ସକାଳୁ ଟିଭି, ଖବରକାଗଜ ଓ ସୋସିଆଲ ମିଡିଆରେ  ଚାରିଆଡ଼େ ପ୍ରଚାର ହେଉଥିଲା ଆଜିକାର ମୁଖ୍ୟ ଖବର,  ଜଣେ ବଡ଼ବାବୁଙ୍କ ଭିତରେ ଜଣେ ଶ୍ରେଷ୍ଠବାବୁ ଦୁର୍ନୀତି କରି ଜଣେ  ଗରିବ ଲୋକଠାରୁ ଲାଞ୍ଚ ନେବାରେ ଶ୍ରେଷ୍ଠ ବିବେଚିତ ହୋଇ  ଗିରଫ ହୋଇ ଜେଲ ଗଲେ । ସମ୍ବାଦପତ୍ର ଦେଖିଲାବେଳକୁ ସେ  ଆଉ କେହି ନୁହେଁ, ଆମ ଗାଁ ପଞ୍ଚୁ ସାହୁର ପୁଅ, ଦୁଇବର୍ଷ ତଳେ  ପରୀକ୍ଷାରେ ଶ୍ରେଷ୍ଠ ହୋଇ ଗୋଟିଏ ବଡ଼ ଚାକିରି ପାଇଥିଲା । ମୋ  ମନରେ ଆସିଲା, ସତରେ କ’ଣ ଯିଏ ବଡ଼ବାବୁ ତା’ ଜୀବନ  କ’ଣ ଏମିତି ବନ୍ଧାହେଇ ଜେଲ ଯିବାରେ ସରିଯିବ? କ’ଣ  କଲେ ଏ ସମସ୍ୟା ରହନ୍ତାନାହିଁ? ମୋର ମନେପଡ଼ିଲା ଅଶି  ମସିହାରେ ଥରେ ହରେକୃଷ୍ଣ ମହତାବ କହିଥିଲେ, ଦୁର୍ନୀତିକୁ  ନୀତି କରିଦେଲେ ସମସ୍ୟାର ସମାଧାନ ହେଇଯିବ ।

priyabata

ଦୁଇବର୍ଷ ପୂର୍ବେ ମୋର ଭଲକରି ମନେଅଛି, ସେଦିନ  ସକାଳୁ ଛକ ଉପରେ ଥିବା ଚା’ ଦୋକାନରେ ଏକ ବଡ଼ ଚାକିରି  ପରୀକ୍ଷାର ଫଳ ବାହାରିପଡ଼ିଛି ବୋଲି ସକାଳୁ ଆଲୋଚନାର  ପ୍ରସଙ୍ଗ ମିଳିଯାଇଥାଏ । ଏହି ସମୟରେ ଜଣେ କେହି  କହିଉଠିଲା- ଆରେ ଆମ ଗାଆଁର ପରିବା ଦୋକାନୀ ପଞ୍ଚୁ ସାହୁ  ପୁଅ ପରା ଏଥିରେ ଉତ୍ତୀର୍ଣ୍ଣ ହେଇଚି, ଖାଲି ଉତ୍ତୀର୍ଣ୍ଣ ହେଇନି ତ,  ସେ ପରା ଶ୍ରେଷ୍ଠ ହେଇଛି । ଏହା ଉପରେ ବିଭିନ୍ନ ଟିକା ଟିପ୍ପଣୀ  ଚାଲିଥାଏ । କେହି କେହି ଗଦଗଦ ହୋଇ କହି ଉଠୁଥାନ୍ତି- ଯାହା  ହଉ ଖାଲି ଆମ ଅଞ୍ଚଳ କ’ଣ, ଜିଲ୍ଲାର ପିଲା ହେତୁ ପୂରା ଜିଲ୍ଲାଟା  ଧନ୍ୟ ହେଇଗଲା । ଆଉ କିଛି ଲୋକ ଆଲୋଚନାଟା ଲାଗିରହିବା  ପାଇଁ କହୁଥାନ୍ତି, ପଞ୍ଚୁ ପୁଅ ପରି ପିଲା ଆମ ଗାଆଁରେ ବିରଳ ।  