ବିଞ୍ଝାରପୁର,୧୧/୦୫: ସାଧାରଣଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହା ସତ୍ତ୍ୱେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ । ପ୍ରତି ଗାଁକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ସରକାର ଗୁରୁତ୍ୱାରୋପ କରଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଉଛି । ହେଲେ କିଛି ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁଁ ସରକାରୀ ସୁବିଧା ଗୁଡ଼ିକର ଲୋକେ ଲାଭ ଉଠାଇ ପାରୁନଥିବା ଅଭିଯୋଗ କରିଛନ୍ତି ।
ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁନଥିବା ଅଭିଯୋଗ । ଯାହାର ପରିଣାମ ସ୍ୱରୂପ ସାଧାରଣ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ବ୍ଲକର ବିଭିନ୍ନ ସ୍ଥାନରେ ନଳକୂପମାନ ସମୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ସେଠାରେ ନୂତନ ନଳକୂପ ସ୍ଥାପନ କରାଯାଉନାହିଁ । ଯାହାର ଉଦାହରଣ ପାଲଟିଛି ଜରୀ ପଞ୍ଚାୟତର ଅଢେଇ ସାହି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେହି ଗାଁରେ ଏକ ନଳକୂପ ଏକ ବର୍ଷ ହେବ ଖରାପ ହୋଇଯାଇଛି । ଯାହାକୁ ବିଭାଗ ଅଚଳ ଘୋଷଣା ମଧ୍ୟ କରିଦେଇଛି । ହେଲେ ଏଠାରେ ନୂତନ ନଳକୂପ ସ୍ଥାପନ କରାଯାଉନାହିଁ । ଫଳରେ ପାନୀୟ ପାଇଁ ହନ୍ତସନ୍ତ ହେଉଛନ୍ତି ୨୦ ପରିବାର । ସାହିର ମହିଳାମାନେ ପିଇବା ପାଣି ପାଇଁ ଜରୀ ଅଢେଇ ସାହି ପ୍ରାଥମିକ ବିଦ୍ୟାଳୟ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି । ତାହା ପୁଣି ସ୍କୁଲ ଗେଟ୍ ଖୋଲାଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି । ଏବେ ଖରାଦିନେ ସ୍କୁଲ ବନ୍ଦ ଥିବାରୁ ପାନୀୟ ଜଳ ପାଇଁ ମହିଳାମାନଙ୍କୁ ତିନି କୋଷ ରାସ୍ତା ଯିବାକୁ ପଡୁଛି । ତେଣୁ ଜରୀ ଅଢେଇ ସାହିକୁ ତୁରନ୍ତ ପାନୀୟ ଜଳ ଯୋଗାଣ ପାଇଁ ମହିଳାମାନେ ଦାବି କରିଛନ୍ତି ।