ସାମ୍ପ୍ରତିକ ସମୟରେ ଯେଉଁ କଥାଟି ସର୍ବାଧିକ ଗୁରୁତ୍ୱ ବହନ କରୁଛି ତାହା ହେଉଛି ଯେଉଁ ଛାତ୍ରମାନେ ଇଂରାଜୀ ଭାଷାରେ ଦକ୍ଷତା ଅର୍ଜନ କରି ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଚ୍ଚ ସ୍ତରକୁ ଉନ୍ନୀତ ହେବାର ଉଦ୍ୟମ କରୁଛନ୍ତି ସେମାନେ ତାହା କରନ୍ତୁ, କିନ୍ତୁ ଯେଉଁ ବହୁସଂଖ୍ୟକ ଛାତ୍ର ଆଞ୍ଚଳିକ ଭାଷାରେ ଶିକ୍ଷା ଗ୍ରହଣ କରି ଜୀବନରେ କିଛିଟା ଅଗ୍ରଗତି କରିବାକୁ ଚାହୁଁଛନ୍ତି ସେମାନଙ୍କ ଆତ୍ମବିଶ୍ୱାସ ମୂଳରେ କୁଠାରାଘାତ କରାନଯାଉ ।
ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି ଅନୁଯାୟୀ ୨୦୨୨-୨୩ ଶିକ୍ଷାବର୍ଷରୁ ବି.ଟେକ୍ ଇଞ୍ଜିନିୟରିଂ ଶିକ୍ଷା ୧୧ଟି ଆଞ୍ଚଳିକ ଭାଷା ଯଥା: ହିନ୍ଦୀ, ମରାଠୀ, ତାମିଲ୍, ତେଲୁଗୁ, କନ୍ନଡ଼, ଗୁଜରାଟୀ, ମାଲୟାଲାମ୍, ବେଙ୍ଗଲୀ, ଆସାମୀ, ପଞ୍ଜାବୀ, ଓଡ଼ିଆ ଇତ୍ୟାଦିରେ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ପ୍ରସଙ୍ଗରେ ସ୍ମରଣକୁ ଆସୁଛି ଭାରତର ପଦାର୍ଥବିଜ୍ଞାନ (ଫିଜିକ୍ସ) ପ୍ରଫେସର ସତ୍ୟେନ୍ଦ୍ରନାଥ ବୋଷଙ୍କ କଥା, ଯାହାଙ୍କର ପି.ଏଚ୍.ଡି ଡିଗ୍ରୀ ନଥିଲା, କିନ୍ତୁ ସିଏ ନିଜର ଉଚ୍ଚକୋଟୀର ଗବେଷଣା ବଳରେ ଆଲ୍ବର୍ଟ ଆଇନ୍ଷ୍ଟାଇନ୍ଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଓ ଆଇନ୍ଷ୍ଟାଇନ୍ଙ୍କ ସୁପାରିସକ୍ରମେ ବିନା ପି.ଏଚ୍.ଡିରେ ମଧ୍ୟ ପ୍ରଫେସର ପଦକୁ ଉନ୍ନୀତ ହୋଇଥିଲେ । ପ୍ରଫେସର ବୋଷ ବଙ୍ଗଳା ଭାଷାରେ ଫିଜିକ୍ସ ପଢ଼ାଉଥିଲେ । ତାଙ୍କ ମତରେ, ସେ ବଙ୍ଗଳା ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ପଢ଼ାଉଥିବାରୁ ସେମାନେ ଫିଜିକ୍ସ ପାଠକୁ ଅତି ସହଜରେ ଭଲଭାବରେ ବୁଝିପାରୁଥିଲେ । ତେଣୁ ଆଇଜାକ୍ ନିଉଟନ୍ଙ୍କ ମୋସନ୍ ବା ଗତି ସମ୍ବନ୍ଧୀୟ ୧ମ, ୨ୟ, ୩ୟ ନିୟମ, ମାଇକେଲ୍ ଫାରାଡେଙ୍କ ଇଲେକ୍ଟ୍ରୋଲିସିସ୍, ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଇଣ୍ଡକ୍ସନ୍, ଆଲ୍ବର୍ଟ ଆଇନ୍ଷ୍ଟାଇନ୍ଙ୍କ "ଥିଓରି ଅଫ୍ ରିଲେଟିଭିଟି', "ବ୍ଲାକ୍ ହୋଲ୍', "ଫଟୋଇଲେକ୍ଟ୍ରିକ୍ ଇଫେକ୍ଟ' ଓ ଆହୁରି ଅନ୍ୟାନ୍ୟ ଅନେକ ନିୟମ, ତତ୍ତ୍ୱକୁ ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାରେ ପ୍ରାଞ୍ଜଳ ଭାବରେ ବୁଝାଇ ଦେଇହେବ । ରୁଷିଆ, ଜାପାନ୍, ଚୀନ୍, କୋରିଆ, ଜର୍ମାନୀ, ଫ୍ରାନ୍ସ, ଇସ୍ରାଏଲ, ପୋଲାଣ୍ଡ ଇତ୍ୟାଦି ଦେଶରେ ଇଂରାଜୀରେ ନୁହେଁ ମାତୃଭାଷାରେ ଶିକ୍ଷାଦାନ କରାଯାଏ । ସେଠାରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଖୁବ୍ ଉନ୍ନତ ।
ଜାପାନ ଓ ଚୀନ୍ରେ ଅନୁବାଦ ପାଇଁ ବିପୁଳ ବ୍ୟବସ୍ଥା ରହିଛି, ଯାହାଦ୍ୱାରା ବିଜ୍ଞାନର ଇଂରାଜୀ ଶବ୍ଦଗୁଡ଼ିକୁ ସେମାନେ ମାତୃଭାଷାରେ ଯଥାର୍ଥ ଭାବ ରକ୍ଷାପୂର୍ବକ ସରଳ ଅନୁବାଦ କରି ଶିକ୍ଷା କ୍ଷେତ୍ରରେ ପ୍ରୟୋଗ କରିପାରୁଛନ୍ତି । ଭାରତବର୍ଷରେ ପୁଞ୍ଜି ବିନିଯୋଗ କରି ସେପରି ବ୍ୟବସ୍ଥା କରିହେବ, ଅର୍ଥାତ୍ ଛାତ୍ରସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନୁବାଦକ, ଶିକ୍ଷକମାନଙ୍କୁ ପ୍ରଶିକ୍ଷିତ କରିହେବ । "ଘେରାଉ', "ହଟାଓ', "ମନ୍ତ୍ର', "ବନ୍ଦ୍', "ପୂଜା' ଓ ଅନ୍ୟାନ୍ୟ ଅନେକ ଭାରତୀୟ ଶବ୍ଦକୁ ଇଂରେଜମାନେ ଗ୍ରହଣ କରି ସେମାନଙ୍କ ଅଭିଧାନରେ ସ୍ଥାନିତ କରିଥିବା³ ଅର୍ଥାତ୍ ଇଂରାଜୀ ଅକ୍ଷରରେ ଲେଖିଥିବା ଭଳି ଆମେ "ଆକ୍ସିଲରେସନ୍', "ମୋମେଣ୍ଟମ୍' ଶବ୍ଦଗୁଡ଼ିକୁ ଓଡ଼ିଆ ଅକ୍ଷରରେ ଲେଖିଦେଇପାରିବା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି "ଆକ୍ସିଲରେସନ୍', "ମୋମେଣ୍ଟମ୍' କ'ଣ ବା କାହାକୁ କୁହାଯାଏ ତାହା ଆମ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ବୁଝିବାର କଥା । ଯେପରି "ଘେରାଉ', "ହଟାଓ', "ମନ୍ତ୍ର', "ବନ୍ଦ୍', "ପୂଜା' କ'ଣ ବା କାହାକୁ କୁହାଯାଏ, ତାହା