ନୂଆଦିଲ୍ଲୀ,୨୬/୧୦: ଟାରିଫ୍ ଲଗାଇବା ଛାଡୁନାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିଭିନ୍ନ ଦେଶ ସହ କିଛି ବି ବିବାଦ ଉପୁଜୁଛି ତୁରନ୍ତ ଉକ୍ତ ଦେଶ ଉପରେ ଟାରିଫ୍ ପ୍ରହାର । ଭାରତ, ଚୀନ ପରି ଏବେ କନାଡା ସହ ଆମେରିକାର ଟାରିଫ୍ ୱାର ବଢି ବଢି ଚାଲିଛି । କାନାଡ଼ାର ଟାରିଫ୍ ବିଜ୍ଞାପନକୁ କ୍ଷୁବ୍ଧ ହୋଇ ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ କାନାଡ଼ା ୪୫ ପ୍ରତିଶତ ଶୁଳ୍କ ଗଣିବ । କାନାଡ଼ା ସହ ସମସ୍ତ ବ୍ୟବସାୟିକ ଆଲୋଚନା ବନ୍ଦ କରିଥିଲେ ଡୋନାଲ୍ଡ ଟ୍ରମ୍ପ । ଏବେ ଟାରିଫ୍ ବଢାଇବାକୁ ଘୋଷଣା କରିଛନ୍ତି ।
ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଏକ ବିବାଦୀୟ ଶୁଳ୍କ ବିଜ୍ଞାପନକୁ ହଟାଇବାରେ ବିଫଳ ହେବାକୁ ନେଇ ଟ୍ରମ୍ପ ରାଗ ନିୟନ୍ତ୍ରଣ କରିପାରିନାହାନ୍ତି । ଏହି କାରଣରୁ ସେ କାନାଡା ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି । ଏକ୍ସରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ରୋନାଲ୍ଡ ରେଗାନଙ୍କ ଟାରିଫ୍ ଉପରେ ଦେଇଥିବା ବୟାନ ଏକ ନକଲି ବିଜ୍ଞାପନ ଭାବେ ଦେଖାଉଥିବାରୁ କାନାଡା ଧରାପଡ଼ିଥିଲା । ତେଣୁ କାନାଡା ଉପରେ ଶୁଳ୍କକୁ ମୋଟ ୪୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି । ରୋନାଲ୍ଡ ରେଗାନ ଜାତୀୟ ସୁରକ୍ଷା ଏବଂ ଅର୍ଥନୀତି ପାଇଁ ଶୁଳ୍କ ସପକ୍ଷରେ ଥିଲେ, କିନ୍ତୁ କାନାଡା ଏହା ପସନ୍ଦ କରେ ନାହିଁ । ତାଙ୍କର ବିଜ୍ଞାପନକୁ ତୁରନ୍ତ ହଟାଇ ଦିଆଯିବା ଉଚିତ ଥିଲା । କାନାଡ଼ା ବିଜ୍ଞାପନ ନ ହଟାଇଲେ ଏବେ ଅତିରିକ୍ତ ଶୁଳ୍କ ଲାଗିବ ।
କାନାଡା ସରକାର ଏକ ବିଜ୍ଞାପନ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ ୧୯୮୦ ଦଶକର ରେଡିଓ ଭାଷଣରୁ ଚୟନିତ ଅଡିଓ ଏବଂ ଭିଡିଓ କ୍ଲିପ୍ ବ୍ୟବହାର କରାଯାଇଥିଲା । ବିଜ୍ଞାପନଟି ଟାରିଫ୍ ନୀତି ବିରୁଦ୍ଧରେ ଜନମତକୁ ପ୍ରଭାବିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ରେଗାନଙ୍କୁ ଟାରିଫ୍ ବିରୋଧୀ ଭାବରେ ଚିତ୍ରଣ କରାଯାଇଥିଲା । ରୋନାଲ୍ଡ ରିଗାନ ପ୍ରେସିଡେନ୍ସିଆଲ୍ ଫାଉଣ୍ଡେସନ୍ ଆଣ୍ଡ୍ ଇନଷ୍ଟିଚ୍ୟୁଟ୍ ଏହି ଅଭିଯାନକୁ ଦୃଢ଼ ନିନ୍ଦା କରିଥିଲା । ଫାଉଣ୍ଡେସନ୍ କହିଛି ଯେ, ବିଜ୍ଞାପନରେ ଚୟନ କରାଯାଇଥିବା ଅଡିଓ ଏବଂ ଭିଡିଓ କ୍ଲିପ୍ ଅପବ୍ୟବହାର କରିଥିଲା । ଫାଉଣ୍ଡେସନ୍ର ଅନୁମତି ନିଆଯାଇ ନଥିଲା । ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସୋସିଆଲ ମିଡିଆରେ ଟ୍ରମ୍ପ୍ ତାଙ୍କ ପ୍ରତିକ୍ରିୟାରେ ଏହାକୁ ଏକ ପ୍ରତାରଣା ବୋଲି କହିଛନ୍ତି। କାନାଡା ରୋନାଲ୍ଡ ରିଗାନଙ୍କ ଟାରିଫ୍ ଭାଷଣକୁ ନେଇ ନକଲି ବିଜ୍ଞାପନ ଚଲାଇଥିଲା ।
ରୋନାଲ୍ଡ ରେଗାନ ୧୯୮୦ ରୁ ୧୯୮୮ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ । ସେ ମୁକ୍ତ ବାଣିଜ୍ୟକୁ ସମର୍ଥନ କରୁଥିଲେ, କିନ୍ତୁ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଶୁଳ୍କକୁ ସମର୍ଥନ କରିଥିଲେ । ୧୯୮୫ ମସିହାରେ ଏକ ରେଡିଓ ଭାଷଣରେ ଶୁଳ୍କକୁ ଅନୁଚିତ୍ ବାଣିଜ୍ୟ ଅଭ୍ୟାସ ବିରୁଦ୍ଧରେ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିଲା କହିଥିଲେ । କାନାଡିଆନ ବିଜ୍ଞାପନ କେବଳ ଏହାର ବିପରୀତ ଅଂଶକୁ ଚୟନ କରିଥିଲା ଯାହା ପ୍ରସଙ୍ଗକୁ ପରିବର୍ତ୍ତନ କରିଥିଲା ।