ନୂଆଦିଲ୍ଲୀ,୨୩/୦୯: ପରକୀୟା ପ୍ରୀତି  ବା ବ୍ୟଭିଚାର କୌଣସି ଅପରାଧ ନୁହେଁ ବରଂ ଛାଡ଼ପତ୍ର କିମ୍ବା ଅନ୍ୟ ବୈବାହିକ ବିବାଦ ମାମଲାରେ ଏହାକୁ ଆଧାର ବନାଯାଇପାରିବ  ବୋଲି ସୋମବାର ଦିଲ୍ଲୀ ହାଇକୋର୍ଟ ଟିପ୍ପଣୀ  ଦେଇଛନ୍ତି ।

ଜଷ୍ଟିସ୍‌ ପୁରୁଷେନ୍ଦ୍ର କୌରବ  କହିଥିଲେ, କୌଣସି ସ୍ୱାମୀ କିମ୍ବା ସ୍ତ୍ରୀ ନିଜ ସାଥୀଙ୍କ ପ୍ରେମୀ ବିରୋଧରେ ବି ମାମଲା କରିପାରିବେ ଏବଂ ନିଜ ବିବାହ ଭାଙ୍ଗିବା ପାଇଁ  ସେମାନଙ୍କୁ ଦାୟୀ କରିପାରିବେ । ଏ ବାବଦରେ ସମ୍ପୃକ୍ତ ସ୍ୱାମୀ ବା ସ୍ତ୍ରୀ ପ୍ରେମୀଙ୍କଠାରୁ ଆର୍ଥିକ କ୍ଷତିପୂରଣ ବି ଦାବି କରିପାରିବେ । କାରଣ ପରକୀୟାର ପରିଣତି ଭୟଙ୍କର ହୋଇପାରେ । ସେହି ଦୃଷ୍ଟିରୁ ଏହି ତୃତୀୟ ପକ୍ଷଠାରୁ କ୍ଷତିପୂରଣ ଦାବି କରାଯିବା ଯଥାର୍ଥ ।

ପିଟିସନରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ପ୍ରେମିକାଙ୍କ ବିରୋଧରେ ମାମଲା କରିଥିଲେ । ପ୍ରେମିକା ଜଣକ ସେହି ମହିଳାଙ୍କ ଭାବନାତ୍ମକ କ୍ଷତି ସହ ସାଥୀ ହାନି ଲାଗି ଦାୟୀ  ବୋଲି ମହିଳା କହିଥିଲେ । ତେଣୁ ଏ ବାବଦରେ  ସ୍ୱାମୀଙ୍କ ପ୍ରେମିକାଙ୍କୁ ମହିଳା ଜଣକ କ୍ଷତିପୂରଣ ମାଗିଥିଲେ । ତେବେ ମହିଳା ଜଣକ ନିଜ ବିବାହ ଭାଙ୍ଗିବା ପଛର କାରଣ କି ନା ଜାଣିବା ଲାଗି ହାଇକୋର୍ଟ ସମ୍ପୃକ୍ତ ସ୍ୱାମୀ ଏବଂ ତାଙ୍କ ପ୍ରେମିକାଙ୍କୁ  ନୋଟିସ ଜାରି କରିଛନ୍ତି ।

ମାମଲା ଅନୁସାରେ,  ମହିଳା ଜଣକ ୨୦୧୨ରେ ବିବାହ କରିଥିଲେ ।  ୨୦୧୮ରେ ତାଙ୍କର ଯମଜ ସନ୍ତାନ ହୋଇଥିଲେ ।  କିନ୍ତୁ ୨୦୨୧ରେ ଅନ୍ୟ ଜଣେ ମହିଳା ତାଙ୍କ  ସ୍ୱାମୀଙ୍କ ବ୍ୟବସାୟରେ ଯୋଡ଼ି ହେବା ପରେ ସମସ୍ୟା ଆରମ୍ଭ ହୋଇଥିଲା । ସେହି ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ବଢ଼ିଥିଲା । ପରିବାର ଲୋକଙ୍କ ତାଗିଦ୍‌ ସତ୍ତେ୍ୱ ବ୍ୟକ୍ତି ଜଣକ ପରକୀୟା  ପ୍ରୀତିରେ ମାତିଥିଲେ । ଏପରିକି ଖୋଲାଖୋଲି  ପ୍ରେମିକାଙ୍କ ସହ ବୁଲିଥିଲେ । ତେଣୁ ତାଙ୍କ ସ୍ତ୍ରୀ  ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।