ଇଂରେଜମାନେ ଇଂରାଜୀ ଭାଷାରେ ବୁଝୁଛନ୍ତି । କୌଣସି ଶବ୍ଦର ବିକୃତ ଅନୁବାଦ ଠିକ୍ ନୁହେଁ । ଏବେ ପୃଥିବୀରେ ୭୫୦ କୋଟି ଲୋକଙ୍କ ମଧ୍ୟରୁ ୧୫୦କୋଟି ଅର୍ଥାତ୍ ଶତକଡ଼ା ୨୦ଜଣ ଇଂରାଜୀ କହିପାରୁଛନ୍ତି । ଭାରତରେ ୧୩୭କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୧କୋଟି ୩୭ଲକ୍ଷ ଅର୍ଥାତ୍ ଶତକଡ଼ା ୧ଜଣ ଇଂରାଜୀ କହୁଛନ୍ତି । ଗ୍ରାମାଞ୍ଚଳରେ ଶତକଡ଼ା ୬୦ଜଣ ଛାତ୍ରଛାତ୍ରୀଙ୍କର ଭାଷାଗତ ସମସ୍ୟା ରହୁଛି । ସେମାନଙ୍କ ମଧ୍ୟରୁ କେତେକ ଭଲ ପାଠ ପଢୁଥିଲେ ମଧ୍ୟ ଭଲ ଇଂରାଜୀ କହିପାରୁ ନାହାନ୍ତି, ଯେହେତୁ ସେମାନଙ୍କ ଶିକ୍ଷାର ମାଧ୍ୟମ ହେଉଛି ଆଞ୍ଚଳିକ ଭାଷା । ତେଣୁ ମେଡିକାଲ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ କରାଗଲେ ତାହା ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ ହେବ ବୋଲି କ୍ଷେତ୍ରୀୟ ଅଧ୍ୟୟନରୁ ଜଣାପଡୁଛି ।
ଅନେକ ସ୍ଥଳରେ ପରିଲକ୍ଷିତ ହୋଇଛି କନ୍ଭେଣ୍ଟ୍ ସ୍କୁଲରେ ପାଠ ପଢ଼ିଥିବା ଓ ଇଂରାଜୀ ଭାଷାରେ ଦକ୍ଷତା ଥିବା ଜଣେ ଛାତ୍ର ଭଲ ଇଂରାଜୀ କହିପାରୁଥିବାରୁ କ୍ୟାମ୍ପସ୍ ଇଣ୍ଟର୍ଭ୍ୟୁ ସମୟରେ ବିଭିନ୍ନ କମ୍ପାନିରେ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି । ଆଞ୍ଚଳିକ ଭାଷା ମାଧ୍ୟମରେ ଶିକ୍ଷା ଲାଭ କରିଥିବା, ପାଠ୍ୟ ବିଷୟକୁ ଭଲଭାବରେ ବୁଝି ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିଥିବା ଅନ୍ୟ ଜଣେ ଛାତ୍ର ଭଲ ଇଂରାଜୀ କହିପାରୁନଥିବାରୁ ସେପରି ଚାକିରି ପାଇବାରୁ ବଞ୍ଚିତ ହେଉଛି । କେବଳ ଭଲ ଇଂରାଜୀ କହିବା ଗୋଟେ ଚାକିରି ପାଇବାର ମାନଦଣ୍ଡ ହେବା ଠିକ୍ ନୁହେଁ । ପାଠ୍ୟ ବିଷୟରେ ଦକ୍ଷତାକୁ ସର୍ବାଗ୍ରେ ବିଚାରକୁ ନିଆଯିବାର କଥା । ୧୯୩୭ ବର୍ଷରେ ଜାକିର୍ ହୁସେନ୍, ୧୯୫୨ରେ ଲକ୍ଷ୍ମଣସ୍ୱାମୀ ମୁଦାଲିୟର୍ ଓ ୧୯୬୪ରେ ଦୌଲତ୍ ସିଂହ କୋଠାରୀଙ୍କ ଅଧ୍ୟକ୍ଷତାରେ କମିଶନ୍ ଗଠିତ ହୋଇଥିଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଏଯାବତ୍ ଆଶାନୁରୂପ ସଂସ୍କାର ହୋଇପାରିନାହିଁ । ତେବେ ସାମ୍ପ୍ରତିକ ସମୟରେ ଯେଉଁ କଥାଟି ସର୍ବାଧିକ ଗୁରୁତ୍ୱ ବହନ କରୁଛି ତାହା ହେଉଛି ଯେଉଁ ଛାତ୍ରମାନେ ଇଂରାଜୀ ଭାଷାରେ ଦକ୍ଷତା ଅର୍ଜନ କରି ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଚ୍ଚ ସ୍ତରକୁ ଉନ୍ନୀତ ହେବାର ଉଦ୍ୟମ କରୁଛନ୍ତି ସେମାନେ ତାହା କରନ୍ତୁ, କିନ୍ତୁ ଯେଉଁ ବହୁସଂଖ୍ୟକ ଛାତ୍ର ଆଞ୍ଚଳିକ ଭାଷାରେ ଶିକ୍ଷା ଗ୍ରହଣ କରି ଜୀବନରେ କିଛିଟା ଅଗ୍ରଗତି କରିବାକୁ ଚାହୁଁଛନ୍ତି ସେମାନଙ୍କ ଆତ୍ମବିଶ୍ୱାସ ମୂଳରେ କୁଠାରାଘାତ କରାନଯାଉ । ଇଂରାଜୀ ଭାଷା ସାହିତ୍ୟ ସମ୍ବନ୍ଧରେ କିପରି ଭୟ ସୃଷ୍ଟି କରାଯାଉଛି, ତା'ର ଏକ ଉଦାହରଣ ନିଆଯାଉ ।
ଜଣେ ଛାତ୍ର କହନ୍ତି "ସ୍ନାତକୋତ୍ତର ଶ୍ରେଣୀକୁ ଜଣେ ଶିକ୍ଷକ ସେକ୍ସପିୟର୍ଙ୍କ ଗୋଟେ ନାଟକ ପଢ଼ାଇବାକୁ ଆସିଲେ । କହିଲେ "ଏହି ନାଟକଟି ପଢ଼ିବା ସହିତ ଏ ସମ୍ବନ୍ଧରେ ସାତ ଖଣ୍ଡ କ୍ରିଟିସିଜିମ୍ ବା ସମାଲୋଚନା ବହି ପଢ଼ିବାକୁ ହେବ' ଏବଂ ସେହି ସାତ ଖଣ୍ଡ ବହିର ଶୀର୍ଷକ ଓ ଲେଖକଙ୍କ ନାଁ ଡାକିଦେଲେ । ଗୋଟେ ବହି ପାଇଁ ସାତ ଖଣ୍ଡ କ୍ରିଟିସିଜିମ୍ ବହି ପଢ଼ିବା କଥା ଚିନ୍ତା କରି ମୁଁ ଭୟଭୀତ ହେଲି । ଅନ୍ୟ ଜଣେ ଶିକ୍ଷକଙ୍କୁ ଭେଟିଲି । ସେ କହିଲେ "ଖଣ୍ଡେ କ୍ରିଟିସିଜିମ୍ ବହି ପଢ଼ । ଦି ବେଷ୍ଟ୍ କ୍ରିଟିକ୍ ଇଜ୍ ଇଓର୍ସେଲ୍ଫ୍ ଅର୍ଥାତ୍ ତୁମେ ନିଜେ ହେଉଛ ସବୁଠାରୁ ଶ୍ରେଷ୍ଠ ସମାଲୋଚକ । ମୂଳ ଅର୍ଥାତ୍ ପାଠ୍ୟ ବହିଟିକୁ ଏକାଧିକ ଥର ଆମୂଳଚୂଳ ପଢ଼, ନିଜେ ବିଷୟବସ୍ତୁ ସମ୍ବନ୍ଧରେ ଚିନ୍ତାକର, ବହିଟିର ସମୀକ୍ଷା କର, ସାରସ୍ୱତ ଦୃଷ୍ଟିକୋଣରୁ ନିଜର ମତ ଉପସ୍ଥାପନ କର, ଦେଖିବ ତାହା ଗୋଟେ କ୍ରିଟିସିଜିମ୍ ହୋଇଯିବ ।' ଏକଥା ଶୁଣି ମୋର ଭୟ ଦୂର ହେଇଗଲା । କିଛି ଲୋକ ଇଂରାଜୀ ଭାଷା, ସାହିତ୍ୟକୁ ଆଧାର କରି ଅନ୍ୟମାନଙ୍କ ମନରେ ଭୀତି ସଂଚାର କରୁଅଛନ୍ତି । ସେମାନଙ୍କ ମତରେ (୧) ବିଜ୍ଞାନ ଟେକ୍ନୋଲୋଜି ମେଡିକାଲ୍ ଇଞ୍ଜିନିୟରିଂ ପାଠ୍ୟ ବହିଗୁଡ଼ିକୁ କେବଳ ଇଂରାଜୀ ଭାଷାରେ ପଢ଼ାଇ ହେବ, ଅନ୍ୟ ଭାଷାରେ ନୁହେଁ । (୨) ଭଲ ଇଂରାଜୀ କହିନପାରିଲେ ଯୁବକ ଯୁବତୀମାନଙ୍କୁ ଚାକିରି ମିଳିବ ନାହିଁ । (୩) ଶ୍ରେଣୀରେ ଇଂରାଜୀ ନାଟକ, ପ୍ରବନ୍ଧ, କବିତା, ସମାଲୋଚନା ଓ କଥାସାହିତ୍ୟ ପଢ଼ାଇଲାବେଳେ ଜଣେ ଶିକ୍ଷକ ଇଂରାଜୀ ଶବ୍ଦ ବ୍ୟତୀତ କୌଣସି ଆଞ୍ଚଳିକ ଭାଷାର ଶବ୍ଦଟିଏ ବି ଉଚ୍ଚାରଣ କରିବା ଠିକ୍ ନୁହେଁ । କିନ୍ତୁ ଏବେ ସମୟ ଆସିଛି ଚାକିରି ଯୋଗାଣକାରୀ ସଂସ୍ଥାର କର୍ମକର୍ତ୍ତାମାନଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ । ପ୍ରଫେସର ସତ୍ୟେନ୍ଦ୍ରନାଥ ବୋଷ ବଙ୍ଗଳା ଭାଷାରେ ଫିଜିକ୍ସ ପଢ଼ାଇଥିଲା ଭଳି ଯେକୌଣସି ଆଞ୍ଚଳିକ ଭାଷାରେ ବିଜ୍ଞାନ ଟେକ୍ନୋଲୋଜି ମେଡିକାଲ ଇଞ୍ଜିନିୟରିଂ ପାଠ ପଢ଼ାଇବା ସମ୍ଭବ ।
ଇଂରେଜମାନେ ଭାରତୀୟ ଭାଷାର କିଛି ଶବ୍ଦକୁ ଇଂରାଜୀ ଅଭିଧାନରେ ସ୍ଥାନିତ କରିଥିବା ଭଳି ଆମେ ମଧ୍ୟ କିଛି ଇଂରାଜୀ ଶବ୍ଦକୁ ବିକୃତ ଅନୁବାଦ ନକରି ଶବ୍ଦଗୁଡ଼ିକୁ ଅବିକଳ ଭାବରେ ଆମ ଆଞ୍ଚଳିକ ଭାଷାକୋଷରେ ଗ୍ରହଣ କରିପାରିବା । ଶ୍ରେଣୀ କୋଠରିରେ ସେକ୍ସପିୟରଙ୍କ ନାଟକ, ବେକନ୍ଙ୍କ ପ୍ରବନ୍ଧ, ୟେଟ୍ସଙ୍କ କବିତା, ଟଲଷ୍ଟୟଙ୍କ ଗଳ୍ପ, ହାର୍ଡିଙ୍କ ଉପନ୍ୟାସ, ମରଗାନ୍ଙ୍କ ସମାଲୋଚନା ସାହିତ୍ୟ ଇତ୍ୟାଦିକୁ ଇଂରାଜୀ ଭାଷାରେ ଉପସ୍ଥାପନ କରାଯିବା ସହିତ ଛାତ୍ରଛାତ୍ରୀମାନଙ୍କ ଅଧିକ ଭଲ ବୁଝିବା ପାଇଁ ଯେକୌଣସି ଆଞ୍ଚଳିକ ଭାଷାରେ ମଧ୍ୟ ଉପସ୍ଥାପନ କରାଯାଇପାରିବ । ଯେକୌଣସି ପାଠକୁ ନିଜ ମାତୃଭାଷାରେ ଯେଭଳି ବୁଝିହେବ, ଅନ୍ୟ ଭାଷାରେ ସେଭଳି ବୁଝିହେବ ନାହିଁ । ମନର ଭାବକୁ ନିଜ ମାତୃଭାଷାରେ ଯେଭଳି ପ୍ରକାଶ କରିହେବ, ଅନ୍ୟ ଭାଷାରେ ସେଭଳି ପ୍ରକାଶ କରିହେବ ନାହିଁ ।