ନୂଆଦିଲ୍ଲୀ,୦୮/୧୧; ଦକ୍ଷିଣ ଆଫ୍ରିକା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବଢିଲା ଆକ୍ରୋଶ । ସାଉଥ ଆଫ୍ରିକାରେ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ  ବୟକଟ୍ କରିଛି ଆମେରିକା । ଦକ୍ଷିଣ ଆଫ୍ରିକାରେ ଚାଷୀଙ୍କ ପ୍ରତି ଭେଦଭାବ କରାଯାଉଥିବା ନେଇ ଏହି ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ । ତେଣୁ କୌଣସି ଆମେରିକା ଅଧିକାରୀ  ଜି-୨୦ ସମ୍ମିଳନୀରେ ସାମିଲ ହେବେ ନାହିଁ ବୋଲି ସଫା ସଫା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି,ଚଳିତବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଆମେରିକାର କୌଣସି ପ୍ରତିନିଧି ଅଂଶଗ୍ରହଣ କରିବେ ନାହିଁ । ଆଫ୍ରିକାରେ ଚାଷୀଙ୍କ ପ୍ରତି ଭେଦଭାବ କରାଯାଉଛି । ଏପରି ବ୍ୟବହାର ଯୋଗୁଁ ଚଳିତ ବର୍ଷ କୌଣସି ଆମେରିକୀୟ ସରକାରୀ ଅଧିକାରୀ ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ । ପୂର୍ବରୁ ଟ୍ରମ୍ପ ଘୋଷଣା କରିଥିଲେ ଯେ ସେ ସମ୍ମିଳନୀରେ ଯୋଗ ଦେବେ ନାହିଁ । ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ଏବେ ଉପରାଷ୍ଟ୍ରପତି ଜେଡ଼ି ଭାନ୍ସଙ୍କ ଯାତ୍ରା ବି ବାତିଲ କରାଯାଇଛି । ଭାନ୍ସଙ୍କ ଯୋଜନା ସହିତ ପରିଚିତ ଜଣେ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ ଏହା ନିଶ୍ଚିତ କରିଛନ୍ତି ।

ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଟ୍ରୁଥରେ କହିଛନ୍ତି, "ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ଯେ G20 ସମ୍ମିଳନୀ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ ।" ଆଫ୍ରିକୀୟମାନଙ୍କ ପ୍ରତି କଥିତ "ନିର୍ଯାତନା" ଉଲ୍ଲେଖ କରିଛନ୍ତି, ଯେଉଁଥିରେ ହିଂସା, ମୃତ୍ୟୁ ଏବଂ ସେମାନଙ୍କ ଜମି ଏବଂ ଚାଷ ଜମି ଜବତ କରିବା ଅନ୍ତର୍ଭୁକ୍ତ । ଟ୍ରମ୍ପ ପ୍ରଶାସନ ଦୀର୍ଘ ସମୟ ଧରି ଦକ୍ଷିଣ ଆଫ୍ରିକା ସରକାରଙ୍କୁ ସଂଖ୍ୟାଲଘୁ ବର୍ଣ୍ଣବୈଷ୍ଣବ ଆଫ୍ରିକୀୟ ଚାଷୀଙ୍କ ଉପରେ ନିର୍ଯାତନା ଏବଂ ଆକ୍ରମଣ ହୋଉଥିବା ଅଭିଯୋଗ କରିଆସୁଛି ।

ଦକ୍ଷିଣ ଆଫ୍ରିକାର ଜବାବ; ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା- ଟ୍ରମ୍ପଙ୍କ ଅଭିଯୋଗ ଉପରେ ଦକ୍ଷିଣ ଆଫ୍ରିକା ସରକାର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସରକାର କହିଛନ୍ତି ଯେ, ଭେଦଭାବର ଅଭିଯୋଗଗୁଡ଼ିକ ଆଶ୍ଚର୍ଯ୍ୟଜନକ, କାରଣ ବର୍ଣ୍ଣବୈଷମ୍ୟ ବ୍ୟବସ୍ଥାର ଅନ୍ତ ହେବାର ୩ ଦଶନ୍ଧିରୁ ଅଧିକ ସମୟ ବିତିଯାଇଛି । ତଥାପି ଦେଶରେ ଗୋରା ବାସିନ୍ଦାଙ୍କ ଜୀବନଧାରଣର ମାନ ସାଧାରଣତଃ କଳା ବାସିନ୍ଦାଙ୍କ ତୁଳନାରେ ବହୁତ ଉଚ୍ଚ । ରାଷ୍ଟ୍ରପତି ସିରିଲ୍ ରାମାଫୋସା କହିଛନ୍ତି, ସେ ଟ୍ରମ୍ପଙ୍କୁ କହିଥିଲେ ଯେ ଆଫ୍ରିକୀୟମାନଙ୍କ ବିରୁଦ୍ଧରେ କଥିତ ଭେଦଭାବ ଏବଂ ଅତ୍ୟାଚାରର ରିପୋର୍ଟ "ସମ୍ପୂର୍ଣ୍ଣ ମିଥ୍ୟା"।

ଟ୍ରମ୍ପଙ୍କ କଠୋର ମନୋଭାବ ଏବଂ ବୟକଟ- ଟ୍ରମ୍ପ ପ୍ରଶାସନ ଦକ୍ଷିଣ ଆଫ୍ରିକା ସରକାରଙ୍କୁ ସମାଲୋଚନା କରିଆସୁଛି । ଚଳିତ ସପ୍ତାହର ଆରମ୍ଭରେ ମିଆମିରେ ଏକ ଅର୍ଥନୈତିକ ଭାଷଣ ସମୟରେ, ଟ୍ରମ୍ପ ଦକ୍ଷିଣ ଆଫ୍ରିକାକୁ G20ରୁ ବହିଷ୍କାର କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । G20କୁ ଆମେରିକାର ପ୍ରଥମ ବୟକଟ ନୁହେଁ । ବର୍ଷ ଆରମ୍ଭରେ, ବୈଦେଶିକ ସଚିବ ମାର୍କୋ ରୁବିଓ G20 ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ବୟକଟ କରିଥିଲେ । କାରଣ ଏହାର ଏଜେଣ୍ଡା ବିବିଧତା, ସମାବେଶ ଏବଂ ଜଳବାୟୁ ପରିବର୍ତ୍ତନ ପରି ପ୍ରୟାସ ଉପରେ କେନ୍ଦ୍ରିତ ଥିଲା ।