ନୂଆଦିଲ୍ଲୀ,୦୫/୧୦: ମଧ୍ୟପ୍ରଦେଶ ଛିନ୍ଦୱାଡ଼ା ଓ ରାଜସ୍ଥାନରେ କୋଲ୍ଡରିଫ କଫ୍‌ ସିରପ ସେବନ କରି ୧୧ ଶିଶୁଙ୍କ ମୃତ୍ୟୁ ଘଟଣାରେ ବଡ଼଼ ଆକ୍ସନ ନିଆଯାଇଛି । ପ୍ରଥମେ ରାଜ୍ୟରେ କଫ୍ ସିରପ ବିକ୍ରି ଉପରେ ବ୍ୟାନ ଲଗାଯିବା ପରେ ଏବେ ପ୍ରଥମ ଗିରଫଦାରୀ ହୋଇଛି । ବିଶାକ୍ତ କଫ୍ ସିରପ ଲେଖିଥିବା ଡାକ୍ତର ପ୍ରବୀଣ ସୋନୀଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ । ଛିନ୍ଦୱାଡ଼ାର ପରସିଆରେ କୋଲଡ୍ରିଫ୍ କଫ୍ ସିରପ୍ ପିଇ ୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଜରୁରୀ ବୈଠକ ଡାକିଛନ୍ତି । ଅପରାହ୍ନ ୪ଟାରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ଡ୍ରଗ୍ସ କଣ୍ଟ୍ରୋଲର୍‌ଙ୍କ ସହିତ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

​​​​​​​ଏହି ମାମଲାରେ ଶ୍ରୀସାନ ଫାର୍ମାସ୍ୟୁଟିକାଲ ଏବଂ ଡାକ୍ତର ପ୍ରବୀଣ ସୋନିଙ୍କ ବିରୋଧରେ ବେଆଇନ ଭାବରେ ସିରପ୍ ବଣ୍ଟନ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଦୋଷୀଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛି । ଡାକ୍ତର ସୋନିଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (INC)ର ଧାରା ୨୭୬, ଭାରତୀୟ ଦଣ୍ଡ ସଂହିତା (INC)ର ୧୦୫ ଏବଂ ଡ୍ରଗ୍ସ ଆଇନର ୨୭ଏ ଅନୁଯାୟୀ ଅଭିଯୋଗ ହୋଇଛି ।

​​​​​​​ଡାକ୍ତର ପ୍ରବୀଣ ସୋନି ତାଙ୍କ କ୍ଲିନିକ୍‌ରେ ପିଲାମାନଙ୍କୁ କଫ୍ ସିରପ୍ ଦେଇଥିଲେ ଯାହା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ସେ ଛୋଟ ପିଲାମାନଙ୍କୁ ଏହି ସିରପ୍ ପିଇବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ପିଲାମାନଙ୍କୁ କୋଲଡ୍ରିଫ୍ ଏବଂ ନାଷ୍ଟ୍ରୋ ଡିଏସ୍ ଦିଆଯାଇଥିଲା, ଯାହା ଫଳରେ କିଡ୍‌ନୀ ସଂକ୍ରମଣରୁ ପିଲାମାନଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ତାମିଲନାଡୁ ପରେ  ମଧ୍ୟପ୍ରଦେଶ ସରକାର ଶନିବାର ଦିନ କୋଲଡ୍ରିଫ୍ କଫ୍ ସିରପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ସିରପ୍ ଯୋଗୁଁ ମଧ୍ୟପ୍ରଦେଶରେ ୨୭ ଦିନରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁମାନଙ୍କ ବୟସ ୧ ରୁ ପାଞ୍ଚ ବର୍ଷ ମଧ୍ୟରେ ଥିଲା । 

କଫ୍‌ ସିରପ ଜନିତ ମୃତ୍ୟୁକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ମଧ୍ୟପ୍ରଦେଶ, ତାମିଲନାଡୁ ଓ କେରଳରେ କଫ୍ ସିରପ୍ ବ୍ୟାନ୍ ହୋଇଛି । ମଧ୍ୟପ୍ରଦେଶ ପରେ ତାମିଲନାଡୁ ଓ କେରଳ ସରକାର ରାଜ୍ୟରେ ଏହି କଫ୍‌ ସିରପ୍କୁ ନିଷିଦ୍ଧ ଘୋଷଣା କରିଛନ୍ତି । ଏହି କଫ ସିରଫର ପ୍ରସ୍ତୁତି ତାମିଲନାଡୁର କାଞ୍ଚିପୁରମରେ ହେଉଥିଲା । ଶିଶୁ ମୃତ୍ୟୁ ମାମଲା ସାମ୍‌ନାକୁ ଆସିବା ପରେ ତାମିଲନାଡୁ ସରକାର ଏହାର ଉତ୍ପାଦନ, ବିକ୍ରି, ଗଚ୍ଛିତ ଓ ପ୍ରସାରଣ ଉପରେ ରୋକ୍‌ ଲଗାଇଛନ୍ତି । ରାଜ୍ୟରେ ଯେଉଁସବୁ ସ୍ଥାନରେ ଏହି କଫ୍‌ ସିରପ୍ ଗଚ୍ଛିତ ରଖାଯାଇଥିଲା ତାକୁ ଜବତ କରାଯାଇଛି ।
​​​​​​​