ନୂଆଦିଲ୍ଲୀ ୦୯/୧୦: ଯଦି ଆପଣଙ୍କ ପିଲା କଥା କଥାରେ ଜବାବ୍‌ ଦେଉଛି,  ତେବେ ଏହା କେବଳ ଖରାପ ବ୍ୟବହାର ନୁହେଁ, ବରଂ  ଅନେକ କାରଣର ପରିଣାମ । କେବେ ଏହା ଆତ୍ମ ସୁରକ୍ଷାର ଅନୁଭବ ଦେଇଥାଏ, ତ ଆଉ କେବେ ଆବଶ୍ୟକଠାରୁ ଅଧିକ ଆଦର୍ଶବାଦ ହେବା କିମ୍ବା ଭାବନାତ୍ମକ ଭାବେ ଅବହେଳିତ ହେବାର କାରଣ ହୋଇଥାଇପାରେ । ତେବେ ବାସ୍ତବରେ ପିଲାର ଏପରି ବ୍ୟବହାର ପଛରେ କ'ଣ କାରଣ ଥାଇପାରେ ।  ପିଲାଦିନ ଏମିତି ଏକ ସମୟ, ଯାହା ବ୍ୟକ୍ତିତ୍ୱର ମୂଳଦୁଆ ପକାଇଥାଏ । ଏହି ସମୟରେ ପିଲାର କେତେକ ବ୍ୟବହାର ଏମିତି ହୋଇଥାଏ, ଯାହା ବାପାମା’ ଓ ଅନ୍ୟ ସଦସ୍ୟମାନଙ୍କୁ ବିଚଳିତ କରିଥାଏ । ‘କଥା କଥାରେ ଜବାବ୍‌ ଦେବା’ ଏମିତି  ଏକ ବ୍ୟବହାର । ଏହାକୁ କୁସଂସ୍କାର ବା ଅନୁଶାସନର ଅଭାବ ବୋଲି ଧରିନିଆଯାଏ । କିନ୍ତୁ ଏହାକୁ ପିଲାର ଉଦ୍ଧତ ଗୁଣ ବା ଜିଦି ବୋଲି କହିବା ଠିକ୍‌ ହେବନି । କାରଣ ଏହା ପଛରେ  ଅନେକ ମନୋବିଜ୍ଞାନ ଓ ସାମାଜିକ କାରଣ ରହିଥାଏ । ଯାହାକୁ ବୁଝିବା ପରେ ପିଲାକୁ ଗାଇଡ୍‌ କରିବା ସହଜ ହୋଇଯିବ । ଚାଲନ୍ତୁ ଜାଣିବା ସେହି କାରଣଗୁଡିକ...

ଆତ୍ମ ସୁରକ୍ଷା ଭାବନା: ଯେତେବେଳେ ପିଲା ନିଜକୁ  ଅସୁରକ୍ଷିତ ମନେ ଭାବିବା, ଅପମାନିତ କିମ୍ବା ଚାପରେ ରହିବା  ପରି ଅନୁଭବ କରିଥାଏ, ସେତେବେଳେ ସେ କଥାର ଓଲଟା ଜବାବ୍‌ ଦେଇଥାଏ । ଯାହାଦ୍ୱାରା ସେ ନିଜର ସ୍ଥିତିକୁ ସ୍ପଷ୍ଟ କରିବା ପାଇଁ ନିଜେ ପ୍ରତିବାଦ କରିଥାଏ ।  

କଠୋର ଅନୁଶାସନ: ମାତ୍ରାଧିକ କଠୋର ବା ସ୍ୱାଧୀନତାର ଅଭାବ ପିଲାକୁ ବିଦ୍ରୋହୀ କରିଦିଏ । ଫଳରେ ସେ ନିଜର ବିଚାରକୁ ଜବରଦସ୍ତ ଏବଂ ବିରୋଧାତ୍ମକ ଭାବେ ଉପସ୍ଥାପନ କରିଥାଏ ।

