ଆସିକା, ୨୪/୧୦ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଥିବା କାଳଷଣ୍ଢପୁର କ୍ଲଷ୍ଟରର ପୁଡ଼ୁଗଶ୍ୱେର ପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍କୁଲ ଭିତରେ ମଦ ପ୍ୟାକେଟ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟର ଅଧୟନରତ ଅଷ୍ଟମ ଶ୍ରେଣୀର ଦୁଇ ଜଣ ଛାତ୍ର ଏକ ମଦ ପୁଡିଆ ସ୍କୁଲ ମଧ୍ୟକୁ ଆଣି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକଙ୍କ ଅନୁପସ୍ଥିତର ସୁଯୋଗ ନେଇ ସେହି ସ୍କୁଲରେ ପଢ଼ୁଥିବା ପଞ୍ଚମ ଶ୍ରେଣୀ ଛାତ୍ରକୁ ଜୋର ଜବରଦସ୍ତି ମଦ ପିଆଇଥିଲେ l
ଶିଶୁଟି କିଛି ସମୟ ପରେ ମୁଣ୍ଡ ଘୁରାଇ ହେବାରୁ ବିଦ୍ୟାଳୟରେ ଥିବା ଶିକ୍ଷକ ଓ ଶିଶୁର ବାପାକୁ ଡାକି ଆସିକା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ l ଡାକ୍ତର ଉପଯୁକ୍ତ ଚିକିତ୍ସା କରି ଘରକୁ ଯିବାକୁ ଅନୁମତି ଦେଇଥିଲେ l ଏହି ଘଟଣା ଘଟିବା କ୍ଷଣି ସଂଗେସଂଗେ ଆସିକା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶିବ ରାମ ବେହେରା ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରି ଏକ ପ୍ରାଥମିକ ରିପୋର୍ଟ ବିଇଓଙ୍କୁ ଅବଗତ କରିଛନ୍ତି l ଆଜି କାଳଷଣ୍ଢପୁର କ୍ଲଷ୍ଟର ପିଲାମାନଙ୍କ ସୁରଭି କାର୍ଯ୍ୟକ୍ରମ ଥିବାରୁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଏକ ସହ ଶିକ୍ଷକ ପିଲାମାନଂକୁ ଧରି ଚାଲି ଯାଇଥିଲେ l
ଏହି ବିଦ୍ୟାଳୟରେ ମୋଟ ୭୯ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବାବେଳେ ମୋଟ ୦୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି l ଏଭଳି ଘଟଣା ଘଟିବା ଏକ ଦୁର୍ଭାଗ୍ୟ ଜନକ ବୋଲି ଶିକ୍ଷାବିତ ଅଭିଭାବକ ମାନେ ମତ ରଖିଛନ୍ତି l ଆସନ୍ତା ସୋମବାର ମଧ୍ୟରେ ବ୍ଲକ ପକ୍ଷରୁ ଶିକ୍ଷା ବିଭାଗର ଏକ ଟିମ୍ ବିଦ୍ୟାଳୟରେ ପହଂଚି ତଦନ୍ତ କରିବ ବୋଲି ବିଇଓ ମୁନ ରାଣୀ ମହାନ୍ତି କହିଛନ୍ତି l ଏଭଳି ଶିଶୁମାନଙ୍କ ପାଖକୁ ମଦ କେଉଁଠୁ ଆସିଲା କାହିଁକି ପିଲା ଦୁଇ ଜଣ ଏହି ଛୋଟ ପିଲାକୁ ମଦ ପିଆଇଲେ ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ l ପୋଲିସ ଥାନାରେ ଏ ନେଇ କୌଣସି ଅଭିଯୋଗ ମଧ୍ୟ ହୋଇ ନ ଥିବା ଜଣାପଡ଼ିଛି l