ଭୁବନେଶ୍ଵର, ୩୧/୧୦: ମୁଖ୍ୟମନ୍ତ୍ରୀଙ୍କୁ ବାଲିଯାତ୍ରା ନିମନ୍ତ୍ରଣ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଲୋକସେବା ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଐତିହାସିକ ବାଲିଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଚଳିତବର୍ଷ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ ବାଲିଯାତ୍ରାକୁ ବେଶ୍ ବିଶାଳ ଆକାରରେ ଆୟୋଜନ କରାଯାଉଛି ।
ଏଥର ପ୍ରଥମ ଥର ଜିଲ୍ଲା ପ୍ରଶାସନ ଦ୍ୱାରା ଗୋଟିଏ ଦିନ ପଥୋତ୍ସବ ଆୟୋଜନ କରାଯାଉଛି । ଆସନ୍ତା ୨ ତାରିଖରେ ବାରବାଟୀ ଦୁର୍ଗ ସମ୍ମୁଖରେ ରାସ୍ତାରେ ଶୀତୁଆ ସକାଳରେ ନାଚଗୀତ ସାଙ୍ଗକୁ ଖିଆପିଆର ଆନନ୍ଦ ଉଠାଇବେ ସହରବାସୀ । ଏଥିରେ ଏକାଧିକ ମଞ୍ଚରେ ଓଲିଉଡ୍ କଳାକାର ଓ କଣ୍ଠଶିଳ୍ପୀମାନେ ଲୋକଙ୍କ ମନୋରଞ୍ଜନ କରିବେ। ପ୍ରଶାସନ ଦ୍ୱାରା ଆସନ୍ତା ୨ ତାରିଖରେ ସକାଳ ସମୟରେ ପଥୋତ୍ସବ ଅନୁଷ୍ଠିତ ହେବ। ସକାଳ ସାଢେ ୬ଟାରୁ ୯ଟା ପର୍ଯ୍ୟନ୍ତ ଏହା ଚାଲିବ । ଏଥିରେ ଜୁମ୍ବା, ମ୍ୟାଜିକ୍ ସୋ, ବାସ୍କେଟ୍ ବଲ୍, ଫିଟନେସ୍ ଗେମ୍ ଭଳି କାର୍ଯ୍ୟକ୍ରମ କରାଯିବ। ଲୋକମାନେ ବୁଲାବୁଲି ସହିତ ବିଭିନ୍ନ ପ୍ରକାର ଖାଦ୍ୟର ଆନନ୍ଦ ଉଠାଇବେ।