କଟକ,୦୫/୧୧:  ବୁଧବାର ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସବୁ କାର୍ଯ୍ୟରେ ଏବେ ଶେଷ ସ୍ପର୍ଶ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଉତ୍ସବ ଉଦ୍‌ଘାଟନ କରିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେବୋଟିଂ କ୍ଲବ୍‌ ପାଖରେ ଆସି ପହଞ୍ଚିବେ ।ସେଠାରେ କିଛି ସମୟ ରହିବାପରେ ପ୍ରସ୍ତୁତ ହୋଇଥିବା ସୁସଜ୍ଜିତବୋଇତରେ ବାଲିଯାତ୍ରା ପଡ଼ିଆକୁ ଆସିବେ । 

କଟକ ଇନ୍‌ କଟକ ପାଖରେ ହୋଇଥିବା ଘାଟରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ କାର୍‌କେଡ୍‌ରେ ବୈଷ୍ଣବ ପାଣି ମଞ୍ଚରେ ପହଞ୍ଚିବେ । ପାରମ୍ପରିକ ରୀତିନୀତିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ତଳ ପଡ଼ିଆରେ ନୂଆ ରୂପରେଖ ସହ ବାଲିଯାତ୍ରା ଆୟୋଜନ କରାଯାଉଛି । ଏହା ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଆଉ ଗୋଟିଏ ଦିନ ବଢ଼ିବାର ଯୋଜନା ରହିଥିବା କୁହାଯାଉଛି । ଉଦ୍‌ଘାଟନୀ ଉତ୍ସବରେ ସନ୍ଧ୍ୟା ସାଢ଼େ ୫ଟାରେ ମହାନଦୀ ଆଳତି, ପୂଜା ଓ କୀର୍ତ୍ତନଏବଂ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ପରେ ଗଣକବି ବୈଷ୍ଣବ ପାଣିମଞ୍ଚରେ ମୁଖ୍ୟମନ୍ତ୍ରୀ ଉତ୍ସବକୁ ଉଦ୍‌ଘାଟନ କରିବେ । 

ଏହାସହ ସମ୍ମାନିତ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତଇନା ଏଚ୍‌ କୃଷ୍ଣମୂର୍ତ୍ତୀଙ୍କ ସମେତମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦଙ୍କ ସମେତ କଟକ ଜିଲ୍ଲା ଓ ଆଖପାଖ ନିର୍ବାଚନମଣ୍ଡଳୀର ବିଧାୟକ ଓ ବିଧାୟିକାଙ୍କୁ ନିମନ୍ତ୍ରଣ କରାଯାଇଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବଶିନ୍ଦେ ସୂଚନା ଦେଇଛନ୍ତି । ଏହା ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।ପ୍ରଥମ ସନ୍ଧ୍ୟାରେ ଇଣ୍ଡୋନେସିଆନ୍‌ ଟିମ୍‌ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରିବେ ଯାହା ଆକର୍ଷଣ ପାଲଟିବ ।