ସେ ପଞ୍ଚୁ ପୁଅର ସଫଳତାରେ ନିଜକୁ ପଞ୍ଚୁ ପରିବାରର  ନିକଟତମ ଲୋକ ବୋଲି ଦର୍ଶାଇବାକୁ ଯାଇ କହିଲେ, ପଞ୍ଚୁର  ପୁଅ ସ୍କୁଲରେ ମାସିକ ଦରମା ଦେଇପାରେନା, ମୁଁ ଅନେକ  ଥର ତାର ଦରମା ଦେଇଛି । ଆଉ ଜଣେ କହିଲେ ସେ ପରା  ଚିରା ଫଟା ଡ୍ରେସ ପିନ୍ଧି ସ୍କୁଲ୍‌ ଯାଏ, ଲଣ୍ଠନ ଆଲୁଅରେ ପାଠ  ପଢ଼େ । ମୁଁ ଓ ମୋର ଜଣେ ବନ୍ଧୁ ଚା’ ଦୋକାନରେ ଚା’ ଟିକେ  ପିଇବା ପାଇଁ ପହଞ୍ଚିଲୁ । ସେଠି ଚା’ ଦୁଇଟି ମଗେଇ ଗୋଟିଏ  କୋଣରେ ବସି ଚୁପ୍‌ ହେଇ ସବୁ ଆଲୋଚନା ଶୁଣୁଥାଉ । ପଞ୍ଚୁର  ଘର ପାଖରେ ମୋ ଘର ହେଇଥିବାରୁ ମୁଁ ତା’ ପରିବାରକୁ  ଭଲଭାବେ ଜାଣେ । ଆମେ ଜାଣିବାରେ ପଞ୍ଚୁର ପରିବା ଦୋକାନ  ଭଲ ଚାଲେ, ଆର୍ଥିକ ସ୍ୱଚ୍ଛଳ ସ୍ଥିତି । ଆମକୁ ଆଲୋଚନା ଶୁଣିବାକୁ  ମଜା ଲାଗୁଥାଏ । କିଭଳି ଅତିରଞ୍ଜିତ ତଥା ସମ୍ବେଦନଶୀଳ  କାହାଣୀ ତିଆରି ହୁଏ ସେଠି ଶିଖିବାର ଥିଲା ।

ଏହି ସମୟରେ  ଖବରକାଗଜ ଖଣ୍ଡକ ଆସି ପହଞ୍ଚିଗଲା । ସଙ୍ଗେ ସଙ୍ଗେ ସେଠି  ଉପସ୍ଥିତ ଥିବା ଆମ ଗାଆଁର ବଡ଼ବାଲା ପବନା, ପଞ୍ଚୁ ପୁଅର  ସମ୍ବାଦପତ୍ରରେ ବାହାରିଥିବା ପରିବା ଦୋକାନୀ ପୁଅ ଟପ୍ପର  ଖବର ଓ ତାର ଜାତକରୁ ଆରମ୍ଭ କରି ଠିକଣା, ପରିବାର,  ସ୍କୁଲ, କଲେଜ, ସମ୍ବାଦପତ୍ର ଓ ଟିଭିରେ ଦେଇଥିବା ସାକ୍ଷାତକାର  ପ୍ରଭୃତି ଏକାନିଶ୍ୱାସରେ ବଡ଼ପାଟିରେ ପଢ଼ି ଶୁଣଉଥାଏ । ମୁଁ  ଓ ମଉସା ଯାହା ଅନୁଭବ କଲୁ ପଞ୍ଚୁ ପୁଅର କୃତିତ୍ୱ ନୁହେଁ,  ସତେକି ତାର ଆତ୍ମକାହାଣୀ ଆଲୋଚନା ଚାଲିଛି । କିଛି ବ୍ୟକ୍ତି  ନିଜକୁ ପଞ୍ଚୁ ପରିବାରର ନିକଟତମ ଲୋକ ବୋଲି କହି ଏହି  ମୌକାରେ ପଞ୍ଚୁ ପୁଅର ନିଜ ଲୋକ ବୋଲି ପ୍ରମାଣ କରିବାର  ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନଥିବାବେଳେ, ଆଉ କିଛି  ଲୋକ ସେଠାରେ ପଞ୍ଚୁ ପୁଅର ମଉସା, ପିଉସା, ଦାଦା ଓ ମାମୁଁ  ବୋଲି ନିଜକୁ ପରିଚୟ ଦେଇ ଶ୍ରେୟ ନବାକୁ ପ୍ରତିଯୋଗିତା କରି  କରି କାଲିଠୁ ଆଜି ଭିତରେ ତାକୁ ଗୋଟିଏ ମହାନ ବ୍ୟକ୍ତିତ୍ୱ  କରିଦେଇ ସାରିଲେଣି । ଏହି ସମୟରେ ହାତରେ ବୁମ୍‌ ଓ ଟିଭି କ୍ୟାମେରା ଧରି  ଗୋଟିଏ ବାଇକରେ ଆସି ଦୁଇଜଣ ଯୁବକ ଓହ୍ଲାଇପଡ଼ି ପଞ୍ଚୁର  ଘରକୁ ରାସ୍ତା ପଚାରିବାରୁ, ଦୁଇ ଚାରି ଜଣ ସେଠୁ ବାହାରିପଡ଼ି  