ମୁମ୍ବାଇ,୦୧/୧୦: ଇଣ୍ଟର୍‌ନେଟ୍‌ ମୁଭି ଡାଟାବେସ୍‌ ବା ଆଇଏମ୍‌ଡିବି ଭାରତୀୟ ସିନେମାର ୨୫ ବର୍ଷର ଏକ ରିପୋର୍ଟ ଜାରି କରିଛି । ଏଥିରେ ୨୦୦୦-୨୦୨୫ ପର୍ଯ୍ୟନ୍ତ ଲୋକପ୍ରିୟ ଫିଲ୍ମର ତାଲିକା ଜାରି ହୋଇଛି । ରିପୋର୍ଟରେ ଗତ ୧୦ ବର୍ଷରେ ଆଇଏମ୍‌ଡିବିରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରିଟିଙ୍କ ତାଲିକା ବି ରହିଛି । ଏଥିରେ ଲୋକପ୍ରିୟତା ମାମଲାରେ ୩ ଖାନ୍‌ଙ୍କୁ ପଛରେ ପକାଇଛନ୍ତି ଦୀପିକା ପାଦୁକୋନ । ଟପ୍‌୧୦ ତାଲିକାରେ ୩ ଅଭିନେତ୍ରୀଙ୍କ ନାଁ ରହିଛି । ଶୀର୍ଷରେ ଅଛନ୍ତି ଦୀପିକା । ଏହା ଜାନୁଆରୀ ୨୦୧୪ରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଆଇଏମ୍‌ଡିବିର ସାପ୍ତାହିକ ର‌୍ୟାଙ୍କିଙ୍ଗ୍‌ ଉପରେ ଆଧାରିତ ।

ଟପ୍‌-୧୦ ତାଲିକାରେ ଦୀପିକାଙ୍କ ପରେ ୨ୟ ସ୍ଥାନରେ ଅଛନ୍ତି ଶାହରୁଖ ଖାନ୍‌ । ଐଶ୍ୱର୍ଯ୍ୟା ୩ୟ, ଆଲିୟା ଭଟ୍ଟ ୪ର୍ଥ ସ୍ଥାନରେ ଅଛନ୍ତି । ୫ମରେ ଦିବଂଗତ ଅଭିନେତା ଇରଫାନ ଖାନ୍‌ଙ୍କ ନାଁ ରହିଛି । ଆମିର ୬ଷ୍ଠ, ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୭ମ, ସଲମାନ ୮ମ ଏବଂ ଋତ୍ୱିକ ରୋଶନ ୯ମ ସ୍ଥାନରେ ଅଛନ୍ତି । ତାଲିକାରେ ୧୦ମ ସ୍ଥାନରେ ଅଛନ୍ତି ଅକ୍ଷୟ କୁମାର । ତାଲିକାର ଶୀର୍ଷରେ ସ୍ଥାନ ପାଇଥିବାରୁ ଦୀପିକା ପ୍ରତିକ୍ରିୟା ଦେଇ କହିଛନ୍ତି, ମୋ ପରିବାର, ଫ୍ୟାନ୍‌ ଓ ସହଯୋଗୀମାନେ ମୋ ଉପରେ ଯେଉଁ ବିଶ୍ୱାସ କରିଛନ୍ତି, ସେମାନେ ମୋତେ ଚୟନ କରିବାରେ ଓ ନିର୍ଣ୍ଣୟ ନେବାରେ ସଶକ୍ତ କରିଛନ୍ତି । ଆଶା କରୁଛି ଏହା ଦ୍ୱାରା ମୋ ପରେ ଆସୁଥିବା ଲୋକଙ୍କ ପାଇଁ ମାର୍ଗ ସବୁଦିନ ପାଇଁ ବଦଳିଯିବ । ୨୦୦୦ରୁ ୨୦୨୫ର ଲୋକପ୍ରିୟ ଫିଲ୍ମ ତାଲିକାରେ, ନିକଟରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ସୈୟାରା’ ପ୍ରଥମ ସ୍ଥାନରେ ଅଛି । ଭିକି କୌଶଲଙ୍କ ‘ଛାବା’ ୨ୟ ଏବଂ ୩ୟରେ ଅଛି ‘ମହାବତାର ନରସିଂହା’ । ୪ର୍ଥରେ ‘ଡ୍ରାଗନ୍‌’ ଓ ୫ମରେ ‘କୁଲି’ ଅଛି ।