କୋକସରା, ୩୦/୧୦: କୁତ୍ସିତ ପ୍ରଥା, ସଙ୍କୁଚିତ ମାନସିକତା, ସାମାଜିକ କଟକଣା । ଭେଦଭାବ, ଛୁଆଁଛୁତି ଭଳି କୁସଂସ୍କାର । ଆଧୁନିକ ଯୁଗରେ ବି ଅନ୍ଧବିଶ୍ବାସର ଅରଗଳି ଭିତରେ ମଣିଷ । ଏସବୁ ଜୀବନ ଥିବା ମଣିଷ ପାଖରେ ଚଳିବ, ହେଲେ ଏ ଶବ କାହିଁକି ଏସବୁର ଶିକାର ହେବ । ଶବ କେବଳ ଚାହେଁ ଛ’ ଖଣ୍ଡ କାଠରେ ବନ୍ଧା କୋକେଇ, ଆଉ ଚାରି କାନ୍ଧ । ଶ୍ମଶାନ ଯାଏ କିଛି ସମ୍ପର୍କୀୟ, ଆଉ କିଛି ମାଲ ଭାଇ । ହେଲେ ଏ କ’ଣ ଏଠି ତ କୁସଂସ୍କାର ଏବଂ ସାମାଜିକ ବ୍ୟାଧି ଏଭଳି କବଳିତ କରି ଯେ ଶବକୁ ଚାରି କାନ୍ଧ ମିଳିବା ବି ମୁସ୍କିଲ । ମୃତ୍ୟୁ ପରେ ଅନ୍ତେଷ୍ଟି ପାଇଁ ମୁହଁ ଫେରାଉଛନ୍ତି ଜାତିଭାଇ । ବାସି ମଡ଼ା ହେଉଯାଉଛି ମୃତଦେହ । ଏଭଳି ହୃଦୟ ବିଦାରକ ଦୃଶ୍ୟ କଳାହାଣ୍ଡି ଜିଲ୍ଲାରୁ ସାମ୍ନାକୁ ଆସିଛି । ଲାଞ୍ଜିଗଡ଼ରେ ସାମାଜିକ ବାସନ୍ଦ ପାଇଁ ୮ ଘଣ୍ଟା ପଡ଼ିରହିଲା ମୃତଦେହ ।
ବୁଧବାର ଲାଞ୍ଜିଗଡ଼ ବ୍ଲକ୍ ପ୍ରଧାନପଡ଼ାରେ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ହୋଇଥିଲା । ପୁତୁରାର ଶବ ସଂସ୍କାର ପାଇଁ ବଡ଼ବାପା ଜାତିଭାଇଙ୍କ ନିକଟରେ ନେହୁରା ହୋଇଥିଲେ । ମାତ୍ର ସାମାଜିକ କଟକଣା ଭୟରେ କେହି ଘରୁ ଗୋଡ଼ କାଢ଼ିନଥିଲେ । ଫଳରେ ୮ଘଣ୍ଟା ପଡ଼ି ରହିଥିଲା ମହେନ୍ଦ୍ରଙ୍କ ମୃତଦେହ । ବାସି ମଡ଼ା ହେବା ପରେ ତିନିଜଣ ସମ୍ପର୍କୀୟ ଭଉଣୀ ଶବକୁ ସମ୍ମାନ ଦେବାକୁ ଆଗେଇ ଆସିଥିଲେ । ସାମାଜିକ ବାସନ୍ଦ ଏବଂ ଯୁବତୀଙ୍କୁ ଶ୍ମଶାନ ଯିବା ଅନୁମତି ନଥିବା ସତ୍ତ୍ବେ କୋକେଇରେ କାନ୍ଧ ଦେଇଥିଲେ । ମହେନ୍ଦ୍ରଙ୍କ ବଡ଼ବାପାଙ୍କ ସହିତ ତିନି ଯୁବତୀ ହରି ନାମ ସତ୍ୟ ହେ କହି ଶ୍ମଶାନରେ ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ଆଉ ସ୍ଥାନୀୟ ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଛନ୍ତି । ଶବକୁ ଉପଯୁକ୍ତ ସମ୍ମାନ ଦେଇ ସାମାଜିକ କଟକଣାକୁ ଶକ୍ତ ଚାପୁଡ଼ା ମାରିଛନ୍ତି ।