ନୂଆଦିଲ୍ଲୀ, ୧୧/୯ : ISISର ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ। ପାକିସ୍ତାନ ଲିଙ୍କ୍ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ୍। ବିଭିନ୍ନ ରାଜ୍ୟରୁ ୫ ISIS ଆତଙ୍କବାଦୀଙ୍କ ସମେତ ଅସ୍ତ୍ରଶସ୍ତ୍ର ଓ IED ତିଆରି ସାମଗ୍ରୀ ଜବତ। କେନ୍ଦ୍ରୀୟ ଏଜେନ୍ସିର ସହାୟତାରେ ଦିଲ୍ଲୀ ପୁଲିସ ଏହି ଆତଙ୍କୀ ନେଟୱାର୍କର ପର୍ଦ୍ଦାଫାସ୍ କରିଛି। ଦିଲ୍ଲୀ, ମଧ୍ୟପ୍ରଦେଶ, ହାଇଦ୍ରାବାଦ ଓ ରାଞ୍ଚିରୁ ଏହି ଆତଙ୍କୀମାନେ ଧରାପଡ଼ିଛନ୍ତି। ଏହି ମଡ୍ୟୁଲ୍ ଆଇଏସ୍‌ଆଇଏସ୍‌ର ନିର୍ଦ୍ଦେଶ କ୍ରମେ ଦିଲ୍ଲୀରେ କେମିକାଲ୍ ବମ୍ ଜରିଆରେ ବଡ଼ ଆକ୍ରମଣ କରିବା ଯୋଜନାରେ ଥିଲେ। 

ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଏହି ଆତଙ୍କୀ ନେଟୱାର୍କ କେମିକାଲ ବମ୍ ତିଆରି କରିବାରେ ମାହିର। ଏମାନେ ଦିଲ୍ଲୀରେ କୌଣସି ବଡ଼ ଧରଣର ଆକ୍ରମଣ କରିବା ଯୋଜନାରେ ଥିଲେ। ହେଲେ ଆଇଏସ୍‌ଆଇଏସ୍‌ର ଏହି ଆତଙ୍କୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି। ଏବେବି ସର୍ଚ୍ଚ ଅପରେସନ ଚାଲିଛି। ଏହି ନେଟୱାର୍କରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଛାନଭିନ୍ କରାଯାଉଛି। 

​​​​​​​ସୂଚନା ଥାଉକି, ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍, ଝାଡ଼ଖଣ୍ଡ ଏଟିଏସ୍ ଓ ରାଞ୍ଜି ପୁଲିସର ଜଏଣ୍ଟ ଅପରେସନରେ ରାଞ୍ଚି ଇସଲାମନଗର ଅଞ୍ଚଳରୁ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କୀ ଅଶହର ଦାନିଶ ଓ ଅଫତାବ ଗିରଫ ହୋଇଥିଲେ। ଏହି ଦୁଇ ଜଣ ଆଇଏସ୍‌ଆଇଏସ୍‌ର ସ୍ଲିପର ସେଲ୍ ସହ ଜଡ଼ିତ ଥିଲେ। ଅଶହର ଦାନିଶ ଠାରୁ ହାଇଡ୍ରୋକ୍ଲୋରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍, ସଲଫର ପାଉଡର, ପିସ୍ତଲ, ଡିଜିଟାଲ୍ ଉପକରଣ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଦିଲ୍ଲୀର କିଛି ନକ୍ସା ମଧ୍ୟ ଜବତ ହୋଇଛି। ପାର୍ବଣ ଋତୁରେ କିଛି ବଡ଼ ଧରଣର ଆକ୍ରମଣ ପାଇଁ ଏମାନେ ଯୋଜନା କରୁଥିଲେ। ଦିଲ୍ଲୀ, ମୁମ୍ଵାଇ, ଝାଡ଼ଖଣ୍ଡ ସମେତ ଆହୁରି ୧୨ଟି ରାଜ୍ୟରେ ଏବେ ଚଢାଉ ଚାଲିଛି। ଅଶହର ଦାନିଶ ଏହି ନେଟୱାର୍କର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି।