ନୂଆଦିଲ୍ଲୀ ୦୯/୧୦: ଯଦି ଆପଣଙ୍କ ପିଲା କଥା କଥାରେ ଜବାବ୍ ଦେଉଛି, ତେବେ ଏହା କେବଳ ଖରାପ ବ୍ୟବହାର ନୁହେଁ, ବରଂ ଅନେକ କାରଣର ପରିଣାମ । କେବେ ଏହା ଆତ୍ମ ସୁରକ୍ଷାର ଅନୁଭବ ଦେଇଥାଏ, ତ ଆଉ କେବେ ଆବଶ୍ୟକଠାରୁ ଅଧିକ ଆଦର୍ଶବାଦ ହେବା କିମ୍ବା ଭାବନାତ୍ମକ ଭାବେ ଅବହେଳିତ ହେବାର କାରଣ ହୋଇଥାଇପାରେ । ତେବେ ବାସ୍ତବରେ ପିଲାର ଏପରି ବ୍ୟବହାର ପଛରେ କ'ଣ କାରଣ ଥାଇପାରେ । ପିଲାଦିନ ଏମିତି ଏକ ସମୟ, ଯାହା ବ୍ୟକ୍ତିତ୍ୱର ମୂଳଦୁଆ ପକାଇଥାଏ । ଏହି ସମୟରେ ପିଲାର କେତେକ ବ୍ୟବହାର ଏମିତି ହୋଇଥାଏ, ଯାହା ବାପାମା’ ଓ ଅନ୍ୟ ସଦସ୍ୟମାନଙ୍କୁ ବିଚଳିତ କରିଥାଏ । ‘କଥା କଥାରେ ଜବାବ୍ ଦେବା’ ଏମିତି ଏକ ବ୍ୟବହାର । ଏହାକୁ କୁସଂସ୍କାର ବା ଅନୁଶାସନର ଅଭାବ ବୋଲି ଧରିନିଆଯାଏ । କିନ୍ତୁ ଏହାକୁ ପିଲାର ଉଦ୍ଧତ ଗୁଣ ବା ଜିଦି ବୋଲି କହିବା ଠିକ୍ ହେବନି । କାରଣ ଏହା ପଛରେ ଅନେକ ମନୋବିଜ୍ଞାନ ଓ ସାମାଜିକ କାରଣ ରହିଥାଏ । ଯାହାକୁ ବୁଝିବା ପରେ ପିଲାକୁ ଗାଇଡ୍ କରିବା ସହଜ ହୋଇଯିବ । ଚାଲନ୍ତୁ ଜାଣିବା ସେହି କାରଣଗୁଡିକ...
ଆତ୍ମ ସୁରକ୍ଷା ଭାବନା: ଯେତେବେଳେ ପିଲା ନିଜକୁ ଅସୁରକ୍ଷିତ ମନେ ଭାବିବା, ଅପମାନିତ କିମ୍ବା ଚାପରେ ରହିବା ପରି ଅନୁଭବ କରିଥାଏ, ସେତେବେଳେ ସେ କଥାର ଓଲଟା ଜବାବ୍ ଦେଇଥାଏ । ଯାହାଦ୍ୱାରା ସେ ନିଜର ସ୍ଥିତିକୁ ସ୍ପଷ୍ଟ କରିବା ପାଇଁ ନିଜେ ପ୍ରତିବାଦ କରିଥାଏ ।
କଠୋର ଅନୁଶାସନ: ମାତ୍ରାଧିକ କଠୋର ବା ସ୍ୱାଧୀନତାର ଅଭାବ ପିଲାକୁ ବିଦ୍ରୋହୀ କରିଦିଏ । ଫଳରେ ସେ ନିଜର ବିଚାରକୁ ଜବରଦସ୍ତ ଏବଂ ବିରୋଧାତ୍ମକ ଭାବେ ଉପସ୍ଥାପନ କରିଥାଏ ।
ଭାବନାତ୍ମକ ଉପେକ୍ଷା: ଯଦି ଅଭିଭାବକ ପିଲାମାନଙ୍କୁ ପର୍ଯ୍ୟାପ୍ତ ଭାବନାତ୍ମକ ସହଯୋଗ କରୁନାହାନ୍ତି କିମ୍ବା ସ୍ନେହ କରୁନାହାନ୍ତି, ତେବେ ପିଲା ନିଜକୁ ଉପେକ୍ଷିତ ଅନୁଭବ କରିଥାନ୍ତି । ତା’ ସହିତ କ୍ରୋଧ କିମ୍ବା ଚିଡଚିଡାପଣ ଯୋଗୁ ଓଲଟା ପ୍ରତିକ୍ରିୟା ଦେଇଥାଏ ।
ରୋଲ୍ ମଡେଲ୍ର ପ୍ରଭାବ: ପିଲାମାନେ ଯାହା ଦେଖନ୍ତି, ତାକୁ ଅନୁକରଣ କରିଥାନ୍ତି । ଯଦି ସେମାନେ ନିଜ ଆଖପାଖ ଲୋକଙ୍କୁ ଓଲଟା ଜବାବ୍ ଦେଉଥିବା ଦେଖୁଥାନ୍ତି, ତେବେ ସେପରି ବ୍ୟବହାର କରିଥାନ୍ତି ।
କଥାବାର୍ତ୍ତା ଅଭାବ: ଯେତେବେଳେ ପିଲାଙ୍କ କଥାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ କେବଳ ଆଦେଶ ଦିଆଯାଏ । ତେବେ ସେମାନେ ଏପରି ବ୍ୟବହାର ଆପଣାଇଥାନ୍ତି ।
ବୟସରେ ପରିବର୍ତ୍ତନ : କିଶୋରବସ୍ଥାରେ ହେଉଥିବା ହର୍ମୋନାଲ୍ ପରିବର୍ତ୍ତନ କାରଣରୁ ପିଲାଙ୍କ ଭିତରେ ମାନସିକ ଚିନ୍ତା ବଢିଥାଏ । ତେଣୁ ସେ ଓଲଟା ଜବାବ୍ ଦେବା ସହ ନିଜ ରାଗକୁ ଶାନ୍ତ କରିଥାଏ ।
ବାହାରର ଚାପ ଓ ଚିନ୍ତା : ସ୍କୁଲ ସାଙ୍ଗ ଓ ଅନ୍ୟାନ୍ୟ ବାହାରର ଚାପ କାରଣରୁ ପ୍ରାୟ ସମୟରେ ପିଲା ଚାପରେ ରହିଥାନ୍ତି । ଏହି ସ୍ଥିତିରେ ତାକୁ ଯାହା କହିଲେ ସେ ପ୍ରାୟତଃ ଓଲଟା ଜବାବ୍ ଦେଇ ନିଜର ରାଗକୁ ପ୍ରକାଶ କରିଥାନ୍ତି ।
ବାପାମା’ଙ୍କ ପ୍ରତିକ୍ରିୟା: ଅନେକ ସମୟରେ ପିଲାମାନଙ୍କୁ ନିଜର ମତ ପ୍ରକାଶ କରିବାର ସୁଯୋଗ ପାଇପାରି ନଥାନ୍ତି । କୌଣସି କଥାରେ ପିଲା ଅସହମତି ପ୍ରକାଶ କଲେ ବାପାମା’ ପ୍ରତିକ୍ରିୟା ଦେଇଥାନ୍ତି, ତେଣୁ ପିଲା ଓଲଟା ଜବାବ୍ ଦେଇଥାଏ