ଭୁବନେଶ୍ୱର,୧୮/୧୦: ଦୀପାବଳିକୁ ନଜରରେ ରଖି କ୍ୟାପିଟାଲ  ହସ୍ପିଟାଲରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା  କରାଯାଇଛି । ଏନେଇ ସ୍ୱତନ୍ତ୍ର ଭାବେ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି ।  କାଜୁଆଲିଟିଠାରୁ ଆରମ୍ଭ କରି ଡ୍ରେସିଂ ରୁମ ପର୍ଯ୍ୟନ୍ତ ଅଧିକ ସ୍ୱାସ୍ଥ୍ୟ କର୍ମୀ  ନିୟୋଜିତ କରାଯିବ । ସ୍ୱତନ୍ତ୍ର ଭାବେ ଚର୍ମ, ଅସ୍ଥିଶଲ୍ୟ, ଚକ୍ଷୁ ଓ ଭେଷଜ  ବିଶେଷଜ୍ଞଙ୍କୁ ନିୟୋଜିତ କରାଯିବ ।  କାଜୁଆଲିଟି ବାହାରେ ଅଧିକ ସଂଖ୍ୟାରେ ଷ୍ଟ୍ରେଚର ଓ ହୁଇଲ୍‌ ଚେୟାର  ବ୍ୟବସ୍ଥା କରାଯାଇଛି । ଯଦି ଅଧିକ  ପୋଡ଼ା ରୋଗୀ ଆସନ୍ତି ତାହେଲେ  ବର୍ଣ୍ଣ ୟୁନିଟ୍‌କୁ ପଠାଯିବ । ସେଠାରେ ୬ଟି ଶଯ୍ୟା ରହିଛି ବୋଲି ଅଧୀକ୍ଷକ  ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି ।

ଡାକ୍ତର ଦାସ ପରାମର୍ଶ ଦେଇଛନ୍ତି,  ଆଲୋକ ପର୍ବ ଦୀପାବଳୀକୁ ଆନନ୍ଦ ଓ  ପାରମ୍ପରିକ ଢଙ୍ଗରେ ପାଳନ କରନ୍ତୁ ।  ବିଶେଷ କରି ବାଣ ଫୁଟାଇଲା ବେଳେ  ସତର୍କତା ଅବଲମ୍ବନ କରନ୍ତୁ । ପିଲାଙ୍କ  ପାଖରେ ଅଭିଭାବକମାନେ ଉପସ୍ଥିତ  ରହନ୍ତୁ । ପାଖରେ ଅଧିକ ପରିମାଣରେ  ପାଣି ମହଜୁଦ ରଖନ୍ତୁ । ସୂତା ବସ୍ତ୍ର ପିନ୍ଧନ୍ତୁ ।  କୌଣସି ଅଘଟଣ ହେଲେ ତୁରନ୍ତ ହସ୍ପିଟାଲ  ଆଣନ୍ତୁ । ସବୁଠାରୁ ବଡ଼ କଥା ପରିବେଶ  ସୁରକ୍ଷା ସହିତ ଶବ୍ଦ ପ୍ରଦୂଷଣରୁ ଦୂରେଇ  ରହି ଆଲୋକ ପର୍ବ ପାଳନ କରନ୍ତୁ ବୋଲି  ସେ ପରାମର୍ଶ ଦେଇଛନ୍ତି ।