ମାଲକାନଗିରି,୨୩/୯ : ଜିଲ୍ଲାପାଳଙ୍କ ଗାଁ ଗସ୍ତ ସମୟରେ ଗରିବ ଆଦିବାସୀ ପରିବାରଙ୍କ ଦୁଃଖ ଦେଖି ଜିଲ୍ଲାପାଳ ତ୍ୱରିତ ପଦକ୍ଷେପ ନେଇଥିଲେ । ଜିଲ୍ଲାପାଳଙ୍କ ଉଦ୍ୟମ ଓ ସହାୟତା ଯୋଗୁଁ ଗରିବ ଆଦିବାସୀ ଶିଶୁର ବକ୍ରପାଦ ଅସ୍ତ୍ରୋପଚାର ସଫଳ ହୋଇଛି । ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ କଟକ ଏସସିବି ମେଡ଼ିକାଲଠାରେ ବକ୍ରପାଦ ଯନ୍ତ୍ରଣାରେ ଜର୍ଜରିତ ଜଣେ ଶିଶୁଙ୍କର ଅସ୍ତ୍ରୋପଚାର ସଫଳ ହୋଇପାରିଛି । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ କ୍ଷେତ୍ର ଗସ୍ତ ସମୟରେ ତମସା ପଞ୍ଚାୟତ ତଣ୍ଡାପାଲି ଗ୍ରାମର ଶିଶୁ ଅନୁରାଗ ମାଡ଼କାମୀଙ୍କ ବାମପାଦ ବକ୍ର ଥିବା ଦେଖିବାକୁ ପାଇଥିଲେ ଜିଲ୍ଲାପାଳ।
କୋୟା ଜନଜାତିର ୭ ବର୍ଷୀୟ ଶିଶୁ ଅନୁରାଗ ତଣ୍ଡାପାଲି ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର । ଅନୁରାଗଙ୍କ ବକ୍ରପାଦ ବିଷୟରେ ଅବଗତ ହେବା ପରେ ତୁରନ୍ତ ଜିଲ୍ଲାପାଳ ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ସମ୍ପୂର୍ଣ୍ଣ ଚିକିତ୍ସା କରାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଫାର୍ମାସିଷ୍ଟ ରଞ୍ଜନ କୁମାର ଭୂୟାଁଙ୍କ ତତ୍ତ୍ଵାବଧାନରେ ଅନୁରାଗ ଏବଂ ତାଙ୍କ ପରିବାର ସେପ୍ଟେମ୍ବର ୨୨ରେ କଟକ ଅଭିମୁଖେ ଯାତ୍ରା କରିଥିଲେ। ଆଜି କଟକ ଏସସିବି ମେଡିକାଲଠାରେ ଅନୁରାଗଙ୍କ ବକ୍ରପାଦ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ଯଥାଶୀଘ୍ର ସେ ଉପଶମ ଲାଭ କରିବେ ବୋଲି ସୂଚନା ମିଳିଛି । ବକ୍ର ପାଦ ଭିନ୍ନକ୍ଷମ ଶିଶୁ ଏକ ନୂତନ ଜୀବନ ପାଇଥିବାରୁ ଅନୁରାଗଙ୍କ ବାପା ମୁକା ମାଡ଼କାମୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଅନୁରାଗଙ୍କ ବକ୍ରପାଦ ଅସ୍ତ୍ରୋପଚାର ଆରବିଏସକେୱାଇ ଯୋଜନାରେ ସଂପୂର୍ଣ୍ଣ ରୂପେ ବିନା ମୂଲ୍ୟରେ କରାଯାଇଛି ।