ଭୁବନେଶ୍ବର, ୨୬/୧୦: ଅକ୍ଟୋବର ମାସରେ ବାତ୍ୟା । ନାଁ ଶୁଣିଲେ ମନରେ ଛନକା ପଶେ । ମନେପଡ଼ିଯାଏ ୧୯୯୯ ମସିହା ମହାବାତ୍ୟାର ପ୍ରକୋପ । ତେଣୁ ବଙ୍ଗୋପସାଗରରେ ବଳ ଗୋଟାଉଥିବା ସମ୍ଭାବ୍ୟ ବାତ୍ୟା ମନ୍ଥାକୁ ନେଇ ଏବେଠୁ ଘାରିଲାଣି ଭୟ । ଉପକୂଳିଆବାସୀଙ୍କ ଛାତି ଧଡ଼ଧଡ଼ ହେଲାଣି । ଆକଳନ ଅନୁଯାୟୀ, ୨୮ କିମ୍ବା ୨୯ ତାରିଖରେ ସାମୁଦ୍ରିକ ଝଡ଼ ଆନ୍ଧ୍ର ପ୍ରଦେଶର ମଛଲିପାଟନମ୍ ମଧ୍ୟରେ ମାଡ଼ ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ମାତ୍ର ଏହାର ଢେର ଆଗରୁ ଓଡ଼ିଶାବାସୀଙ୍କୁ ସତର୍କ କରାଇଛି ପାଞ୍ଜିକା ଏବଂ ଜ୍ୟୋତିଷ ଗଣନା । ଅରୁଣ ଉଦୟ ପ୍ରେସ୍ର ନୂତନ ଖଡ଼ିରତ୍ନ ପଞ୍ଜିକାରେ ବାତ୍ୟା ନେଇ ଉଲ୍ଲେଖ ରହିଛି । କାର୍ତ୍ତିକ ମାସ ବା ଜ୍ୟୋତିଷଶସ୍ତ୍ରରେ ଯାହାକୁ ତୁଳ ମାସ କହନ୍ତି । ସେହି ମାସର ଜଳବିଷୁବ ଗର୍ଭଣା ସଂକ୍ରାନ୍ତି ସଞ୍ଚାର ଗଣନାରେ ପ୍ରମାଣିତ ହୋଇଛି । ଫଳସ୍ୱରୂପ ସମୁଦ୍ର ସଞ୍ଚାର ଅଶ୍ୱବାହନେ ବହୁଜଳ ବୃଷ୍ଟି ହେବ । ଏହାର ଅର୍ଥ ସାମୁଦ୍ରିକ ଝଡ଼ ଜଳ ପ୍ରଳୟ ଆଣିବ ।
କେବଳ ଏତିକି ନୁହେଁ ଖଡ଼ିରତ୍ନ ପଞ୍ଜିକା ରହିଛି, ଏହି ବିପଦ ଅଷ୍ଟ୍ରେଲିଆ, ସୁମାତ୍ରା ଓ ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜ, ଭାରତ ମଧ୍ୟରେ ପଶ୍ଚିମବଙ୍ଗ, ଗଙ୍ଗାନଦୀର ତଟବର୍ତ୍ତୀ ଅଞ୍ଚଳ, ଓଡ଼ିଶା, ଆନ୍ଧ୍ର, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଆଦି ଦକ୍ଷିଣ ଉପକୂଳ ଅଞ୍ଚଳମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ଯଥା ପବନ ଭୟ, ବନ୍ୟା, ବାତ୍ୟା ଆସିବ । ଏହା ଦ୍ୱାରା କୃଷିହାନି ଓ ଜନକ୍ଷୟର ଆଶଙ୍କା ରହିଛି । ସେହିପରି ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଭୟାବହ ବ୍ୟୋମ ବା ଆକାଶରେ ଦୁର୍ଘଟଣା କିମ୍ବା ନୌ ଦୁର୍ଘଟଣାର ସମ୍ଭାବନା ରହିଛି । ଜ୍ୟୋତିଷଶାସ୍ତ୍ର ଗଣନା କହୁଛି ଭାରତର ଉତ୍ତର ସୀମାବର୍ତ୍ତୀ ରାଜ୍ୟମାନଙ୍କରେ ରାଜନୈତିକ ଅସ୍ଥିରତା, ସଂଘର୍ଷ, ରକ୍ତପାତ, ଭୂମିକମ୍ପ, ବିସ୍ଫୋରଣ ଅବ୍ୟାହତ ରହିବ । ମାସତତ୍ତ୍ୱ ଓ ପାଣିପାଗ ଆକଳନ ଅନୁସାରେ ଏ ମାସର ମଧ୍ୟଭାଗରେ ଆଞ୍ଚଳିକ ବହୁବୃଷ୍ଟି ଯୋଗ ରହିଛି । ତେବେ ପଞ୍ଜିକାର ଏ ଆକଳନ ଓଡ଼ିଶାବାସୀଙ୍କ ଭୟ ବଢ଼ାଇ ଦେଇଛି ।
ସେପଟେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି, ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଓଡ଼ିଶାରେ ମାଡ଼ ହେଉନଥିଲେ ବି ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ବେଶି ପ୍ରଭାବିତ କରିବ । ୨୭ରୁ ରାଜ୍ୟରେ ବର୍ଷା ବଢ଼ିବ । ୨୮ ଓ ୨୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବା ଆଶଙ୍କା ରହିଛି । ୬୦-୮୦ କିଲୋମିଟର ବେଗରେ ପବନ ବହିବ । ୩୦ରୁ ପାଗ କ୍ରମଶଃ ବଦଳିବ । ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲେ ମଧ୍ୟ ଅକ୍ଟୋବରରେ ବାତ୍ୟା ଆସୁଥିବାରୁ ଭୟ ବଢ଼ିଛି ।