ସୋର,୨୩/୦୯: ପେଟ ଯନ୍ତ୍ରଣାରେ ଛଟପଟ ହୋଇ ଆସିଥିଲେ ଘରୋଇ ନର୍ସିଂ ହୋମ୍‌କୁ । ଅପରେସନ୍‌ ଥିଏଟର୍‌ (ଓଟି) ରେ ଡାକ୍ତର ପେଟ କାଟିଦେଲେ । ହେଲେ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ କରିପାରିଲେନି । ରୋଗୀଙ୍କୁ ସେମିତି ଅବସ୍ଥାରେ ଛାଡ଼ି  ଛୁ’ ମାରିଲେ । ବାଲେଶ୍ୱର ଜିଲ୍ଲା  ସୌର ପୌରାଞ୍ଚଳର ଏକ ପ୍ରତିଷ୍ଠିତ  ନର୍ସିଂ ହୋମ୍‌ରେ ସୋମବାର ଘଟିଛି  ଏଭଳି ଅଭାବନୀୟ ଘଟଣା ।

ରୋଗୀଙ୍କୁ ମରଣମୁହଁରେ ଛାଡ଼ି ଡାକ୍ତର ଫେରାର  ହୋଇଯିବା ପରେ ନର୍ସିଂହୋମ୍‌ କମ୍ପାଇଛନ୍ତି ସମ୍ପର୍କୀୟ । ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।  ସୋର ଥାନା ଅଙ୍କବ୍ରହ୍ମପୁର ଗ୍ରାମର କାଳିଆ ଜେନାଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗତ ଶନିବାର ଉକ୍ତ  ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ ।  ପେଟରେ ଷ୍ଟୋନ୍‌ ହୋଇଥିବା କହି ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ  ଦେଇଥିଲେ । ସୋମବାର ଅସ୍ତ୍ରୋପଚାର  ପାଇଁ ପ୍ରସ୍ତୁତି କରାଯାଇଥିଲା । ଓଟିରେ କଳିଆଙ୍କ ପେଟ କାଟି ଅପରେସନ୍‌ ଆରମ୍ଭ କରିଥିଲେ ଡାକ୍ତର । ହେଲେ ଅସ୍ତ୍ରୋପଚାର  କରିବାରେ ବାରମ୍ବାର ବିଫଳ ହେବା ପରେ କାଳିଆଙ୍କୁ ଅପରେସନ ପ୍ରକୋଷ୍ଠରେ  ଛାଡ଼ି ଫେରାର ହୋଇଯାଇଥିଲେ । ପରିବାର ଲୋକେ ଏହା ଜାଣିବା ପରେ ନର୍ସିଂହୋମ ପରିସରରେ ଉତ୍ତେଜନା  ପ୍ରକାଶ ପାଇଥିଲା । ସୋର ପୁଲିସ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।  ସ୍ଥିତି ଜଟିଳ ହେବାରୁ ଡାକ୍ତର ପହଞ୍ଚି  ରୋଗୀଙ୍କର ଆଉ ଥରେ ଅସ୍ତ୍ରୋପଚାର  ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।  ଏହା ପରେ ଉତ୍ତେଜନା ପ୍ରଶମିତ  ହୋଇଥିଲା