦେଇଥିଲେ । ଏହି ସମୟରେ ପୁଲିସ ଏବଂ ମହିଳା ନେତ୍ରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କଲା ବେଳେ ଗାନ୍ଧିମାର୍ଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଶୋଇ ରହି ସରକାରଙ୍କ ବିରୋଧରେ ବର୍ଷିଥିଲେ କଂଗ୍ରେସ ନେତ୍ରୀ
ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଏହି ଘେରାଉ ହେଉଥିଲା । ଲୋୟର ପିଏମ୍ଜିରେ ହଜାର ହଜାର ମହିଳା କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏହାଛଡ଼ା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ମହିଳା କଂଗ୍ରେସର ପ୍ରତିବାଦ କରିଛି । ଏପରିକି ଫୁଲ ପକେଇ ଅଭିନବ ଉପାୟରେ ବିକ୍ଷୋଭ କରିଥିଲେ ମହିଳା କଂଗ୍ରେସ କର୍ମୀ ।