ବୋଲଗଡ଼,୧/୧୧ : ବୋଲଗଡ଼ ସଦର ମୁଖ୍ୟାଳୟ ବସଷ୍ଟାଣ୍ଡ ବଜାରଠାରେ ଚଳନ୍ତା ଯାତ୍ରୀବାହୀ ଗାଡ଼ି ଚାଳକଙ୍କର ଶନିବାର ଅପରାହ୍ନରେ ହୃଦଘାତରେ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଗୋଡ଼ିଆଳି ଗ୍ରାମର ସୁବଳ ମାର୍ଥାଙ୍କ ପୁଅ ଶରତ ଚନ୍ଦ୍ର ମାର୍ଥା(୫୫) । ବହୁ ବର୍ଷ ଧରି ଚୁଡା ଗ୍ରାମରେ ପରିବାର ଧରି ରହି ଆସୁଥିଲେ। ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା କେଶ ନଂ ୧୨/୨୫ରେ ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।
ସୂଚନା ଅନୁସାରେ, 'ବିଶାଖା' ଅନ୍ଵେଷା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ମହିଳା ପୁରୁଷ ଛୋଟଛୁଆଙ୍କ ସମେତ ପ୍ରାୟତଃ ୫୦ଜଣରୁ ଊର୍ଦ୍ଧ୍ବ ପାସେଞ୍ଜରମାନଙ୍କୁ ନେଇ ଭୁବନେଶ୍ୱରରୁ ସୋରଡ଼ା ଭଞ୍ଜନଗର ଅଭିମୁଖେ ଯାଉଥିଲା । ବୋଲଗଡ଼ ଷ୍ଟାଣ୍ଡରେ ଗାଡ଼ି ରହଣି କରି ଆତ୍ମୀୟଙ୍କ ସହ କଥାବାର୍ତ୍ତା ପରେ ଗାଡ଼ି ଚାଳନା କରିବାକୁ ଉଦ୍ୟମ କରୁଥିବାବେଳେ ହଠାତ ଗାଡ଼ିର ଷ୍ଟେରିଂ ଉପରେ ସଜ୍ଞାହୀନ ହୋଇ ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ ।
ପରେ ବସର ଅନ୍ୟ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ତାଙ୍କୁ ଏକ ଅଟୋରିକ୍ସାରେ ଚିକିତ୍ସା ଲାଗି ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମାଜିଷ୍ଟ୍ରେଟ ତଥା ତହସିଲଦାର ବିଜୟ କୁମାର ସେଠୀ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଦିଲ୍ଲିପ ରାଉଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଗାଡ଼ି କର୍ମଚାରୀ ସହ ସମ୍ପର୍କୀୟମାନଙ୍କୁ ମୃତକ ଓ ଗାଡ଼ି ମାଲିକାନା ସମ୍ପର୍କରେ ବିଶଦ ପଚରା ଉଚରା କରି ଫେରିଥିଲେ ।