ଭାବନାତ୍ମକ ଉପେକ୍ଷା: ଯଦି ଅଭିଭାବକ  ପିଲାମାନଙ୍କୁ ପର୍ଯ୍ୟାପ୍ତ ଭାବନାତ୍ମକ  ସହଯୋଗ କରୁନାହାନ୍ତି କିମ୍ବା ସ୍ନେହ  କରୁନାହାନ୍ତି, ତେବେ ପିଲା ନିଜକୁ ଉପେକ୍ଷିତ ଅନୁଭବ କରିଥାନ୍ତି । ତା’ ସହିତ  କ୍ରୋଧ କିମ୍ବା ଚିଡଚିଡାପଣ ଯୋଗୁ ଓଲଟା  ପ୍ରତିକ୍ରିୟା ଦେଇଥାଏ ।  

 ରୋଲ୍‌ ମଡେଲ୍‌ର ପ୍ରଭାବ: ପିଲାମାନେ  ଯାହା ଦେଖନ୍ତି, ତାକୁ ଅନୁକରଣ କରିଥାନ୍ତି ।  ଯଦି ସେମାନେ ନିଜ ଆଖପାଖ ଲୋକଙ୍କୁ  ଓଲଟା ଜବାବ୍‌ ଦେଉଥିବା ଦେଖୁଥାନ୍ତି,  ତେବେ ସେପରି ବ୍ୟବହାର କରିଥାନ୍ତି ।  

କଥାବାର୍ତ୍ତା ଅଭାବ: ଯେତେବେଳେ ପିଲାଙ୍କ କଥାକୁ ଗୁରୁତ୍ୱ  ଦେବା ପରିବର୍ତ୍ତେ କେବଳ ଆଦେଶ ଦିଆଯାଏ । ତେବେ  ସେମାନେ ଏପରି ବ୍ୟବହାର ଆପଣାଇଥାନ୍ତି ।  

ବୟସରେ ପରିବର୍ତ୍ତନ : କିଶୋରବସ୍ଥାରେ ହେଉଥିବା  ହର୍‌ମୋନାଲ୍‌ ପରିବର୍ତ୍ତନ କାରଣରୁ ପିଲାଙ୍କ ଭିତରେ ମାନସିକ  ଚିନ୍ତା ବଢିଥାଏ । ତେଣୁ ସେ ଓଲଟା ଜବାବ୍‌ ଦେବା ସହ ନିଜ  ରାଗକୁ ଶାନ୍ତ କରିଥାଏ ।  

 ବାହାରର ଚାପ ଓ ଚିନ୍ତା : ସ୍କୁଲ ସାଙ୍ଗ ଓ ଅନ୍ୟାନ୍ୟ  ବାହାରର ଚାପ କାରଣରୁ ପ୍ରାୟ ସମୟରେ ପିଲା ଚାପରେ  ରହିଥାନ୍ତି । ଏହି ସ୍ଥିତିରେ ତାକୁ ଯାହା କହିଲେ ସେ ପ୍ରାୟତଃ  ଓଲଟା ଜବାବ୍‌ ଦେଇ ନିଜର ରାଗକୁ ପ୍ରକାଶ କରିଥାନ୍ତି ।  

 ବାପାମା’ଙ୍କ ପ୍ରତିକ୍ରିୟା: ଅନେକ ସମୟରେ ପିଲାମାନଙ୍କୁ  ନିଜର ମତ ପ୍ରକାଶ କରିବାର ସୁଯୋଗ ପାଇପାରି ନଥାନ୍ତି ।  କୌଣସି କଥାରେ ପିଲା ଅସହମତି ପ୍ରକାଶ କଲେ ବାପାମା’  ପ୍ରତିକ୍ରିୟା ଦେଇଥାନ୍ତି, ତେଣୁ ପିଲା ଓଲଟା ଜବାବ୍‌ ଦେଇଥାଏ