କଟକ, ୭/୧୦ : କଟକ ସହରକୁ ଫେରୁଛି ଶାନ୍ତି। କୋହଲା କର୍ଫ୍ୟୁ କଟକଣା। ସହରରେ ଜୀବନଯାତ୍ରା ସ୍ଵାଭାବିକ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଥିଲା। ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା। ମଙ୍ଗଳାବାଗ୍, କ୍ୟାଣ୍ଟନ୍‌ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍‌ବାଗ୍, ବିଡ଼ାନାସୀ, ମର୍କତନଗର, CDA ଫେଜ୍-୨, ମାଲ୍‌ଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଥିଲାଅବଧି ବୃଦ୍ଧି ନହେବାରୁ କଟକଣା ଉଠାଯାଇଛି। ତେବେ ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ। 

​​​​​​​‘ଭାଇଚାରା’ର ସହର କଟକକୁ ଶାନ୍ତି ଫେରୁଛି । ସହରର ଜୀବନଯାତ୍ରାରେ ସ୍ୱାଭାବିକତା ଫେରାଇ ଆଣିବାକୁ ସବୁ ସ୍ତରରେ, ସବୁ ମହଲରେ ଉଦ୍ୟମ ଜାରି ରହିଛି । ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ସ୍ଥିତିରେ ବେଶ ସୁଧାର ମଧ୍ୟ ଆସିଛି । ସାରା ସହର ପୁଲିସ ଫୋର୍ସ ବଳୟରେ ରହିଥିବା ବେଳେ ପୁଲିସ ଡିଜି ୱାଇ. ବି. ଖୁରାନିଆ, ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ କଟକରେ କ୍ୟାମ୍ପ୍‌ କରି ସ୍ଥିତି ଉପରେ ନଜର ରଖିଛନ୍ତି । ଅନ୍ୟପକ୍ଷରେ, ରବିବାର ସନ୍ଧ୍ୟା ୭ଟାରୁ କଟକ ସହରରେ ଇଣ୍ଟରନେଟ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କଟକଣାକୁ ବୃଦ୍ଧି କରାଯାଇଛି। ​​​​​​​

କର୍ଫ୍ୟୁ ଯୋଗୁଁ ବ୍ୟବସାୟିକ ନଗରୀ କଟକ ପୂରା ଶୂନ୍‌ଶାନ୍‌ ପାଲଟି ଯାଇଛି । ଛକବଜାର ସବୁଠି ନିରବତା । ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ପୁଲିସ ପଇଁତରା ମାରୁଥିବା ବେଳେ ଲୋକେ ମଧ୍ୟ ପ୍ରଶାସନିକ କଟକଣାକୁ ମାନି ଘରେ ବନ୍ଦୀ ରହିଛନ୍ତି । କର୍ଫ୍ୟୁ ଯୋଗୁଁ ସହରରେ ନିଆଁ ଲଗାଇବା, ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । କର୍ଫ୍ୟୁ ଯୋଗୁଁ କଟକରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏସ୍‌ସିବି ମେଡିକାଲ୍‌ ଠାରୁ ଆରମ୍ଭ କରି ଶିଶୁଭବନ, ସିଟି ହସ୍‌ପିଟାଲ୍‌ ଏବଂ ସହରରେ ରହିଥିବା ବିଭିନ୍ନ ଘରୋଇ ହସ୍‌ପିଟାଲ୍‌, ନର୍ସିଂହୋମ୍‌ରେ ରୋଗୀସେବା ପ୍ରଭାବିତ ହୋଇଛି । ଇଣ୍ଟରନେଟ୍‌ ବ୍ୟବସ୍ଥା ନଥିବାରୁ ବୀମା କାର୍ଡ କାମ କରୁନାହିଁ । ଯାହା ଫଳରେ ଘରୋଇ ହସ୍‌ପିଟାଲ ଓ ନର୍ସିଂହୋମ୍‌ ପକ୍ଷରୁ ବୀମା କାର୍ଡରେ ଆଡ୍‌ମିସନ୍‌ କରାଯାଇ ପାରୁନଥିବା ଦେଖିବାକୁ ମିଳିଛି । ନେତାଜୀ ବସ୍‌ ଟର୍ମିନାଲରେ ବସ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । 

କଟକ ସହରରେ ସରକାରୀ ଅଫିସ୍‌, ବ୍ୟାଙ୍କ ଆଦି ଖୋଲା ରହିଥିଲେ ମଧ୍ୟ ନିତିଦିନିଆ କାମ ପ୍ରଭାବିତ ହୋଇଛି । ଇଣ୍ଟରନେଟ୍‌ ସମସ୍ୟା ଥିବାରୁ ସରକାରୀ କାର୍ଯ୍ୟ ସ୍ୱାଭାବିକ ଢଙ୍ଗରେ ହୋଇପାରିନାହିଁ । ମାଲଗୋଦାମ, ଛତ୍ରବଜାର, ଚୌଧୁରୀବଜାର, ପିଠାପୁର ଆଦି ହୋଲସେଲ୍‌ ମଣ୍ଡି ବନ୍ଦ ରହିଥିବାରୁ ବଡ଼ ଧରଣର ବ୍ୟବସାୟିକ କ୍ଷତି ହୋଇଛି । ଅନ୍‌ଲାଇନ୍‌ କାରବାର ବନ୍ଦ ରହିଥିବାରୁ ଟଙ୍କା ପଠାଇବା, ଆଣିବା ଭଳି କାମ ହୋଇ ପାରିନାହିଁ । ଏମିତିକି ପ୍ରାୟ ଅଧିକାଂଶ ଏଟିଏମ୍‌ କାର୍ଯ୍ୟ କରୁନଥିବାରୁ ଲୋକଙ୍କ ଆର୍ଥିକ ଦେଣନେଣ ସମସ୍ୟା ବଢ଼ିଯାଇଛି । ସେହିପରି ଗୁଜବ ଓ କାନକୁହା କଥାକୁ ବିଶ୍ୱାସକୁ ନନେବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଗୁଜବ ଖେଳାଉଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଚେତାବନୀ ଦିଆଯାଇଛି । ସାଦା ପୋଷାକରେ ପୁଲିସ ଗଳିକନ୍ଦିରେ ବୁଲୁଥିବା ବେଳେ ଗୁଜବକାରୀଙ୍କୁ ଉଠାଇବାକୁ ମଧ୍ୟ ଯୋଜନା ରହିଥିବା ସୂଚନା ମିଳିଛି ।