ପଞ୍ଚୁ ଘରକୁ ରାସ୍ତା ବତାଇଲାବେଳେ ଜଣେ ପିଲା ସ୍ୱେଚ୍ଛାସେବୀ  ଭଳି ବାହାରିପଡ଼ି ତାଙ୍କ ଆଗେ ଆଗେ ଯାଇ ପହଞ୍ଚାଇଦେବା ପାଇଁ  ପ୍ରସ୍ତୁତ ହୋଇଗଲା । ଉପସ୍ଥିତ ବ୍ୟକ୍ତିଙ୍କର ଉତ୍ସାହ ଦେଖି ବୁମବାଲା  ସ୍ଥାନୀୟ ବାସିନ୍ଦାଙ୍କ ସାକ୍ଷାତକାର ନେବାପାଇଁ କହିବାରୁ ଆମ ଭିତରୁ  ଦୁଇ ଚାରିଜଣ ଗଳାକୁ ଝାଡ଼ି, ଚୁଟିକୁ ସାଉଁଳେଇଦେଇ ବୁମ୍‌ ଆଗକୁ  ହନୁମନ୍ତ ଭଳି ବାହାରି ପଡ଼ିଲେ । ପ୍ରତିକ୍ରିୟା ଦେଲାବେଳେ ଏତେ  ଭିଡ଼ ହୋଇଥିବାରୁ ହଠାତ୍‌ ପଞ୍ଚୁ ପୁଅକୁ ଶୁଭେଚ୍ଛା ଜଣାଇବାକୁ  ଯାଉଥିବା ଏମଏଲଏ ଓ ସରପଞ୍ଚଙ୍କର ନାଲିବତି ଗାଡ଼ିଟା  ଅଟକିଗଲା । ଭିଡ଼ପ୍ରିୟ ନେତୃବୃନ୍ଦ ଗାଡ଼ିରୁ ଓହ୍ଲେଇ ପଡ଼ିଲେ ।  ତାଙ୍କ ନେତୃତ୍ୱରେ ଗୋଟିଏ ଛୋଟ ପଟୁଆର ପଞ୍ଚୁ ଘରକୁ ବାହାରି  ପଡ଼ିଲା । ଏଥିରେ ଲାଭ ଏତିକି, ପଞ୍ଚୁକୁ ଶୁଭେଚ୍ଛା ଜଣାଇବା ସହ  ନେତୃବୃନ୍ଦ ସାଧାରଣ ଜନତାଙ୍କ ସୁଖଦୁଃଖରେ ଅଛନ୍ତି ବୋଲି ପ୍ରଚାର ମଧ୍ୟ ହେଇଗଲା । ବନ୍ଧୁ ଓ ମୁଁ ସବୁ ଦେଖି ଦାନ୍ତ ଚିପି  ହସିହସି ସବୁ କଥା ନଜର କରୁଥିଲୁ । ପଞ୍ଚୁଘରେ ପଟୁଆର  ପହଞ୍ଚିଲା ପରେ ସେଠି ପାଦଛୁଆଁ, ମୁଣ୍ଡିଆ ମରାମରି, ଫୁଲମାଳ  ଦିଆନିଆ, ମିଠେଇବଣ୍ଟା ଓ ବୁମ୍‌ ଆଗରେ ସାକ୍ଷାତକାର କାର୍ଯ୍ୟକ୍ରମ  ଆରମ୍ଭ ହେଇଗଲା । ପଞ୍ଚୁ ପୁଅ ଏମଏଲଏ ଓ ସରପଞ୍ଚଙ୍କ  ଉପସ୍ଥିତିରେ ତାର ସମସ୍ତ ଶ୍ରେୟ ଭଗବାନ, ବାପାମାଆ ଓ ଗୁରୁଙ୍କୁ  ଦେଇ କିଭଳି ୧୮ଘଣ୍ଟା ପରିଶ୍ରମ କରି ପାଠ ପଢ଼ୁଥିଲା ପ୍ରକାଶ  କରିବା ସହ ପ୍ରତିକ୍ରିୟା ଦେଇ କହୁଥାଏ- ସେ ଜଣେ ଗରିବର  ପୁଅ ହେତୁ ବଡ଼ ଚାକିରି କଲେ ଗରିବଙ୍କ ସେବା କରି କିଭଳି  ଧନୀ କରିପାରିବ, ଲାଞ୍ଚ, ମିଛ, ଦୁର୍ନୀତି, ଭ୍ରଷ୍ଟାଚାର ଦେଶରୁ  ଉପାଡ଼ି ଫୋପାଡ଼ି ଦେଇ ଦେଶର ନାଁ ଭାରତକୁ ବଦଳେଇ ଦେଇ  ରାମରାଜ୍ୟ ରଖିବ ।

ଏସବୁ ଶୁଣି ଉପସ୍ଥିତ କିଛି ପୁରୁଖା ଲୋକ  ଭଗବାନଙ୍କ ଉଦ୍ଦେଶ୍ୟରେ ଉପରକୁ ହାତ ଯୋଡ଼ିଦେଇ ନମସ୍କାର  କରି ଲୁହ ଦୁଇଟୋପା ଗଡ଼େଇଦେଇ ବିନା ଓଳିଗିରେ ଅଯାଚିତ  ଆଶୀର୍ବାଦ ଗଦେଇ ଦେଇ କହୁଥାନ୍ତି- ପଞ୍ଚୁ ପୁଅ ଚାକିରି କଲେ  ଫେରିବ ଏ ଦଶା, ସୁଖୀ ହେବେ ପ୍ରଜା, ଉଷୁନା ଧାନ କି ସତେ  ହେବ ଗଜା । ପଞ୍ଚୁ ପୁଅ ଟପ୍ପର ହେଇନି ତ, ଗାଁଯାକର ଲୋକଙ୍କୁ  ମହାଦେବଙ୍କ ଟାପର ଭଳି ଲାଗିବା ସହ ସାରା ଗାଁ ଗୋଟିଏ  ପରିବାର ଭଳି ଲାଗୁଥାଏ ।  ହେଲେ ଆଜି ଦୁଇବର୍ଷ ପରେ ମୁଁ ଗାଆଁ ଛକର ସେହି  ଚା’ ଦୋକାନ ବାଟେ ଆସୁଥିବାବେଳେ ଚା’ ପିଇବା ପାଇଁ  ଅଟକିଗଲି । ଦେଖିଲି କେହି ସେଠି ପଞ୍ଚୁର ନିଜ ଲୋକ ବୋଲି  ପରିଚୟ ଦେଉନଥାନ୍ତି, କେବଳ ପଞ୍ଚୁ ପୁଅକୁ ଛି’ଛାକର  କରିବାରେ ବ୍ୟସ୍ତ ଥାଆନ୍ତି । ପଞ୍ଚୁ ପୁଅକୁ ଜାମିନରେ ଆଣିବା  ପାଇଁ ଜାମିନଦାର ଖୋଜିଲାବେଳେ ସେଦିନର ମଉସା, ପିଉସା,  ଦାଦା, ଭାଇ କେହି ଜଣେ ମିଳୁନଥାନ୍ତି । ମୋ ମନରେ ଗୋଟିଏ  କଥା ଆସୁଥିଲା, ଯେଉଁମାନେ ବାବୁ ଚାକିରି ପାଆନ୍ତି ସେମାନେ  ନିଜର ତଥା ନିଜ ପରିବାର ପାଇଁ ନୁହେଁ ତ? ସେମାନେ ଗରିବ  ବା ସାଧାରଣ ଜନତା ପାଇଁ ହୋଇଥିଲେ ଭିତରକୁ ଯିବାକୁ  ପଡୁନଥାନ୍ତା ।

ତାହେଲେ ଆମେ ସାଧାରଣ ଜନତା ଓଧ ସାଙ୍ଗରେ  ଭୁଆଁ ବିରାଡ଼ି ବାଇ ପରି ତାଙ୍କ କୃତିତ୍ୱରେ ଆମର ଖୁସିହେବାର  କିଛି ନାହିଁ । କେବଳ ତାଙ୍କୁ ଓ ତାଙ୍କ ପରିବାରକୁ ଖୁସିହେବାକୁ  ଦିଆଯାଉ । ଆପଣ କୁହନ୍ତୁ ଯେତିକି ବାବୁ ଚାକିରି ପାଆନ୍ତି  ସେମାନେ ସମସ୍ତେ ଅବସର ନିଅନ୍ତି ନା କିଛି ଲୋକ ଅବସର  ନେଇପାରନ୍ତି ନାହିଁ, ଚାକିରିରୁ ବହିଷ୍କାର ହୁଅନ୍ତି, ଭିତରକୁ  ଯାଆନ୍ତି । ଏଣୁ ଆସନ୍ତୁ ଆଜିଠୁ ଯିଏ ନୂଆ ବାବୁ ହେଲା ତା’ପାଇଁ  ଖୁସି ନହୋଇ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଯେମିତି ସିଏ ଅବସର  ନେଉ ଭିତରକୁ ନଯାଉ । ଯେଉଁ ବାବୁ ଚାକିରିରୁ ଅବସର  ନେଇପାରିଲେ, ତାଙ୍କୁ ପ୍ରକୃତ ଦେଶସେବା କଲେ ବୋଲି ଜାଣି  ତାଙ୍କପାଇଁ ଖୁସି ହେବା ଉଚିତ୍‌ ହେବ ନାହିଁ କି?